ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ଘୋଷଣା ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ । ଦିଲ୍ଲୀ ବିଜେପି ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କ ନାଁରେ ମୋହର । ନାଁ ଘୋଷଣା କଲେ ପର୍ୟ୍ୟବେକ୍ଷକ ଦଳ । ସାଲିମାରବାଗରୁ ବିଧାୟିକା ଅଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ବିଜେପିର ସେ ମହାସଚିବ ଅଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ କାଲି ରାମଲୀଳା ମୈଦାନରେ ହେବ । ତାଙ୍କ ନାଁ ସିଏମ ରେସର ସବୁଠାରୁ ଆଗରେ ରହିଥିଲା । 

Advertisment

ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବା ପରେ  କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା । ରେଖାଗୁପ୍ତା ରେସରେ ଆଗରେ ଥିଲେ ।  ଆଜି ବିଧାୟକ ଦଳ ବୈଠକରେ ବିଜେନ୍ଦ୍ର ଗୁପ୍ତା ଓ ପ୍ରବେଶ ବର୍ମା, ରେଖା ଗୁପ୍ତାଙ୍କ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଆଣିଥିଲେ ।  ଆଜି ସକାଳୁ ହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ନେଇ ହଲଚଲ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ହୋଇଥିଲା । ପର୍ୟ୍ୟବେକ୍ଷକ ଭାବେ ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ଯୋଗଦେଇଥିଲେ ।

ରେଖା ଗୁପ୍ତା ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଜିତି ବିଧାୟିକା ହୋଇଥିଲେ । ରେଖା ଗୁପ୍ତା ପିଲା ବେଳୁ ଆରଏସଏସର ସକ୍ରିୟା ସଦସ୍ୟ ରହିଛନ୍ତି । ସଂଘର ଛାତ୍ର ସଂଗଠନ ଏବିଭିପି ମାଧ୍ୟମରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୪-୯୫ରେ ସେ ଦୌଲତ ରାମ କଲେଜରେ ସଚିବ ହୋଇଥିଲେ । ୧୯୯୫-୯୬ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘରର ସଚିବ ହୋଇଥିଲେ । ପୁଣି ୧୯୯୬-୯୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ଅଧ୍ୟ ହୋଇଥିଲେ । 

ରେଖା ଗୁପ୍ତା ୨୦୦୩-୨୦୦୪ ଯାଏ ଦିଲ୍ଲୀ ବିଜେପି ଯୁବ ମୋର୍ଚ୍ଚାର ସଚିବ ରହିଥିଲେ । ପରେ ୨୦୦୪ରୁ ୨୦୦୬ ଯାଏଁ ସେ ଯୁବ ମୋର୍ଚ୍ଚାର ରାଷ୍ଟ୍ରିୟ ସଚିବ ହୋଇଥିଲେ । ଏହାପରେ ସେ ୨୦୦୭ ଏପ୍ରିଲରେ ଉତ୍ତର ପିତାମପୁରାରୁ ସେ ଟିକେଟ ପାଇ କାଉନସିଲର ହୋଇଥିଲେ । ନଗର ନିଗମରେ କାଉନସିଲର ହେବା ପରେ ତାଙ୍କୁ ୨୦୦୭-୦୯ ଯାଏଁ ମହିଳା କଲ୍ୟାଣ ଏବଂ ବାଲ ବିକାଶ ସମିତିର ଅଧ୍ୟକ୍ଷର ଦାୟିତ୍ୱ ଦିଆଯାଇଥିଲା । ୨୦୧୦ ମସିହାରେ ତାଙ୍କୁ ଭାଜପାର ରାଷ୍ଟ୍ରିୟ କାର୍ୟ୍ୟକାରିଣୀ ସଦସ୍ୟ କରାଯାଇଥିଲା । ବର୍ତ୍ତମାନ ସମୟରେ ସେ ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରିୟ ଉପାଧ୍ୟକ୍ଷ ଅଛନ୍ତି । ଏହାସହ ସହ ସେ ଶାଲିମାର ବାଗରୁ କାଉନସିଲର ବି ଥିଲେ । 

ରେଖା ଗୁପ୍ତା ୨୦୧୫ ଓ ୨୦୨୦ ବିଧାନସଭା  ନିର୍ବାଚନରେ ଶାଲିମାରବାଗ ସିଟରୁ ହାରିଥିଲେ । ୨୦୧୫ରେ ସେ ପାଖାପାଖି ୧୧ ହଜାର ଭୋଟରେ ବନ୍ଦନା କୁମାରୀଙ୍କଠାରୁ ହାରିଥିଲେ । ସେହିପରି ୨୦୨୦ରେ ସେ ମାତ୍ର ୩ ହଜାର ୪୪୦ ଭୋଟରେ ହାରିଥିଲେ । ହେଲେ ଏଥର ସେ ବନ୍ଦନା କୁମାରୀଙ୍କୁ ବହୁତ ବଡ ବ୍ୟବଧାନରେ ପରାଜିତ କରି ବିଧାୟିକା ହୋଇଥିଲେ । ଆଉ ଏବେ ମୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ରେଖା ଗୁପ୍ତା ହରିୟାଣାର ଜିନ୍ଦର ବାସିନ୍ଦା । ତାଙ୍କ ନିଜ ଗାଁ ଜିନ୍ଦର ନନ୍ଦଗଡରେ । ଏଠାରେ ତାଙ୍କର ଜେଜେ ଓ ପୂରା ପରିବାର ରହୁଥିଲେ । ରେଖାଙ୍କ ବାପା ଜୟ ଭଗବାନଙ୍କ ଚାକିରି ଦିଲ୍ଲୀରେ ହୋଇଯାଇଥିଲା । ତେଣୁ ତାଙ୍କର ପୂରା ପରିବାର ଦିଲ୍ଲୀରେ ରହୁଥିଲେ । ରେଖା ଗୁପ୍ତାଙ୍କ ସ୍କୁଲଠାରୁ ଗ୍ରାଜୁଏସନ ଯାଏଁ ପଢା ଦିଲ୍ଲୀରେ ହୋଇଥିଲା । ରେଖା ୧୯୯୮ ମସିହାରେ ମନୀଷ ଗୁପ୍ତାଙ୍କୁ ବିବାହ କରିଥିଲେ । ମନୀଷ ଦିଲ୍ଲୀରେ ସ୍ପେୟାର ପାର୍ଟସର ବିଜନେସ କରୁଛନ୍ତି ।