ନୂଆଦିଲ୍ଲୀ: ତହବୁର... ତହବୁର... ତହବୁର... ଗତ ୨ ଦିନ ହେଲା ଭାରତର ସବୁ ଗଣମାଧ୍ୟମରେ ଏହି ଗୋଟେ ନାଁକୁ ନେଇ ଚର୍ଚ୍ଚା ଆଲୋଚନା । ସମସ୍ତଙ୍କ ହେଡଲାଇନରେ ବି ତହବୁରର ଖବର । ତହବୁରକୁ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ବେଳେ ଆଉ କିଛି ସମୟ ପରେ ସେ ଭାରତରେ ପହଞ୍ଚିବ । ଆମେରିକାରୁ ସ୍ୱତନ୍ତ୍ର ବିମାନରେ ଏହି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀକୁ ଭାରତ ଅଣାଯାଉଛି । ତିହାର ଜେଲରେ ରଖି ତହବୁରକୁ ଅଧିକ ପଚରାଉଚରା କରି ତାଠୁ ଅନେକ କଥା ଆଦାୟ କରାଯିବାରୁ ଯୋଜନା ରହିଛି ଏବଂ ତାକୁ ଆଇନ ଅନୁସାରେ ଦଣ୍ଡ ମଧ୍ୟ ଦିଆଯିବାକୁ ରଣନୀତି ହେଉଛି ।
ତେବେ ଏହି ତହବୁର ଖାଲି ଆତଙ୍କବାଦୀ ନା ଆଉ କିଛି । ଜାଣନ୍ତୁ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ତହବୁର ସମ୍ପର୍କରେ କିଛି କଥା ।
ତହବୁର କିଏ ?
-୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ
-ପାକିସ୍ତାନରେ ବ୍ୟବସାୟ କରୁଥିଲା
-ଆତଙ୍କବାଦୀ ହେଡଲିକୁ ସହଯୋଗ କରିଥିଲା
-ହେଡଲିର ପିଲାଦିନର ସାଙ୍ଗ
-ଆକ୍ରମଣ ପାଇଁ ଦେଇଥିଲା ଆର୍ଥିକ ସହାୟତା
-୭ଟି ଭାଷାରେ କଥା ହୋଇପାରେ ତହବୁର
-୧୯୯୭ରେ ପାକିସ୍ତାନରୁ ଯାଇଥିଲା କାନାଡା
-ତହବୁରକୁ ମିଳିଛି କାନାଡାର ନାଗରିକତା
୧୬ ବର୍ଷ ପରେ ଭାରତ ଫେରୁଛି ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ । ଯାହା ଭାରତ ପାଇଁ ଏକ କୁଟନୈତିକ ବିଜୟ ହୋଇଥିବା ବେଳେ ଭାରତ ପହଞ୍ଚିବା ଆଗରୁ ବଡ ବୟାନ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଲେ, ତହବୁର ରାଣାର ପ୍ରତ୍ୟର୍ପଣ ମୋଦୀ ସରକାରଙ୍କ ପାଇଁ କୁଟନୀତିର ଏକ ବିରାଟ ବିଜୟ । ଜାତୀୟ ଗଣମାଧ୍ୟମର ଏକ ସାକ୍ଷାତକାରରେ ଶାହା କହିଛନ୍ତି, ଯେଉଁମାନେ ଭାରତ ଭୂମି, ଭାରତର ସମ୍ମାନ ଏବଂ ଭାରତର ନାଗରିକଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ସେମାନେ ଆମ ଆଇନର ପରିସରଭୁକ୍ତ ହେବା ଦରକାର । ଏହା ହିଁ ମୋଦୀ ସରକାରଙ୍କ ପ୍ରୟାସ । ଆଉ ତହବୁର ରାଣା ଭାରତ ଫେରିବା ମୋଦୀ ସରକାରଙ୍କ ପାଇଁ ଏକ ବଡ କୁଟନୈତିକ ବିଜୟ ।