ନୂଆଦିଲ୍ଲୀ : ଆଜକୁ ପ୍ରାୟ ପଚାଶ ବର୍ଷ ତଳେ ଭାରତୀୟ ଜନସଂଘ ମୁଖ୍ୟ ଦୀନଦୟାଲ ଉପାଧ୍ୟାୟଙ୍କର ଏକ ରହସ୍ୟମୟ ପରିସ୍ଥିତିରେ ପରଲୋକ ଘଟିଥିଲା। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, ସେ ସମ୍ପର୍କରେ ଅଦ୍ୟାବଧି କିଛି ବଳିଷ୍ଠ ଉତ୍ତର ମିଳିପାରିନାହିଁ। ଆଜି ସ୍ବର୍ଗତ ଉପାଧ୍ୟାୟଙ୍କ ୧୦୪ ତମ ଜନ୍ମଦିନ ଅବସରରେ ସେହି ଅସମାହିତ ପ୍ରଶ୍ନ ଦେଶବ୍ୟାପୀ ଅନେକ ଅନୁଗାମୀଙ୍କ ମନକୁ ପୁଣି ଆନ୍ଦୋଳିତ କରିଛି। ସୂଚନା ଥାଉ କି, ପରେ ବିଜେପିକୁ ରୂପାନ୍ତରିତ ହୋଇଥିବା ଭାରତୀୟ ଜନସଂଘର ତତ୍କାଳୀନ ସଭାପତି ଦୀନଦୟାଲଙ୍କର ମୃତଦେହ ୧୯୬୮ ଫେବ୍ରୁଆରି ୧୧ ତାରିଖରେ ଉତ୍ତରପ୍ରଦେଶର ବାରଣାସୀ ନିକଟ ମୁଗଲସରାଇ ରେଳଷ୍ଟେସନ ନିକଟରେ ଅତ୍ୟନ୍ତ ରହସ୍ୟଜନକ ଅବସ୍ଥାରେ ମିଳିଥିଲା। ତେବେ ୧୯୭୧ ମସିହାରେ ନୂଆଦିଲ୍ଲୀଠାରେ ସ୍ବର୍ଗତ ଉପାଧ୍ୟାୟଙ୍କର ୫୫ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କର ମୃତ୍ୟୁ କିପରି ରହସ୍ୟମୟ ହୋଇ ରହିଗଲା ବୋଲି ତାଙ୍କର ତିନି ଦଶନ୍ଧିର ଘନିଷ୍ଠ ସହଯୋଗୀ ନାନାଜୀ ଦେଶମୁଖ ଦୁଃଖପ୍ରକାଶ କରି କହିଥିଲେ। କେବଳ ତାଙ୍କୁ ହତ୍ୟା କରାଯାଇନାହିଁ, ତାଙ୍କ ହତ୍ୟାକାରୀକୁ ମଧ୍ୟ ଠାବ କରାଯାଇପାରିବନାହିଁ ବୋଲି ଦେଶମୁଖ କହିଥିଲେ। ‘ଦୀନଦୟାଲଜୀଙ୍କୁ କିଏ ଓ କାହିଁକି ମାରିଛି ବୋଲି ସିବିଆଇ କି ଚନ୍ଦ୍ରଚୂଡ଼ ତଦନ୍ତ କମିସନ କେହି ବି କିଛି କହିପାରିଲେନି। ଏଥିରୁ ସ୍ପଷ୍ଟ ଯେ ହତ୍ୟାକାରୀ ଓ ତାହାର ସହଯୋଗୀ ଧରାପଡ଼ିଗଲେ ରାଜନୈତିକ ସ୍ଥିତି ଖରାପ ହୋଇଯିବା ଆଶଙ୍କାରେ ସରକାର(ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ବାଧୀନ) କିଛି ପଦକ୍ଷେପ ନେଉନାହାନ୍ତି’ବୋଲି ସେତେବେଳେ ଦେଶମୁଖ କ୍ଷୋଭ ପ୍ରକାଶ କରି କହିଥିଲେ। ପ୍ରାୟ ପାଞ୍ଚ ଦଶନ୍ଧି ତଳେ ଅନ୍ତରଙ୍ଗ ବନ୍ଧୁ ଦେଶମୁଖଙ୍କ ଦୁଃଖଦ ଅଭିଭାଷଣରେ ଛପି ରହିଥିବା ସେହି ଅସମାହିତ ପ୍ରଶ୍ନର ଉତ୍ତରକୁ ଏବେ ବି ସ୍ବର୍ଗତ ଉପାଧ୍ୟାୟଙ୍କ ପ୍ରଶଂସକ ଓ ଅନୁଗାମୀମାନେ ଖୋଜି ଚାଲିଛନ୍ତି।
ପଚାଶ ବର୍ଷର ଅସମାହିତ ପ୍ରଶ୍ନ : ଦୀନଦୟାଲ୍ଙ୍କ ହତ୍ୟାକାରୀ କିଏ
/sambad/media/post_attachments/wp-content/uploads/2020/09/deendayal-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)