ତାଲିବାନର ସର୍ବୋଚ୍ଚ ନେତା କିଏ ?

କାବୁଲ :  ଆଫଗାନିସ୍ତାନକୁ ଅଧିକାର କରିବାକୁ ତାଲିବାନ ଦ୍ରୁତ ଗତିରେ ମାଡ଼ିଚାଲିଛି । ଇତି ମଧ୍ୟରେ ଏହି କଠୋରପନ୍ଥୀ ସଂଗଠନ ଆପଗାନିସ୍ତାନର ୧୧ଟି ରାଜ୍ୟର ରାଜଧାନୀକୁ ଅଧିକାର କରିସାରିଲାଣି । ଗତ କାଲି ଗଜନି, ହେରାତ ଓ ଆଜି ଲସ୍କରଗାକୁ ଅଧିକାର କରିନେବା ପରେ କାବୁଲ ଆଉ ବେଶୀ ଦୂର ନୁହେଁ ବୋଲି କୁହାଯାଉଛି ।

ତେବେ ତାଲିବାନର ନେତା କିଏ ?  ଅନ୍ତର୍ଜାତୀୟ ଗଣମାଧ୍ୟମ ଅଲ ଜଜିରା ମୁତାବକ ତାଲିବାନର ସର୍ବୋଚ୍ଚ ନେତା ହେଉଛି ହୈବାତୁଲ୍ଲା ଅଖୁନଜାଦା । ତାଲିବାନରେ ତାହାର ନିଷ୍ପତ୍ତି ଚୂଡ଼ାନ୍ତ ବୋଲି କୁହାଯାଏ । ଜଣେ ଇସ୍ଲାମୀୟ ବିଦ୍ବାନ ଭାବେ ପରିଚିତ ୬୦ ବର୍ଷୀୟ ଅଖୁନଜାଦା ଜଣେ କଠୋରପନ୍ଥୀ ମୌଳବାଦୀ ଭାବେ ମଧ୍ୟ ପରିଚିତ । ଆଫଗାନିସ୍ତାନକୁ ଏକ ଇସ୍ଲାମୀୟ ଦେଶରେ ପରିଣତ କରିବା ତାହାର ଲକ୍ଷ୍ୟ । ଅଖୁନଜାଦା ଗତ ୨୦୧୬ରେ ତାଲିବାନର ନେତୃତ୍ବ ସମ୍ଭାଳିଥିଲା । ସେହି ବର୍ଷ ତାଲିବାନର ନେତା ଅଖତର ମନସୁର ଆମେରିକୀୟ ଡ୍ରୋନ ଆକ୍ରମଣରେ ନିହତ ହେବା ପରେ ସେ ନେତୃତ୍ବ ସମ୍ଭାଳିଥିଲା । ଏବେ ଆଫଗାନିସ୍ତାନରେ ଚାଲିଥିବା ତାଲିବାନର ସାମରିକ ଅଭିଯାନ ପଛରେ ତାହାର ରଣକୌଶଳ ଥିବା କୁହାଯାଉଛି ।

୨୦୧୬ରେ ଆତ୍ମଗୋପନ କରିବା ପୂର୍ବରୁ ପ୍ରାୟ ୧୫ ବର୍ଷ ଧରି ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ ସହର କୁଚଲକର ଏକ ମସଜିଦରେ ସେ ପାଠ ପଢାଉଥିଲା ।

ତାଲିବାନର ଦ୍ବିତୀୟ ସର୍ବୋଚ୍ଚ ନେତା ହେଲା ମୁଲ୍ଲା ମହମ୍ମଦ ୟାକୁବ । ସେ ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରର ପୁଅ । ସେ ତାଲିବାନର ମିଲିଟାରୀ ଅପରେସନ ସମ୍ଭାଳିଥାଏ ।

 

ସମ୍ବନ୍ଧିତ ଖବର