ମୁମ୍ବାଇ:ମହାରାଷ୍ଟ୍ରର ଔରଙ୍ଗଜେବଙ୍କ କବରକୁ ନେଇ ନାଗପୁରର ମହଲ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି । ଏହି ସମୟରେ ଦୁର୍ବୃତ୍ତମାନେ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ପୋଲିସ୍ ଉପରକୁ ପଥର ମାଡ଼ କରିବା ସହ ସରକାରୀ ସମ୍ପତ୍ତିକୁ ନଷ୍ଟ କରିଥିଲେ । ପଥର ମାଡ଼ରେ ଡିସିପିଙ୍କ ସମେତ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କର୍ତ୍ତୃପକ୍ଷ କର୍ଫ୍ୟୁ ଲାଗୁ କରିବା ସହ ହିଂସାପ୍ରବଣ ଅଞ୍ଚଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରିଛନ୍ତି ।
ଏହି ଘଟଣାରେ ପୋଲିସ ୪୦ ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖିଛି । କେନ୍ଦ୍ରୀୟ ନାଗପୁରର ଚିଟ୍ନିସ୍ ପାର୍କ ଅଞ୍ଚଳରେ ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏହି ହିଂସାକାଣ୍ଡ ଘଟିଥିଲା ଏବଂ ପୋଲିସ ଉପରକୁ ପଥର ମାଡ଼ କରାଯାଇଥିଲା । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଔରଙ୍ଗଜେବଙ୍କ ସମାଧି ହଟାଇବା ପାଇଁ ଭିଏଚ୍ପି-ବଜରଙ୍ଗ ଦଳ ପକ୍ଷରୁ ଆନ୍ଦୋଳନ ଚାଲିଥିବା ବେଳେ ମୁସଲମାନ ସମ୍ପ୍ରଦାୟର ପବିତ୍ର ପୁସ୍ତକ ପୋଡ଼ି ଦିଆଯାଇଥିଲା ବୋଲି ଗୁଜବ ପ୍ରଚାର ହୋଇଥିଲା । ତେବେ ବଜରଙ୍ଗ ଦଳ ଏହି ଅଭିଯୋଗକୁ ଖଣ୍ଡନ କରି କହିଛି, ବିକ୍ଷୋଭକାରୀମାନେ ଔରଙ୍ଗଜେବଙ୍କ ପ୍ରତିମୂର୍ତ୍ତି ଜାଳିଥିଲେ । ଏହି ହିଂସାକାଣ୍ଡରେ ଡିସିପିଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଦୁର୍ବୃତ୍ତମାନେ ଡିସିପି ନିକେତନଙ୍କୁ କୁରାଢିରେ ଆକ୍ରମଣ କରିଥିଲେ ।
କ'ଣ ଥିଲା ପୂରା ଘଟଣା ?
ସାମାନ୍ୟ ଗୁଜବରୁ ନାଗପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ନାଗପୁର ପୋଲିସ କମିଶନର ଡକ୍ଟର ରବୀନ୍ଦ୍ର ସିଂଘଲ କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣରେ ଅଛି, ଆମେ ଏତଲା ଦାୟର କରିଛୁ ,ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଘଟଣା ଘଟିଛି। ଘଟଣାରେ ପୋଲିସ ୪୦ ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖିଛି, ସମଗ୍ର ଅଞ୍ଚଳରେ ଧାରା ୧୬୩ ଲାଗୁ କରାଯାଇଛି ।
ସେପଟେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନାଗପୁରରେ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ନାଗପୁରର ମହଲ ଅଞ୍ଚଳରେ ଯେଉଁଭଳି ପରିସ୍ଥିତି ଉପୁଜିଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଫଡନାଭିସ୍ କହିଛନ୍ତି । କିଛି ଲୋକ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ, ମୁଁ ପରିସ୍ଥିତି ଉପରେ ନଜର ରଖିଛି କହିବା ସହିତ ଯଦି କେହି ଦଙ୍ଗା କରନ୍ତି, ପୋଲିସ ଉପରକୁ ପଥର ଫିଙ୍ଗିଥାନ୍ତି । ତେବେ ଏଭଳି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।