ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କିଏ?

ଇସଲାମାବାଦ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନଭାଇ ଶାହବାଜ ସରିଫ (୭୦) ୨୦୧୮ରୁ ପାକିସ୍ତାନ ଜାତୀୟ ଆସେମ୍‌ବ୍ଲିରେ ବିରୋଧୀ ଦଳ ନେତା ରହିଛନ୍ତି ଏବଂ ଆଜି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଇବାରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଶାହବାଜ ଏବେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମ୍‌ଏଲ୍‌-ଏନ୍)ର ମୁଖ୍ୟ ଅଛନ୍ତି। ଶାହବାଜ ହେଉଛନ୍ତି ମୂଳତଃ ବୃତ୍ତିରେ ଜଣେ ବ୍ୟବସାୟୀ। ୧୯୮୮ ସାଧାରଣ ନିର୍ବାଚନରେ ପଞ୍ଜାବ ପ୍ରାଦେଶିକ ଆସେମ୍ଲିକୁ ନିର୍ବାଚିତ ହେବା ପରଠାରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଛି। ୧୯୯୦ରେ ସେ ପାକିସ୍ତାନ ଜାତୀୟ ଆସେମ୍‌ବ୍ଲିକୁ ନିର୍ବାଚିତ ହୋଇଥିଲେ। ତେବେ ୧୯୯୩ରେ ଜାତୀୟ ଆସେମ୍ଲିକୁ ଭଙ୍ଗ କରାଯିବାରୁ ଅବଧି ପୂରିବା ପୂର୍ବରୁ ସେ ସାଂସଦ ପଦ ହରାଇଥିଲେ।

ଶାହବାଜ ୧୯୯୭ରେ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୯ରେ ସାମରିକ ବିଦ୍ରୋହ ଦ୍ବାରା ସରକାରକୁ ଭାଙ୍ଗିଦିଆଯିବାରୁ ଶାହବାଜ ଓ ତାଙ୍କ ପରିବାର ଦେଶ ଛାଡ଼ି ସାଉଦି ଆରବରେ ଆତ୍ମନିର୍ବାସନରେ ରହିଲେ ଏବଂ ପରିସ୍ଥିତି ସୁଧୁରିବା ପରେ ୨୦୦୭ରେ ଦେଶକୁ ଫେରିଲେ। ୨୦୦୮ରେ ପିଏମ୍‌ଏଲ୍‌-ଏନ୍‌ର ବିଜୟ ପରେ ସେ ପୁଣି ଦ୍ବିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କ ଭାଇ ନୱାଜ ସରିଫଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଶାହବାଜ ହେଲେ ପିଏମ୍‌ଏଲ୍‌-ଏନ୍‌ର ଅଧ୍ୟକ୍ଷ। ୨୦୧୩ରେ ସେ ପୁଣି ପଞ୍ଜାବର ମୁଖ୍ୟମନ୍ତ୍ରୀ ହେଲେ। ଦଳ ୨୦୧୮ରେ ହାରିବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିଲେ। ୨୦୧୮ରେ ଇମ୍ରାନ୍‌ ଖାନ୍ ସହଯୋଗୀ ଦଳଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ହେଲେ। ସେତେବେଳେ ଜାତୀୟ ଆସେମ୍ଲିର ୧୧୧ ସଦସ୍ୟଙ୍କ ସମର୍ଥନରେ ଶାହବାଜ ବିରୋଧୀ ଦଳ ନେତା ମାନ୍ୟତା ପାଇଲେ। ସେବେଠାରୁ ସେ ଏହି ପଦରେ ରହିଆସିଛନ୍ତି।

ସମ୍ବନ୍ଧିତ ଖବର