ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଖୋଲା ଚ୍ୟାଲେଞ୍ଜ୍ କରିବାକୁ ସ୍ଥିର କରିଛନ୍ତି ୪୮ ବର୍ଷ ବୟସ୍କା ମହିଳା ୟୁଲିଆ ନାଭେଲନାୟା। ପୁଟିନଙ୍କର ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚିତ ଆଲେକ୍ସି ନାଭାଲନିଙ୍କ ପତ୍ନୀ ହେଉଛନ୍ତି ୟୁଲିଆ। ୟୁଲିଆ କହିଛନ୍ତି ଯେ ସେ ରାଷ୍ଟ୍ରପତି ନିର୍ବାଚନରେ ପୁଟିନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ରୁଷିଆରେ କ୍ଷମତାକୁ ଫେରିବେ।

Advertisment

ୟୁଲିଆ ଏକ ସାକ୍ଷାତକାରରେ କହିଛନ୍ତି ଯେ ପୁଟିନଙ୍କୁ କ୍ଷମତାକୁ ଯଥାଶୀଘ୍ର ହଟାଇବା ପାଇଁ ମୁଁ ସବୁକିଛି କରିବି। ତାଙ୍କର ପ୍ରତ୍ୟାବର୍ତ୍ତନ ଏବଂ ପ୍ରାର୍ଥୀତା ରାଜନୈତିକ ପରିବେଶ ଉପରେ ନିର୍ଭର କରିବ ବୋଲି ୟୁଲିଆ ସୂଚିତ କରିଛନ୍ତି। ଏ ବାବଦରେ ସେ କହିଛନ୍ତି ଯେ ଠିକ୍ ସମୟରେ ମୁଁ ପ୍ରାର୍ଥୀ ଭାବରେ ନିର୍ବାଚନରେ ​​ଭାଗ ନେବି।

ରୁଷିଆର ମୁଖ୍ୟ ବିରୋଧୀଦଳ ନେତା ଆଲେକ୍ସି ନାଭାଲନିଙ୍କ ପତ୍ନୀ ୟୁଲିଆ ନାଭାଲନାୟାଙ୍କ ଏଭଳି ମନ୍ତବ୍ୟ ନେଇ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଜେଲରେ ଦଣ୍ଡ ଭୋଗୁଥିବା ନାଭାଲନିଙ୍କର ଚଳିତ ବର୍ଷ ଫେବୃଆରୀରେ ଦେହାନ୍ତ ହୋଇଛି। ପୁଟିନଙ୍କ ଜଣେ ପ୍ରତିଦ୍ୱନ୍ଦ୍ୱୀ ବିବେଚିତ ନାଭାଲନି ମଧ୍ୟ ପୁଟିନଙ୍କ ବିରୋଧରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।  ତେବେ ସେ  ଜିତିପାରି ନ ଥିଲେ।

ଏହା ସତ୍ତ୍ବେ ସେ ପୁଟିନଙ୍କ ପାଇଁ ଏକ ବଡ ବିପଦ ହୋଇ ରହିଥିଲେ। କାରଣ ରୁଷିଆର ନାଗରିକମାନେ ନାଭାଲନିଙ୍କୁ ବିରୋଧର ଏକ ଦୃଢ଼ ସ୍ୱର ଭାବରେ ବିବେଚନା କରୁଥିଲେ।

ସ୍ୱାମୀଙ୍କ ଅସମାପ୍ତ କାର୍ଯ୍ୟ ସମାପ୍ତ କରିବାକୁ ଇଚ୍ଛା କରି ୟୁଲିଆ ସ୍ପଷ୍ଟ କରିଛନ୍ତି ଯେ ପୁଟିନ କ୍ଷମତାରେ ଥିବା ପର୍ଯ୍ୟନ୍ତ ସେ ଦେଶକୁ ଫେରିବେ ନାହିଁ। ପୁଟିନ ତାଙ୍କ ସ୍ୱାମୀ ନାଭାଲିନଙ୍କୁ ହତ୍ୟା ପାଇଁ ଆଦେଶ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଯଦିଓ କ୍ରେମଲିନ୍ ଏହି ଦାବିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି ତେବେ ୟୁଲିଆ ଏହା ଉପରେ ଜୋର୍ ଦେଉଛନ୍ତି।

ରୁଷିଆରେ ପୁଟିନଙ୍କୁ ଚ୍ୟାଲେଞ୍ଜ୍ କରୁଥିବା ଶତ୍ରୁମାନଙ୍କ ମୃତ୍ୟୁ ଅନେକ ସମୟରେ ବିବାଦୀୟ ହୋଇପଡିଛି। ନାଭାଲନିଙ୍କ ମୃତ୍ୟୁ ମଧ୍ୟ ଏହି ବିବାଦ ମଧ୍ୟରୁ ଅନ୍ୟତମ। ଆଲେକ୍ସି ନାଭାଲିନ ୪ ଜୁନ୍ ୧୯୭୬ରେ ମସ୍କୋର ପଶ୍ଚିମରେ ଥିବା ଏକ ଗାଁରେ ଜନ୍ମଗ୍ରହଣ କରିଥିଲେ।  ରୁଷିଆରେ ଦୁର୍ନୀତି ବିରୋଧରେ ପ୍ରଚାର କରୁଥିବା ସେ ମୁଖ୍ୟ ବିରୋଧୀ ଚେହେରା ଥିଲେ।

ଅଗଷ୍ଟ ୨୦୨୦ରେ, ନାଭାଲନିଙ୍କୁ ସାଇବରିଆରେ ନୋଭିଚୋକ ନର୍ଭ ଏଜେଣ୍ଟ ନାମକ ଏକ ଜହର ଦିଆଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ସେ ଏହି ଆକ୍ରମଣରୁ ବଞ୍ଚିବାରେ ସଫଳ ହୋଇଥିଲେ। ଏହି ସମୟ ମଧ୍ୟରେ ନାଭାଲନିଙ୍କୁ ଚିକିତ୍ସା ପାଇଁ ଜର୍ମାନୀ ନିଆଯାଇଥିଲା। ଯେଉଁଠାରୁ ସେ ଜାନୁଆରୀ ୨୦୨୧ରେ ରୁଷିଆକୁ ଫେରିଥିଲେ।

ରୁଷିଆକୁ ଫେରିବା ମାତ୍ରେ ନାଭାଲନିଙ୍କୁ ଗିରଫ କରାଯାଇଥିଲା ଏବଂ ଏକ ମାମଲାରେ ତାଙ୍କୁ ୧୯ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଜେଲରେ ଥିବାବେଳେ ୧୬ ଫେବୃଆରୀ ୨୦୨୪ରେ ନାଭାଲନିଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା। ଏହାପରେ ସେ ମୃତ୍ୟୁ ବରଣ କରିଥିଲେ। ଜେଲ ଅଧିକାରୀମାନେ କହିଥିଲେ ଯେ କିଛି ସମୟ ଚାଲିବା ପରେ ନାଭାଲନି ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ ଏବଂ ପୁନର୍ବାର ତାଙ୍କର ଚେତନା ଫେରି ନ ଥିଲା। ଯଦିଓ ନାଭାଲନିଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ, କିନ୍ତୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।

ନାଭାଲନିଙ୍କ ମୃତ୍ୟୁ ଯୋଗୁ ରୁଷିଆର ବିରୋଧୀ ଆନ୍ଦୋଳନରେ ଏକ ଶୂନ୍ୟସ୍ଥାନ ଅନୁଭୂତ ହୋଇଥିଲା। ବିଚ୍ଛିନ୍ନ ହୋଇପଡ଼ିଥିବା ବିରୋଧୀ ଦଳର ନେତାମାନଙ୍କୁ ଏକତ୍ର କରିବାକୁ ଏପର୍ଯ୍ୟନ୍ତ କେହି ଆଗକୁ ଆସିନାହାନ୍ତି। କିନ୍ତୁ ନାଭାଲନିଙ୍କ ପତ୍ନୀ ୟୁଲିଆ ବର୍ତ୍ତମାନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କ୍ଷମତାକୁ ଚ୍ୟାଲେଞ୍ଜ୍ କରିବେ ବୋଲି ସୂଚିତ କରିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ପୁଟିନ ତାଙ୍କର ୭୨ତମ ଜନ୍ମଦିନ ପାଳନ କରିଥିଲେ ଏବଂ ୧୯୯୯ ପରଠାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ରୁଷିଆ ରାଜନୀତିର ଏକ ପ୍ରମୁଖ କେନ୍ଦ୍ର ହୋଇ ରହିଆସିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ସେ ନିର୍ବାଚନରେ ​​ଜିତିବା ପରେ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଥିଲେ।

ଫେବୃଆରୀ ୨୦୨୨ରୁ ଚାଲିଥିବା ଯୁଦ୍ଧ ସତ୍ତ୍ବେ ସେ ୮୭ ପ୍ରତିଶତ ଭୋଟ୍ ପାଇଥିଲେ। ଏଭଳି ପରିସ୍ଥିତିରେ ରୁଷିଆରୁ ଦୂରେଇ ରହି ୟୁଲିଆ ନାଭାଲନାୟା କିପରି ବିରୋଧୀଙ୍କୁ ଏକତ୍ର କରି ପୁଟିନଙ୍କ ଶକ୍ତିକୁ ଚ୍ୟାଲେଞ୍ଜ କରିବେ ସେନେଇ ଦେଶ ତଥା ବିଦେଶରେ ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ:

ପାକିସ୍ତାନ-ଚୀନ୍ -ଇରାନର କ୍ଷେପଣାସ୍ତ୍ର ଡ୍ରୋନ୍ କାର୍ଯ୍ୟକ୍ରମ ଉପରେ ଆମେରିକାର କଟକଣା: ୨୬ କମ୍ପାନି କଳା ତାଲିକାଭୁକ୍ତ

ରୁଷିଆ-ୟୁକ୍ରେନ ଯୁଦ୍ଧ: ଲଢ଼ିବାକୁ ଯାଇଥିବା କିମ୍‌ଙ୍କ ସୈନ୍ୟ ଭୟରେ ସୀମାରୁ ଦୌଡ଼ିଲେ