ୱାସିଂଟନ: ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ଗଲ୍ଫ କୋର୍ସରେ ତାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଏଫ୍‌ବିଆଇ ୫୮ ବର୍ଷୀୟ ଡେମୋକ୍ରାଟ୍ ସମର୍ଥକ ରିୟାନ୍ ୱେସ୍ଲି ରାଉଥଙ୍କୁ ରବିବାର ଗିରଫ କରିଛି। ଏହା ପୂର୍ବରୁ ଏକ ସାକ୍ଷାତ୍‌କାରରେ ରାଉଥ ନିଜକୁ ୟୁକ୍ରେନର ଜଣେ ଦୃଢ଼ ସମର୍ଥକ ବୋଲି ଦାବି କରିଥିଲେ।

Advertisment

ଘଟଣାସ୍ଥଳରୁ କର୍ତ୍ତୃପକ୍ଷ ଏକେ-୪୭ ଶୈଳୀର ଆସଲ୍ଟ ରାଇଫଲ, ଗୋଟିଏ ସ୍କୋପ୍ (ଦୂରରୁ ଦେଖିବା ଯନ୍ତ୍ର), ଦୁଇଟି ବ୍ୟାଗ୍ ଓ ଗୋଟିଏ ଗୋପ୍ରୋ ଡିଭାଇସ୍ (କ୍ୟାମେରା) ଜବତ କରିଛନ୍ତି ବୋଲି ପାମ୍ ବିଚ୍ କାଉଣ୍ଟି ଶେରିଫ୍ ରିକ୍ ବ୍ରାଡ୍ ସା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଘଟଣା ସମୟରେ ବନ୍ଧୁକଧାରୀ ଟ୍ରମ୍ପଙ୍କଠାରୁ ପ୍ରାୟ ୩୦୦ରୁ ୫୦୦ ଗଜ ଦୂରରେ ଥିଲା। ପେନ୍ସିଲଭାନିଆର ବଟଲରରେ ଏକ ହତ୍ୟା ଉଦ୍ୟମର ମାତ୍ର ଦୁଇ ମାସ ପରେ ଏହି ଘଟଣା ଘଟିଥିଲା। ଅପରାଧିକ ରେକର୍ଡ ଥିବା ଉତ୍ତର କାରୋଲିନା ବାସିନ୍ଦା ରାଉଥ ରାଜନୀତିକୁ ନେଇ ସ୍ୱର ଉତ୍ତୋଳନ କରି ଆସୁଛନ୍ତି ଏବଂ ୨୦୧୯ରୁ ୟୁକ୍ରେନ ଓ ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କୁ ଲଗାତାର ସମର୍ଥନ କରୁଛନ୍ତି। ଏହା ପୂର୍ବରୁ ଏକ ସାକ୍ଷାତ୍‌କାରରେ ରାଉଥ ଦାବି କରିଥିଲେ ଯେ ସେ ପ୍ରଥମେ ୟୁକ୍ରେନବାସୀଙ୍କୁ ସମର୍ଥନ କରିବା ପାଇଁ ରୁଷ୍ ବିରୋଧରେ ଲଢ଼ିବା ଲାଗି ୟୁକ୍ରେନ ଯାଇଥିଲେ।

କିବ୍‌ରେ ପହଞ୍ଚିବା ପରେ ସେ ରୁଷ୍-ୟୁକ୍ରେନ ଯୁଦ୍ଧରେ ଭାଗ ନେବା ପାଇଁ ଲୋକଙ୍କୁ ନିଯୁକ୍ତି ଦେବାରେ ସାହାଯ୍ୟ କରିଥିଲେ। ଗତ ବର୍ଷ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ରାଉଥ ଦାବି କରିଥିଲେ ଯେ ସେ ତାଲିବାନ କବଳରୁ ପଳାଇ ଆସିଥିବା ଆଫଗାନ ସୈନିକମାନଙ୍କୁ ନିଯୁକ୍ତି ଦେବାକୁ ଚାହୁଛନ୍ତି, ଯେଉଁମାନେ ରୁଷ୍ ବିରୋଧରେ ୟୁକ୍ରେନ୍ ଯୁଦ୍ଧରେ ଲଢ଼ିପାରିବେ। ସେ ଉତ୍ତର କାରୋଲିନା କୃଷି ଓ ବୈଷୟିକ ରାଜ୍ୟ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ ଏବଂ ପରେ ୨୦୧୮ରେ ହାୱାଇକୁ ସ୍ଥାନାନ୍ତରିତ ହୋଇଥିଲେ। ୫୮ ବର୍ଷୀୟ ରାଉଥ ପୂର୍ବରୁ ଚଳିତ ନିର୍ବାଚନରେ ଉଭୟ ବିବେକ ରାମସ୍ୱାମୀ ଓ ନିକି ହାଲିଙ୍କ ସମର୍ଥକ ଥିଲେ। ଏପ୍ରିଲ ୨୨ତାରିଖରୁ ଏକ୍ସରେ ଏକ ପୋଷ୍ଟରେ ସେ ଟ୍ରମ୍ପଙ୍କୁ ସମାଲୋଚନା କରିଥିଲେ। ଡୋନାଲ୍ଡ ଟ୍ରମ୍ପ ଜଣେ ମାଲିକଙ୍କ ଅଧୀନରେ ଆମେରିକୀୟମାନଙ୍କୁ ଗୋଲାମ କରିବାକୁ ଚାହୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ରିୟାନଙ୍କ ପୁଅ ଓରାନ ରାଉଥ ତାଙ୍କ ବାପାଙ୍କୁ ଜଣେ ସ୍ନେହୀ, ଯତ୍ନଶୀଳ ଓ ପରିଶ୍ରମୀ ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି।