ନୂଆଦିଲ୍ଲୀ: ପାକିସ୍ତାନରେ ରହୁଥିବା ଆତଙ୍କବାଦୀମାନଙ୍କ ନିଦ ଏବେ ଉଡିଯାଇଛି | ଭାରତର ଶତ୍ରୁ ଭାବେ ପରିଚିତ କିଛି ଆତଙ୍କବାଦୀଙ୍କୁ ହତ୍ୟା କରାଯାଉଛି | ତେବେ କିଏ ସେ ଅଜଣା ବ୍ୟକ୍ତି? ପାକିସ୍ତାନରେ ରହି ଭାରତର ଶତୃମାନଙ୍କୁ କିଏ କରୁଛି ନିପାତ? ପାକିସ୍ତାନରେ ଖୁଲମଖୁଲା ବୁଲୁଥିବା ଆତଙ୍କବାଦୀମାନଙ୍କୁ କିଏ ହତ୍ୟା କରୁଛି? ଏବେ ଏମିତି କିଛି ପ୍ରଶ୍ନ ଦୁଇ ଦେଶ ମଧ୍ୟରେ ଉଙ୍କି ମାରୁଛି | ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଉଛି। ଗତ ମାସରେ ସିଆଲକୋଟରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ସାହିଦ ଲତିଫକୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ପାକିସ୍ତାନର ବାଜୋରରେ ଲଶ୍କର-ଏ-ତୋଇବା କମାଣ୍ଡର ଆକରମ ଖାନ ଓରଫ ଆକରମ ଗାଜିଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ଆକରମ ଖାନ ମୁଖ୍ୟତଃ ଆତଙ୍କବାଦୀଙ୍କୁ କାଶ୍ମୀରରେ ଅନୁପ୍ରବେଶ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାବେଳେ ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଲଶ୍କର ନିଯୁକ୍ତି ସେଲର ମୁଖ୍ୟ ଥିଲା । ଗାଜିର ହତ୍ୟା ଘଟଣାର ପାକିସ୍ତାନ ଏଜେନ୍ସି ଅନୁସନ୍ଧାନ କରୁଛି। ରିପୋର୍ଟ ଅନୁଯାୟୀ ଗୁରୁବାର ଦିନ ପାକିସ୍ତାନର ବାଜୋରରେ ଆକରମ ଗାଜିକୁ ଆକ୍ରମଣ କରାଯାଇଥିଲା। କିଛି ଅଜ୍ଞାତ ଆକ୍ରମଣକାରୀ ଗାଜା ଉପରେ ଅନେକ ଥର ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ଆକରମକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ।
ଉଲ୍ଲେଖ ଥାଉ କି କିଛିଦିନ ହେବ ପାକିସ୍ତାନରେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ଅଜଣା ବ୍ୟକ୍ତିମାନେ ହତ୍ୟା କରୁଛନ୍ତି | ହତ୍ୟା ପରେ ଏହି ବ୍ୟକ୍ତିମାନେ କୌଣସି ସୁରାକ ଛାଡ଼ୁନାହାନ୍ତି | ଆକରମ ପୂର୍ବରୁ ପଠାନକୋଟ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ୍ ତଥା ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଶାହିଦ ଲତିଫ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦର ନିକଟତମ ବିବେଚିତ ହୋଇଥିବା ମୁଫତି କାଇସର ଫାରୁକକୁ ହତ୍ୟା କରାଯାଇଥିଲା |