ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଏଥର ମିଳିବ କି ନୋବେଲ ଶାନ୍ତି ପୁରସ୍କାର!

ନୂଆଦିଲ୍ଲୀ: ଶାନ୍ତି ପ୍ରତିଷ୍ଠାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବର୍ଷ ଦିଆଯାଉଥିବା ନୋବେଲ ପୁରସ୍କାର ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ତେବେ କେଉଁ ବ୍ୟକ୍ତି କିମ୍ବା ସଙ୍ଗଠନକୁ ଏହି ସମ୍ମାନ ପ୍ରଦାନ କରାଯିବ ତାହା ନୋବେଲ କମିଟି ଏପର୍ଯ୍ୟନ୍ତ ଜଣାଇନାହିଁ | ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ପାଇଁ ଅନେକ ନାମାଙ୍କନ ଦାଖଲ ହୋଇଛି | ତେବେ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମାଙ୍କନ ଗୋଷ୍ଠୀରେ କରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ର ନାମ ମଧ୍ୟ ରହିଛି |

ଓସଲୋରେ ଥିବା ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ହେନ୍ରିକ୍ ଉର୍ଦାଲ କହିଛନ୍ତି ଯେ ଚଳିତ ବର୍ଷର ପୁରସ୍କାର ପାଇଁ ମହାମାରୀ ଏକ ଗୁରୁତ୍ୱପୂର୍ଣ୍ଣ ପୃଷ୍ଠଭୂମି ରହିପାରେ । ତେଣୁ ନୋବେଲ ଶାନ୍ତି ପୁରସ୍କାର ୨୦୨୧ ପାଇଁ ‘ହୁ’କୁ ଏହି ପୁରସ୍କାର ମିଳିପାରେ | କାରଣ ସାରା ବିଶ୍ୱରେ କରୋନା ମହାମାରୀଙ୍କୁ ମୁକାବିଲା କରିବା ପାଇଁ ବିଶ୍ୱାସ ସ୍ୱାସ୍ଥ୍ୟ ସଂଗଠନ ନିରବିଛିନ୍ନ ଭାବେ ଉଦ୍ୟମ କରିଛି | ସେହିପରି ‘ହୁ’ ବ୍ୟତୀତ ବେଲାଋଷର ନିର୍ବାସିତ ବିରୋଧୀଦଳ ନେତା ଶ୍ୱେତଲାନା ଟିଖୋନସ୍କାୟା ଏବଂ ଋଷର ବିରୋଧୀଦଳ ନେତା ଆଲେକ୍ସାଇ ନାଭାଲନି ମଧ୍ୟ ଅଛନ୍ତି। ଟିଖୋନସ୍କାୟା ୨୦୨୦ ରେ ବେଲାଋଷରେ ଏକ ଶାନ୍ତିପୂର୍ଣ୍ଣ ବିରୋଧର ନେତୃତ୍ୱ ନେଇଥିଲେ |

କାରାଗାରରେ ଥିବା ଋଷର ବିରୋଧୀଦଳର ନେତା ଆଲେକ୍ସାଇ ନାଭାଲନିଙ୍କୁ ମଧ୍ୟ ନୋବେଲ ପୁରସ୍କାର ମିଳିପାରେ | ଅକ୍ଟୋବର ୮ ରେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବ। ନୋବେଲ ପୁରସ୍କାର ଘୋଷଣା ଅକ୍ଟୋବର ୪ ତାରିଖରୁ ମେଡିସିନରୁ ଆରମ୍ଭ ହେବ। ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଅକ୍ଟୋବର ୫ରେ, ରସାୟନ ବିଜ୍ଞାନ ପାଇଁ ଅକ୍ଟୋବର ୬ ରେ, ଅକ୍ଟୋବର ୭ ରେ ସାହିତ୍ୟ ଏବଂ ଅକ୍ଟୋବର ୧୧ ରେ ଅର୍ଥନୀତି ପାଇଁ ପୁରସ୍କାର ଘୋଷଣା କରାଯିବ। ପ୍ରତିବର୍ଷ ଡିସେମ୍ବର ୧୦ରେ ଶାନ୍ତି ଏବଂ ଅନ୍ୟାନ୍ୟ ନୋବେଲ ପୁରସ୍କାର ଦିଆଯାଏ |

ସମ୍ବନ୍ଧିତ ଖବର