କେବେ କରୋନା ମହାମାରୀ ଶେଷ ହେବ ?  ଆନୁଷ୍ଠାନିକ ଘୋଷଣା ପାଇଁ ବିଚାର ବିମର୍ଷ ଆରମ୍ଭ କରିଦେଇଛି ‘ହୁ’

ନୂଆଦିଲ୍ଲୀ : କରୋନା ମହାମାରୀ କେବେ ଶେଷ ହେଲା ବୋଲି ଘୋଷଣା କରାଯିବ ? ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଚାର ବିମର୍ଷ ଆରମ୍ଭ କରିଦେଇଛନ୍ତି । ବିଶ୍ବରେ କରୋନା ମହାମାରୀର ସଂକ୍ରମଣ ସ୍ତର କେଉଁ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲେ ତାହାକୁ ମହାମାରୀ ଶେଷ ହେଲା ବୋଲି ଧରାଯିବ, ସେ ସମ୍ପର୍କରେ ଆଲୋଚନା ଚାଲିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କୋଭିଡ୍ ସଂପର୍କିତ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ବାସ୍ଥ୍ୟ ନିୟାମକ କମିଟିର ବିଶେଷଜ୍ଞମାନେ ବର୍ତ୍ତମାନ ସଂକ୍ରମଣର ସ୍ତର ଉପରେ ନଜର ରଖିଛନ୍ତି । ବିଶ୍ବର ଅନେକ ଦେଶରେ ସଂକ୍ରମଣ ହ୍ରାସ ପାଇଚାଲିଛି । ତେବେ ଚୀନରେ ଏବେ ସଂକ୍ରମଣ ପୁଣି ବୃଦ୍ଧି ପାଇଥିବା ଦେଖାଯାଉଛି । ସେହିପରି ଆମେରିକାରେ ସଂକ୍ରମଣ କମୁଥିଲେ ବି ତାହା ଚିନ୍ତାଜନକ ସ୍ତରରେ ରହିଛି । ଏସବୁ କଥାକୁ କମିଟି ବିଚାର କରୁଛି ।

ବିଶ୍ବରେ କରୋନା ମହାମାରୀ ଆରମ୍ଭ ହେବାର ଇତି ମଧ୍ୟରେ ଦୁଇ ବର୍ଷରୁ ଅଧିକ ବିତିଗଲାଣି । କୋଭିଡ୍ ସଂକ୍ରମଣ ୨୦୧୯ ଡିସେମ୍ବର ସୁଦ୍ଧା ଚୀନରେ ଆରମ୍ଭ ହୋଇଯାଇଥିଲେ ବି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଜାନୁଆରି ୩୦, ୨୦୨୦ରେ ଏହାକୁ ମହାମାରୀ ବା ପାଣ୍ଡେମିକ୍ ଘୋଷଣା କରିଥିଲା । ଏବେ ସଂକ୍ରମଣ ଅନେକ ହ୍ରାସ ପାଇଥିବାରୁ ପାଣ୍ଡେମିକକୁ ପ୍ରତ୍ୟାହାର କରି ଏଣ୍ଡେମିକ୍ ଘୋଷଣା କରାଯିବାକୁ ବିଚାର କରାଯାଉଛି । ଏଣ୍ଡେମିକର ଅର୍ଥ ହେଉଛି କରୋନା ଅଳ୍ପ କିଛି ଅଂଚଳରେ ସୀମିତ ରହିବା ।

ସମ୍ବନ୍ଧିତ ଖବର