ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଂସ୍କାର ଜରୁରୀ ହୋଇପଡ଼ିଛି : ମୋଦୀ

ନୂଆଦିଲ୍ଲୀ : ବିଶ୍ବର ସ୍ବାସ୍ଥ୍ୟ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ସଂସ୍କାର ଆଣିବା ଜରୁରୀ ହୋଇପଡ଼ିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ୨ୟ ବିଶ୍ବ କୋଭିଡ୍ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏକଥା କହିଛନ୍ତି ।

ସପ୍ଲାଏ ଚେନକୁ ସ୍ଥିର ରଖିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ଓ ଔଷଧର ଅନୁମୋଦନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ସେ ଆହ୍ବାନ ଜଣାଇଛନ୍ତି । ଭବିଷ୍ୟତର ମହାମାରୀର ମୁକାବିଲା ପାଇଁ ସବୁ ଦେଶଙ୍କ ମଧ୍ୟରେ ମିଳିତ ଉଦ୍ୟମ ହେବା ଆବଶ୍ୟକ । ସବୁ ଦେଶଙ୍କ ମଧ୍ୟରେ ଟିକା ଓ ଔଷଧର ସମାନ ବଣ୍ଟନ ପାଇଁ ଆମକୁ ଏକ ସୁଦୃଢ ଅନ୍ତର୍ଜାତୀୟ ସପ୍ଲାଏ ଚେନ ଗଠନ କରିବାକୁ ପଡ଼ିବ । ଏସବୁ ଉଦ୍ୟମରେ ଏକ ଦାୟିତ୍ବବାନ ଦେଶଭାବେ ଭାରତ ନିଜର ଦାୟିତ୍ବ ନିର୍ବାହ କରିବାକୁ ପ୍ରସ୍ତୁତ ବୋଲି ମୋଦୀ କହିଛନ୍ତି ।

କୋଭିଡ ମହାମାରୀର ମୁକାବିଲା ପାଇଁ ଭାରତ ଏକ ଜନ-କୈନ୍ଦ୍ରୀକ ଆଭିମୁଖ୍ୟ ଗ୍ରହଣ କରିଥିଲା । ସ୍ବାସ୍ଥ୍ୟ ସେବା ପାଇଁ ବଜେଟରେ ସର୍ବାଧିକ ଅର୍ଥ ମଂଜୁର କରାଯାଇଥିଲା ।

ଅନ୍ୟପକ୍ଷରେ ମୋଦୀ କହିଛନ୍ତି ବୌଦ୍ଧିକ ସମ୍ପଦ କ୍ଷେତ୍ରରେ ବିଶ୍ବ ବାଣିଜ୍ୟ ସଂଗଠନର ନିୟମଗୁଡ଼ିକ ଆହୁରି ନମନୀୟ ଓ ଉଦାର ହେବା ଆବଶ୍ୟକ ।

 

ସମ୍ବନ୍ଧିତ ଖବର