ମୁମ୍ବାଇ: ମହାରାଷ୍ଟ୍ରରେ ଏକ କାର୍ଯ୍ୟକ୍ରମରେ ବିରୋଧୀଦଳଙ୍କଠାରୁ ପ୍ରଧାନମନ୍ତ୍ରୀ ପଦ ଅଫର ପ୍ରଦାନ କରାଯାଇଥିବା ନେଇ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ସୂଚନା ଦେଇଛନ୍ତି। ନୀତିନଙ୍କ ଏହି ମନ୍ତବ୍ୟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।  ଯଦିଓ ଗଡକରୀ କେଉଁ ବିରୋଧୀ ଦଳର ନେତା ତାଙ୍କୁ ଏହି ଅଫର ଦେଇଛନ୍ତି ତାହା ପ୍ରକାଶ କରିନାହାନ୍ତି।

Advertisment

କେନ୍ଦ୍ରମନ୍ତ୍ରୀଙ୍କ ଏହି ସୂଚନା ସ୍ପଷ୍ଟ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଦଳରେ ଅନ୍ୟ ବିଜେପି ନେତାଙ୍କୁ ସମର୍ଥନ କରିବାକୁ ବିରୋଧୀ ଦଳ  ପ୍ରସ୍ତୁତ ଅଛନ୍ତି। 

କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀଙ୍କ ଏହି ମନ୍ତବ୍ୟ ନେଇ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ କହିଛନ୍ତି ଯେ କେବଳ ବଳିଦାନ ଦ୍ୱାରା ସ୍ୱାଧୀନତା ରକ୍ଷା ପାଇବ ଏବଂ ଯଦି କୌଣସି ବିରୋଧୀ ଦଳର ନେତା ଏପରି ଅଫର ଦେଇଥିବେ, ତେବେ ସେଥିରେ କିଛି ଭୁଲ୍ ନାହିଁ ।

 ବାସ୍ତବରେ ଗଡକରୀ ରବିବାର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଲୋକସଭା ନିର୍ବାଚନ ସମୟରେ ଜଣେ ବିରୋଧୀଦଳ ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଅଫର କରିଥିଲେ, ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।

ଏହି ପ୍ରସଙ୍ଗରେ ଜବାବ ଦେଇ ସଞ୍ଜୟ ରାଉତ କହିଛନ୍ତି ଗଡକରୀ ବିଜେପିର ସର୍ବଭାରତୀୟସ୍ତରରେ ଜଣେ ଗ୍ରହଣୀୟ ନେତା ଏବଂ ମୁଁ ଭାବୁନାହିଁ ଯେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କୁ ଦଳ ଭଙ୍ଗାଗଢ଼ା ପାଇଁ କେହି କହିଥିବେ। କିନ୍ତୁ ଏହି ଦେଶରେ ଏକଛତ୍ରବାଦୀ ଶାସନ କିପରି ଚାଲିଛି ଏବଂ ଗତ ଦଶ ବର୍ଷ ଧରି ଚାଲିଆସୁଥିବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ସମସ୍ତଙ୍କୁ ଜଣା।  ଯେଉଁମାନେ ଗଣତନ୍ତ୍ରକୁ ଆଘାତ କରିଛନ୍ତି ସେମାନଙ୍କ ବିରୋଧରେ  ଗଡକରୀ ସ୍ୱର ଉତ୍ତୋଳନ କରିଛନ୍ତି।

ସଞ୍ଜୟ କହିଛନ୍ତି ଯେ ୧୯୭୭ ମସିହାରେ ଜଗଜୀବନ ରାମ ଏହି ମୂଲ୍ୟବୋଧ କାରଣରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ଏବଂ ଇନ୍ଦିରା ଗାନ୍ଧୀ ପରାସ୍ତ ହୋଇଥିଲେ। ଯଦି ଦେଶରେ ସ୍ୱାଧୀନତା, ଗଣତନ୍ତ୍ର ଏବଂ ନ୍ୟାୟପାଳିକା ବଜାୟ ରଖିବାକୁ ହେବ, ତେବେ କ୍ଷମତାରେ ଥିବା କିଛି ଲୋକଙ୍କୁ ବଳିଦାନ ଦେଇ ସ୍ୱାଧୀନତା ହାସଲ କରିବାକୁ ପଡ଼ିବ। 

ଗଡକରୀ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ମୁଁ କାହାର ନାମ ନେବାକୁ ଚାହେଁ ନାହିଁ, କିନ୍ତୁ ଜଣେ ବ୍ୟକ୍ତି ମୋତେ କହିଥିଲେ ଯେ ଯଦି ଆପଣ ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ ସମର୍ଥନ କରିବୁ।

ମୁଁ କହିଲି, ତୁମେ ମୋତେ କାହିଁକି ସମର୍ଥନ କରିବ ଏବଂ ମୁଁ ତୁମର ସମର୍ଥନ କାହିଁକି ନେବି? ମୋ ଜୀବନର ଲକ୍ଷ୍ୟ  ପ୍ରଧାନମନ୍ତ୍ରୀ ହେବା ନୁହେଁ। ମୁଁ ମୋର ଆଦର୍ଶ ଏବଂ ସଂଗଠନ ପ୍ରତି ନିଷ୍ଠାପର। ମୁଁ ଏଥିରେ କୌଣସି ପଦବୀ ହାସଲ କରିବା ଲାଗି ଆପୋଷ ବୁଝାମଣା କରିବି ନାହିଁ।

କାରଣ ମୋ ପାଇଁ ମୋର ପ୍ରତିବଦ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗଡକରୀ କହିଛନ୍ତି ଯେ ଏହି ପ୍ରତିବଦ୍ଧତା ହେଉଛି ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ ଶକ୍ତି।

ଅଧିକ ପଢ଼ନ୍ତୁ:ଦିଲ୍ଲୀବାସୀଙ୍କ ହାତରେ ଆପ୍‌ର ଭବିଷ୍ୟତ ସମର୍ପି ଦେଇ ଇସ୍ତଫା ଦେବେ କେଜ୍ରୱାଲ୍‌

ତେବେ କେଉଁ ବିରୋଧୀ ଦଳର ନେତା ତାଙ୍କୁ ଏହି ଅଫର ଦେଇଛନ୍ତି ସେ ବିଷୟରେ ଗଡକରୀ ସ୍ପଷ୍ଟ କରି ନାହାନ୍ତି।

ଅଧିକ ପଢ଼ନ୍ତୁ:କ୍ଷମତାକୁ ଆସିବାର ଘଣ୍ଟାକ ଭିତରେ ବନ୍ଦ୍‌ ହେବ ମଦ: ପ୍ରଶାନ୍ତ କିଶୋର