ବେଜିଂ : କରୋନା ଭୁତାଣୁର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ହୁବେଇ ରାଜ୍ୟର ଉହାନ ନଗରୀରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ତଦନ୍ତ ଜାରି ରଖିଛନ୍ତି । ଆଜି ସେମାନେ କରୋନା ଭୁତାଣୁ ବାହାରିଥିବା ସଂଦେହ କରାଯାଉଥିବା ଉହାନର ଏକ ଜୀବନଜନ୍ତୁ ବିକ୍ରି ହେଉଥିବା ବଜାର ‘ହୁଆନାନ ସିଫୁଡ ମାର୍କେଟ’ରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି । କରୋନା ବ୍ୟାପିବା ପରେ ଏହି ବଜାରକୁ ଗତ ବର୍ଷଠାରୁ ବନ୍ଦ କରାଯାଇଛି । ଏହି ବଜାରଛଡ଼ା ବିଶେଷଜ୍ଞ ଦଳ ଆଉ କେତେକ ଆମିଷ ବଜାର ବୁଲି ତଦନ୍ତ କରିଛନ୍ତି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏହି ତଦନ୍ତ ପ୍ରାୟ ୧ ବର୍ଷ ବିଳମ୍ବରେ ହେଉଥିବାରୁ କରୋନା ଉତ୍ପତ୍ତି ସଂପର୍କରେ ସେପରି କିଛି ବିଶେଷ ତଥ୍ୟପ୍ରମାଣ ମିଳିବାର ଆଶା କମ ବୋଲି ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ମନେ କରୁଛନ୍ତି । ଉହାନରେ ତଦନ୍ତ ପାଇଁ ଡବ୍ଲୁଏଚଓ ଚୀନ ନିକଟରେ ଗତ ବର୍ଷ ଦାବି କରିଥିଲେ ମଧ୍ୟ ଚୀନ ବହୁ ବିଳମ୍ବରେ ସେମାନଙ୍କୁ ଅନୁମତି ଦେଇଥିଲା ।
୨୦୧୯ରେ ଚୀନର ଏହି ଉହାନ ନଗରୀରେ ହିଁ ପ୍ରଥମ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା । ଏହାପରେ ଉହାନକୁ ପ୍ରାୟ ୭୬ ଦିନ ପାଇଁ ଲକଡାଉନ କରାଯାଇଥିଲା । ଗତବର୍ଷ ଏପ୍ରିଲ ୮ରେ ଲକଡାଉନ ଖୋଲିବା ପରେ ଉହାନ କରୋନାମୁକ୍ତ ବୋଲି ଚୀନ ସରକାର ଘୋଷଣା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/who-in-china.jpeg)