ଭୋପାଳ: କଫ୍ ସିରପ୍ ପାଇଁ ଅକାଳରେ ଅନେକ ଶିଶୁଙ୍କ ଜୀବନ ଚାଲିଯାଇଛି। ମଧ୍ୟପ୍ରଦେଶରେ କଫ୍ ସିରପ୍ ପିଇ ୨୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ଏଭଳି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ପିଲାମାନଙ୍କ ପାଇଁ ଏହି ମାରାତ୍ମକ କଫ୍ ସିରପ୍ ଲେଖୁଥିବା ଡାକ୍ତର ସ୍ବୀକାର କରିଛନ୍ତି ଯେ ସେ ପ୍ରତିଟି କଫ୍ ସିରପ୍ ବୋତଲରୁ ୧୦ ପ୍ରତିଶତ କମିସନ ପାଆନ୍ତି। କୋଲଡ୍ରିଫ୍ କଫ୍ ସିରପ୍ ବୋତଲର ଦାମ୍ ୨୪.୫୪ ଟଙ୍କା ଥିବାବେଳେ ସେ ପ୍ରତି ବୋତଲ ପିଛା ୨.୫୪ ଟଙ୍କା କମିସନ୍ ପାଆନ୍ତି। ମାତ୍ର ୨.୫୪ ଟଙ୍କା ପାଇଁ ନିରୀହ ଏବଂ ନିଷ୍ପାପ ଶିଶୁମାନଙ୍କ ଜୀବନକୁ ନେଇ ଖେଳ ଖେଳିଥିବା ଏହି ଡାକ୍ତର ପ୍ରବୀଣ ସୋନିଙ୍କୁ ଆଜି ମଧ୍ୟପ୍ରଦେଶ ଜିଲ୍ଲା କୋର୍ଟ ଜାମିନ ଦେବା ପାଇଁ ମନା କରିଦେଇଛନ୍ତି।
କଫ୍ ସିରପ୍ ମୃତ୍ୟୁ ମାମଲା, ମଧ୍ୟପ୍ରଦେଶ ଡାକ୍ତରଙ୍କ ସ୍ବୀକାରୋକ୍ତି
ପୁଲିସର କହିବା ଅନୁଯାୟୀ, ଡାକ୍ତର ସୋନି ଏବଂ ଅନ୍ୟ ଡାକ୍ତରମାନେ ଏହି ଔଷଧ ଦେବା ପରେ ଶିଶୁମାନଙ୍କଠାରେ ଅସୁସ୍ଥତା ଲକ୍ଷ୍ୟ କରିଥିଲେ ସୁଦ୍ଧା ସେମାନେ ଏହି ଔଷଧ ଲେଖିବା ଜାରି ରଖିଥିଲେ। ଗୋଟିଏ ବୋତଲରୁ ଅଢ଼େଇ ଟଙ୍କା ପାଇବା ପାଇଁ ସେମାନେ ପିଲାଙ୍କ ଜୀବନ ସହ ଖେଳିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ କୋଲଡ୍ରିଫ୍ କଫ୍ ସିରପ୍ ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଠିକ୍ ନୁହେଁ ବୋଲି ଜାଣି ସୁଦ୍ଧା ଡାକ୍ତର ସୋନି ଅଗଷ୍ଟ ୨୪ରୁ ୪ ଅକ୍ଟୋବର ମଧ୍ୟରେ ପିଲାମାନଙ୍କ ପାଇଁ ଏହି ମେଡିସିନ୍ ଲେଖିଥିଲେ। ପୁଲିସ ରେକର୍ଡ ଅନୁଯାୟୀ ଅଗଷ୍ଟ ୨୯ ତାରିଖରେ କଫ୍ ସିରପ୍ ପାଇଁ ପ୍ରଥମ ଶିଶୁର ମୃତ୍ୟୁ ହୋଇଥିଲା। ପ୍ରଥମ ଘଟଣାରେ ୪ ବର୍ଷର ଶିଶୁକୁ କାଶ ପାଇଁ କୋଲଡ୍ରିଫ୍ ଦିଆଯାଇଥିଲା ଏବଂ ଏହା ଖାଇବା ପରେ ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା। ଦ୍ବିତୀୟ ଘଟଣାରେ ଏକ ୩ ବର୍ଷର ଝିଅର ସେପ୍ଟେମ୍ବର ୫ ତାରିଖରେ ମୃତ୍ୟୁ ହୋଇଥିଲା। ମଧ୍ୟପ୍ରଦେଶରେ ମୋଟ୍ ୨୩ ଜଣଙ୍କର କଫ୍ ସିରପ୍ ପିଇ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀକୁ ଅବମାନନା କରି ନିଷିଦ୍ଧ ହୋଇଥିବା କଫ୍ ସିରପ୍ ଲେଖି ଡାକ୍ତର ସୋନି ଏବଂ ଅନ୍ୟ ଡାକ୍ତର ଅନେକ ଶିଶୁଙ୍କ ଜୀବନ ନେଇ ଯାଇଛନ୍ତି।
୩ଟି ଭାରତୀୟ କଫ୍ ସିରପ୍ ତ୍ରୁଟିପୂର୍ଣ୍ଣ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଫ୍ ସିରପ୍ ସହ ଜଡ଼ିତ ଅନେକ ଶିଶୁଙ୍କ ମୃତ୍ୟୁର କିଛି ସପ୍ତାହ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତରେ ଏହିପରି ତିନୋଟି ସିରପ୍ ଚିହ୍ନଟ କରିଛି। ଏଜେନ୍ସି ବିଶ୍ୱବ୍ୟାପୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି ଯେ ଯଦି ଏହି ଉତ୍ପାଦଗୁଡ଼ିକ ମଧ୍ୟରୁ କୌଣସିଟି ସେମାନଙ୍କ ଦେଶରେ ମିଳେ ତେବେ ରିପୋର୍ଟ କରନ୍ତୁ। ଚିହ୍ନଟ ହୋଇଥିବା ସିରପ୍ ମଧ୍ୟରେ କୋଲଡ୍ରିଫ୍ ଅଛି, ଯାହା ପିଲାମାନଙ୍କର ମୃତ୍ୟୁ ପରେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ‘ହୁ’ ରିପୋର୍ଟ କରିଛି ଯେ ସ୍ରେସାନ୍ ଫାର୍ମାସ୍ୟୁଟିକାଲ୍ସର କୋଲଡ୍ରିଫ୍, ରେଡନେକ୍ସ ଫାର୍ମାସ୍ୟୁଟିକାଲ୍ସର ରେସ୍ପିଫ୍ରେସ୍ ଟିଆର୍ ଏବଂ ସେପ୍ ଫାର୍ମାର ରିଲାଇଫ୍ର ନିର୍ଦ୍ଦିଷ୍ଟ ବ୍ୟାଚ୍କୁ ତ୍ରୁଟିପୂର୍ଣ୍ଣ ଉତ୍ପାଦ ଭାବରେ ତାଲିକାଭୁକ୍ତ କରାଯାଇଛି। ତାମିଲନାଡୁର ସ୍ରେସାନ୍ ଫାର୍ମାସ୍ୟୁଟିକାଲ୍ସର ଲାଇସେନ୍ସ ରଦ୍ଦ କରାଯାଇଛି।
ଏହି ସିରପ୍ ଅତି କମ୍ରେ ୨୨ ଜଣ ପିଲାଙ୍କ ମୃତ୍ୟୁ ସହ ଜଡ଼ିତ ଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛିନ୍ଦୱାଡ଼ା ଜିଲ୍ଲାର ପାରସିଆ ଗ୍ରାମର। ‘ହୁ’ କହିଛି ଯେ ଚିହ୍ନଟ ହୋଇଥିବା ସିରପ୍ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିପାରେ। ଶିଶୁ ମୃତ୍ୟୁ ଘଟଣା ଓ କୋଲଡ୍ରିଫ୍ ନିଷିଦ୍ଧ ହେବା ପରେ ‘ହୁ’ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପଚାରିଥିଲା ଯେ ଏହି ସିରପ୍ ଅନ୍ୟ ଦେଶକୁ ରପ୍ତାନି ହୋଇଛି କି? ଗ୍ଲୋବାଲ୍ ମେଡିକାଲ୍ ପ୍ରଡକ୍ଟସ୍ ଆଲର୍ଟ ଜାରି କରିବା ପୂର୍ବରୁ ‘ହୁ’ ପ୍ରତିକ୍ରିୟାକୁ ଅପେକ୍ଷା କରିଥିଲା। ଭାରତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ କୌଣସି ହାନିକାରକ ସିରପ୍ ଭାରତରୁ ରପ୍ତାନି ହୋଇନାହିଁ।