‘ହୁ’ର ଘୋଷଣା: ମଙ୍କିପକ୍ସ ବିଶ୍ବର ସ୍ବାସ୍ଥ୍ୟ ସଙ୍କଟ, ବିଶ୍ବବ୍ୟାପୀ ୧୬ ହଜାରରୁ ଅଧିକ ମଙ୍କିପକ୍ସ ମାମଲା

ନୂଆଦିଲ୍ଲୀ: ମଙ୍କିପକ୍ସ ସଂକ୍ରମଣ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କଲାଣି। ୭୦ରୁ ଅଧିକ ରାଷ୍ଟ୍ରରେ ୧୬ ହଜାରରୁ ଅଧିକ ମଙ୍କିପକ୍ସ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଆଜି ମଙ୍କିପକ୍ସକୁ ‘ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ’ ଘୋଷଣା କରିଛନ୍ତି। ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି, ମଙ୍କିପକ୍ସ ସଂକ୍ରମଣ ଏବେ ବିଶ୍ବ ସ୍ବାସ୍ଥ୍ୟ ସଙ୍କଟ‌ରେ ପରିଣତ ହୋଇଛି ଏବଂ ସାରା ବିଶ୍ବ ପାଇଁ ଏହା ଉଦ୍‌ବେଗର କାରଣ। ୭୦ରୁ ଅଧିକ ରାଷ୍ଟ୍ରରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଦୀର୍ଘ ଦଶନ୍ଧି ଧରି ମଙ୍କିପକ୍ସ କେନ୍ଦ୍ର ଏବଂ ପଶ୍ଚିମ ଆଫ୍ରିକାରେ ଥିଲେ ବି ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିନଥିଲା। ତେବେ ଚଳିତ ବର୍ଷ ମେ’ ପରେ ୟୁ‌ରୋପ, ଉତ୍ତର ଆମେରିକା ଏବଂ ଅନ୍ୟ ରାଷ୍ଟ୍ରମାନଙ୍କରେ ମଙ୍କିପକ୍ସ ବ୍ୟାପିବା ଆରମ୍ଭ କରିଛି। ଅନ୍ୟ ରାଷ୍ଟ୍ରମାନଙ୍କରେ ମଙ୍କିପକ୍ସ ଅତି ଦ୍ରୁତ ବେଗରେ ବ୍ୟାପିବାରୁ ଏହାକୁ ଏକ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରାଯାଇଛି। ୟୁରୋପରେ ମଙ୍କିପକ୍ସକୁ ନେଇ ଅଧିକ ବିପଦ ରହିଛି। ଅନ୍ତର୍ଜାତୀୟ ସ୍ତରରେ ଏହା ଦ୍ରୁତ ‌ଗତିରେ ବ୍ୟାପିବା ବିପଦ ଥିବାରୁ ଏହା ପୂର୍ବରୁ ମଙ୍କିପକ୍ସକୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରାଯାଇଛି। ମଙ୍କିପକ୍ସ ଯୋଗୁଁ ଏଯାବତ ୫ ଜଣଙ୍କ ମୃତ୍ୟୁ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ମଙ୍କିପକ୍ସକୁ ବୈଶ୍ବିକ ସ୍ବାସ୍ଥ୍ୟ ଇମର୍ଜେନ୍ସି ଘୋଷଣା କରାଯିବା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବିଶେଷଜ୍ଞ କମିଟି ଏହାପରେ ହୁ ମୁଖ୍ୟଙ୍କୁ ପରାମର୍ଶ କରିଥିଲେ। କମିଟିର ପରାମର୍ଶ ଆଧାରରେ ହୁ ମୁଖ୍ୟ ଆଜି ମଙ୍କିପକ୍ସକୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରି ବିହୀତ ପ୍ରତିକାର ପାଇଁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର