ଜେନେଭା: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ମୁଖ୍ୟ ସୋମବାର ମହାମାରୀର ଜଟିଳ ପର୍ଯ୍ୟାୟରେ ସବୁ ଦେଶକୁ ମିଳିମିଶି ଏହାର ଅନ୍ତ ଘଟାଇବା ଲାଗି କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ କରିଛନ୍ତି। ଜର୍ମାନୀର ଉନ୍ନୟନ ମନ୍ତ୍ରୀ ସ୍ବେଞ୍ଜା ସ୍କଲ୍ଜଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଡବ୍ଲୁଏଚ୍ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟେସସ୍ କହିଛନ୍ତି ଯେ, କୋଭିଡ୍-୧୯ ମହାମାରୀ ଏବେ ତୃତୀୟ ବର୍ଷରେ ପଦାର୍ପଣ କରିଛି ଏବଂ ଆମେ ବର୍ତ୍ତମାନ ଏକ ଜଟିଳ ପର୍ଯ୍ୟାୟରେ ପହଞ୍ଚିଛୁ। ଏହି ପର୍ଯ୍ୟାୟର ଅନ୍ତ ଘଟାଇବା ପାଇଁ ଆମକୁ ମିଳିମିଶି କାମ କରିବାକୁ ପଡ଼ିବ। ଏହାକୁ ଅଧିକ ଦିନ ରହିବା ପାଇଁ ଦେବା ଉଚିତ ନୁହେଁ। ଟେଡ୍ରୋସ୍ କହିଛନ୍ତି ଯେ, ଜର୍ମାନୀ ହେଉଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ସବୁଠାରୁ ଅଧିକ ଦାନ କରିଥିବା ଦେଶ। ଐତିହାସିକ ଭାବେ ଆମେରିକା ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ତୁଳନାରେ ଡବ୍ଲୁଏଚ୍ଓକୁ ସବୁଠାରୁ ଅଧିକ ଦାନ କରିଥାଏ। ବର୍ତ୍ତମାନ ସାରା ବିଶ୍ବରୁ ମହାମାରୀର ଅନ୍ତ ଘଟାଇବା ଜରୁରୀ ହୋଇପଡ଼ିଛି। ସେଥିପାଇଁ ବିଶ୍ବ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର ଚଲାଇବା ଆବଶ୍ୟକ ବୋଲି ଟେଡ୍ରୋସ୍ କହିଛନ୍ତି।
ଓମିକ୍ରନ୍ ଲହର ଶେଷ ହେଲେ ୟୁରୋପରୁ କୋଭିଡ୍ ଯିବ
ଜେନେଭା: ୟୁରୋପରୁ ଯେତେବେଳେ ଓମିକ୍ରନ୍ ଲହର ଚାଲିଯିବ, ସେତେବେଳେ ଉକ୍ତ ଅଞ୍ଚଳରେ କୋଭିଡ୍ ମହାମାରୀର ଅନ୍ତ ଘଟିବ, ଯଦିଓ ଚଳିତବର୍ଷ ଶେଷ ବେଳକୁ ଭୂତାଣୁ ପୁଣି ଲେଉଟିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଏୁଏଚ୍ଓ)ର ୟୁରୋପ ନିର୍ଦ୍ଦେଶକ ହଂସ କ୍ଲୁଗ କହିଛନ୍ତି। କ୍ଲୁଗଙ୍କ ଅନୁଯାୟୀ, ମାର୍ଚ୍ଚ ସୁଦ୍ଧା ୬୦ ପ୍ରତିଶତ ୟୁରୋପୀୟଙ୍କୁ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତ କରିପାରେ। ମହାମାରୀର ଅନ୍ତିମ ଖେଳ ଏବେ ଚାଲିଥିବା କୁହାଯାଇପାରେ। ତାଙ୍କ ମତରେ ଓମିକ୍ରନ୍ ଲହରର ଅନ୍ତ ଘଟିବା ପରେ କିଛି ସପ୍ତାହ ବା କିଛି ମାସ ପାଇଁ ସାରା ପୃଥିବୀରେ ଗଣପ୍ରତିରୋଧକତା (ଗ୍ଲୋବାଲ ଇମ୍ୟୁନିଟି) ଦେଖିବାକୁ ମିଳିବ। ସେ ପ୍ରତିରୋଧକତା ସଂକ୍ରମଣ ଯୋଗୁ ପ୍ରାକୃତିକ ଉପାୟରେ ଶରୀରରେ ସୃଷ୍ଟି ହେଉ ବା ଟିକା ନେବା ଯୋଗୁ ସୃଷ୍ଟି ହେଉ। ଏହା ଫଳରେ କୋଭିଡ୍ ମହାମାରୀର ଅନ୍ତ ଘଟିବ। କ୍ଲୁଗ ପୁଣି କହିଛନ୍ତି ଯେ, କିଛିଦିନର ନିରବତା ପରେ ବର୍ଷ ଶେଷ ବେଳକୁ କୋଭିଡ୍-୧୯ ପୁଣି ଲେଉଟିପାରେ। ତେବେ ତା’ର ମାନେ ନୁହେଁ ଯେ, ଏହା ମହାମାରୀ ଆକାରରେ ଲେଉଟିବ। ଆମେରିକା ସରକାରଙ୍କ ମୁଖ୍ୟ ମେଡିକାଲ ଉପଦେଷ୍ଟା ଡ. ଆଣ୍ଟୋନି ଫୌସି ସମାନ ପ୍ରକାର ଆଶା ବ୍ୟକ୍ତ କରିଛନ୍ତି। ଆମେରିକାର କେତେକ ଅଞ୍ଚଳରେ ସଂକ୍ରମଣ କମୁଥିବା ବେଳେ ସାରା ଦେଶରେ କମିବା ପାଇଁ ଆଉ ଅଳ୍ପ ସମୟ ଲାଗିବ ବୋଲି ସେ କହିଛନ୍ତି।