ୱାସିଂଟନ୍: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ତୀବ୍ର ସମାଲୋଚନା କରି ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ ଚୀନ୍ର ଜନ ସମ୍ପର୍କ ଏଜେନ୍ସି ଭଳି କାମ କରୁଥିବାରୁ ‘ଡବ୍ଲୁଏଚ୍ଓ’ ଲଜ୍ଜାବୋଧ କରିବା କଥା।
ଗୁରୁବାର ଦିନ ହ୍ବାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଲେ, ମୋର ମନେହୁଏ, ଚୀନ୍ର ଜନ ସମ୍ପର୍କ ଏଜେନ୍ସି ସାଜିଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଲଜ୍ଜାବୋଧ କରିବା ଉଚିତ।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଆମେରିକା ଦେଉଥିବା ଆର୍ଥିକ ସହାୟତା ସାମୟିକ ଭାବେ ବନ୍ଦ କରାଯାଇଛି। ଏବଂ କରୋନାଭାଇରସ୍ ସଂକ୍ରମଣ ମୁକାବିଲା କରିବାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଗ୍ରହଣ କରିଥିବା ଭୂମିକା ବିଷୟରେ ଆମେରିକା ତଦନ୍ତ ମଧ୍ୟ ଆରମ୍ଭ କରିଛି।
ବର୍ଷକୁ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ପ୍ରାୟ ୫୦୦ ନିୟୁତ ଡଲାର୍ ଦେଉଥିବା ବେଳେ ଚୀନ୍ ୩୮ ନିୟୁତ ଡଲାର୍ ଦେଇଥାଏ। ଟ୍ରମ୍ପ୍ କହିଲେ, ଚୀନ୍ ଆହୁରି ଅଧିକ ଦେଲେ ବି କିଛି ଯାଏ ଆସେ ନାହିଁ। ଭୟାବହ ଭୁଲ୍ କରି ସାରିବା ପରେ ସେମାନେ କ୍ଷମା ମାଗିବା ଅନୁଚିତ, ବିଶେଷକରି ସେ ଭୁଲ୍ ଯେତେବେଳେ ବିଶ୍ବର ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣ ହୁଏ।
ଚୀନ୍କୁ ସମାଲୋଚନା କରି ଟ୍ରମ୍ପ୍ ଆହୁରି କହିଲେ ଯେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ସେ ନିର୍ବାଚିତ ହୁଅନ୍ତୁ ବୋଲି ଚୀନ୍ ଚାହୁଁନାହିଁ। ଏହାର କାରଣ ପ୍ରତି ମାସରେ ଚୀନ୍ ଠାରୁ ଆମଦାନି ଶୁଳ୍କ ବାବଦରେ ବିଲିୟନ୍ ବିଲିୟନ୍ ଡଲାର୍ ନେଇ ଯାଉଛୁ। ଟ୍ରମ୍ପ୍ ଦାବି କରିଛନ୍ତି ଯେ ଚୀନ୍ ଚାହେଁ ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ବିରୋଧୀ ଡେମୋକ୍ରାଟ୍ ପାର୍ଟିର ଜୋ ବିଡେନ୍ ନିର୍ବାଚନ ଜିଣି ପରବର୍ତ୍ତୀ ରାଷ୍ଟ୍ରପତି ହୁଅନ୍ତୁ।