ନୂଆଦିଲ୍ଲୀ: ଜାତିସଂଘଦ୍ବାରା ଯୋଗାଣ ଚାଲିଥିବା କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ ଯୋଗାଣକୁ ବନ୍ଦ ରଖାଯାଇଛି ବୋଲି ଶନିବାର ଦିନ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ କହିଛି। ଏହି ଟିକା ପ୍ରସ୍ତୁତ ହେଉଥିବା କାରଖାନାର ଉନ୍ନତିକରଣ ଏବଂ ସେଠାରେ ଥିବା ଅନ୍ୟାନ୍ୟ ଅସୁବିଧା ଦୂର କରିବାକୁ ‘ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ’ର ପର୍ଯ୍ୟବେକ୍ଷକ ଟିମ୍‌ ‘ଭାରତ ବାୟୋଟେକ୍‌’କୁ କହିଛି।

Advertisment

ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି କି, ‘କୋଭାକ୍ସିନ୍‌’ ଗ୍ରହଣ କରିଥିବା ଦେଶମାନେ ସମୁଚ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। କିନ୍ତୁ, ସେ ସମୁଚ୍ଚିତ କାର୍ଯ୍ୟାନୁଷ୍ଠାନ କ’ଣ ତାହା ଏଥିରେ ଉଲ୍ଲେଖ କରାଯାଇନାହିଁ।

‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି, ଏହି ଟିକାର ପ୍ରଭାବ ଠିକ୍‌ ଅଛି ଏବଂ ସୁରକ୍ଷା ବି ଚିନ୍ତାର ବିଷୟ ନୁହେଁ। କିନ୍ତୁ, ଉତ୍ପାଦନ ବନ୍ଦ ଯୋଗୁଁ ରପ୍ତାନି ନିମନ୍ତେ କୋଭାକ୍ସିନ୍‌ ଯୋଗାଣରେ ବ୍ୟାଘାତ ଘଟିବ।

publive-image Image Courtesy of The Indian Express

ମାର୍ଚ ୧୪ରୁ ୨୨ ମଧ୍ୟରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କରିଥିବା ‘ପୋଷ୍ଟ୍‌ ଏମର୍ଜେନ୍‌ସି ୟୁଜ୍‌ ଲି‌ଷ୍ଟିଙ୍ଗ୍‌’ ଯାଞ୍ଚ ପରେ ଜାତିସଂଘ କରୁଥିବା ଯୋଗାଣ ବନ୍ଦ କରାଯିବା ସହ ରପ୍ତାନି ପାଇଁ ଉଦ୍ଦିଷ୍ଟ ‘କୋଭାକ୍ସିନ୍‌’ ଯୋଗାଣ ବନ୍ଦ କରିବାକୁ ମଧ୍ୟ ଭାରତ ବାୟୋଟେକ୍‌ କହିଛି।

ଆଜି ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ‘କୋଭାକ୍ସିନ୍‌’ର ନିର୍ମାତା ‘ଭାରତ ବାୟୋଟେକ୍‌’ କହିଛି, ଯୋଗାଣ ବନ୍ଦ ଯୋଗୁଁ ଟିକାର ଫଳପ୍ରଦତା ଏବଂ ନିରାପତ୍ତା ଉପରେ ପ୍ରଭାବ ପଡ଼ିବ ନାହିଁ। ‘କୋଭାକ୍ସିନ୍‌’ ନେଇଥିବା ଲକ୍ଷ ଲକ୍ଷ ଜନସାଧାରଣଙ୍କ ପାଇଁ ଜାରି ହୋଇଥିବା ‘ଟିକା ପ୍ରମାଣପତ୍ର’ ଏବେ ବି ବଳବତ୍ତର ରହିଛି। କିନ୍ତୁ, କାରଖାନା ଉନ୍ନତିକରଣ ଚାଲିଥିବାରୁ ‘କୋଭାକ୍ସିନ୍‌’ ଉତ୍ପାଦନ କମାଇ ଦିଆଯାଇଛି।

‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ମଧ୍ୟ କହିଛି ଯେ, ‘ଗୁଡ୍‌ ମ୍ୟାନୁଫ୍ୟାକ୍‌ଚରିଙ୍ଗ୍‌ ପ୍ରାକ୍ଟିସ୍‌’ (ଜିଏମ୍‌ପି) ନିମନ୍ତେ ଥିବା ଅସୁବିଧା ସୁଧାରିବା ନିମନ୍ତେ କମ୍ପାନି ପ୍ରତିବଦ୍ଧ। ଏଥିପାଇଁ କମ୍ପାନି ଆକ୍‌ସନ୍‌ ପ୍ଲାନ୍‌ କରୁଛି ଯାହାକୁ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ ଏବଂ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ରେ ଦାଖଲ କରାଯିବ।