ନୂଆଦିଲ୍ଲୀ: ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ ଡେଲ୍ଟା ଏବେ କରୋନାର ପ୍ରମୁଖ ପ୍ରଜାତି ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏବଂ ଇସିଡିସି (ୟୁରୋପୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର) ଏନେଇ ସତର୍କ କରାଇଛନ୍ତି। ଡେଲ୍ଟା ପ୍ରଜାତିକୁ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ହୁ କହିଛି। ୟୁରୋପ୍ ପାଇଁ ‘ହୁ’ ଆଞ୍ଚଳିକ ଅଫିସ୍ ପକ୍ଷରୁ ଏହା କୁହାଯାଇଛି ଯେ, ଜୁନ୍ ୨୮ରୁ ଜୁଲାଇ ୧୧ ମଧ୍ୟରେ ତଥ୍ୟ ଆକଳନରୁ ଏହା ଜଣାପଡ଼ିଛି ଯେ, ୨୮ ୟୁରୋପୀୟ ରାଷ୍ଟ୍ର ମଧ୍ୟରୁ ୧୯ଟିରେ ଡେଲ୍ଟା ଏକ ପ୍ରମୁଖ ପ୍ରଜାତି ହୋଇଛି। ୧୯ଟି ୟୁରୋପୀୟ ରାଷ୍ଟ୍ରରେ ୬୮.୩ ପ୍ରତିଶତ ମାମଲାରେ ଡେଲ୍ଟା ପ୍ରଜାତି ଚିହ୍ନଟ ହୋଇଛି।
ଅନ୍ୟପକ୍ଷେ ୨୨.୩ ପ୍ରତିଶତ ମାମଲାରେ ଆଲ୍ଫା ପ୍ରଜାତି ଚିହ୍ନଟ ହୋଇଛି। ତେଣୁ ଏଥିରୁ ଜଣାପଡ଼ୁଛି ଯେ, ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ ଡେଲ୍ଟା ଏବେ ଆଲ୍ଫାକୁ ଟପିଯାଇଛି ଏବଂ କରୋନାର ପ୍ରମୁଖ ପ୍ରଜାତି ହୋଇଛି। ସମସ୍ତ ୟୁରୋପୀୟ ରାଷ୍ଟ୍ରରେ ଡେଲ୍ଟା ଅତି କ୍ଷୀପ୍ର ଗତିରେ ମାଡ଼ି ଚାଲିଛି ବୋଲି ବିଶେଷଜ୍ଞମାନେ ମଧ୍ୟ ସତର୍କ କରାଇ ସାରିଛନ୍ତି। ଯଦି ଡେଲ୍ଟା ଏଭଳି କାୟା ବିସ୍ତାର କରିଚାଲେ ତେବେ ଖୁବ୍ଶୀଘ୍ର ଏହା ବିଶ୍ବରେ ଏକ ପ୍ରମୁଖ ପ୍ରଜାତିରେ ପରିଣତ ହେବାକୁ ଯାଉଛି। ଡେଲ୍ଟା ପ୍ରଜାତି ଆଲ୍ଫାଠାରୁ ୪୦-୬୦ ପ୍ରତିଶତ ଅଧିକ ସଂକ୍ରାମକ। ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା ଡେଲ୍ଟା।