ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫର ଚେତାବନୀ: କରୋନା ମହାମାରୀ ସ୍ଥିତି ଜାରି ରହିଲେ ପ୍ରତିବର୍ଷ ଜନ୍ମ ନେବେ ୨୦ ଲକ୍ଷରୁ ଅଧିକ ମୃତ ଶିଶୁ

କରୋନା ମହାମାରୀ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କ ପାଇଁ ବିପଦ ଆଣିଛି

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍ ଓ ସେମାନଙ୍କର ସହଯୋଗୀ ସଂଗଠନମାନେ ଏକ ଭୟଙ୍କର ଚେତାବନୀ ଦେଇଛନ୍ତି। ଏକ ରିପୋର୍ଟରେ ସେମାନେ କହିଛନ୍ତି ଯେ କରୋନା ମହାମାରୀ ଗର୍ଭବତୀ ମହିଳା ଓ ତାଙ୍କ ପେଟରେ ବଢୁଥିବା ଗର୍ଭସ୍ଥ ଶିଶୁମାନଙ୍କ ପାଇଁ ବିପଦ ଆଣିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ ଏକ ଚେତାବନୀ ମଧ୍ୟ ଜାରି କରିଛି । ଏଥିରେ ଉଲ୍ଲେଖ ରହିଛି ଯେ ବିଶ୍ୱରେ କରୋନା ମହାମାରୀର ସ୍ଥିତି ଏଭଳି ଜାରି ରହିଲେ ପ୍ରତି ୧୬ ସେକେଣ୍ଡରେ ଗୋଟିଏ ମୃତ ଶିଶୁ ଜନ୍ମ ହେବ ଓ ଏହା ପ୍ରତିବର୍ଷ ୨୦ ଲକ୍ଷ ଉପରେ ରହିବ । ରିପୋର୍ଟ ମୁତାବକ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହି ସଂଖ୍ୟା ଯଥେଷ୍ଟ ବଢିପାରେ ।

ସଂଯୁକ୍ତ ରାଷ୍ଟ୍ରର ୟୁନିସେଫ୍‌ କାର୍ଯ୍ୟକାରୀ ନିର୍ଦ୍ଦେଶକ ହାଭେଣ୍ଟା ଫୋର କହିଛନ୍ତି କି ପ୍ରତି ୧୬ ସେକେଣ୍ଡରେ ଜଣେ ମା’ ନିଜ ଶିଶୁକୁ ହରାଇ ଦୁଃଖ ଅନୁଭବ କରିବ । ତେବେ, ସ୍ପେଶାଲିଷ୍ଟ ଚିକିତ୍ସକ, ଭଲ ଭାବେ ଦେଖାଶୁଣା, ଉତ୍ତମ ଚିକିତ୍ସା ଓ ସୁରକ୍ଷିତ ପ୍ରସବ ଦ୍ୱାରା ଏହି ହାରକୁ କମ୍ କରାଯାଇ ପାରିବ।

ରିପୋର୍ଟରେ ଆହୁରି କୂୁହାଯାଇଛି କି କୋଭିଡ୍‌-୧୯ ମହାମାରୀର ସ୍ଥିତି ଯଦି ଆହୁରି ଭୟଙ୍କର ହୁଏ ତେବେ ଏଭଳି ଘଟଣା ଏବେ କରାଯାଇଥିବା ଅନୁମାନ ଠାରୁ ଆହୁରି ଅଧିକ ହେବ । ରିପୋର୍ଟ ମୁତାବକ କରୋନା ସଂକ୍ରମିତଙ୍କ ପାଇଁ ସାଧାରଣ ସ୍ୱାସ୍ଥ୍ୟସେବା ୫୦ ପ୍ରତିଶତ ହ୍ରାସ ପାଇଛି । ଏହି କାରଣରୁ ଅଗାମୀ ବର୍ଷ ୧୧୭ ବିକାଶଶୀଳ ରାଷ୍ଟ୍ରରେ ୨୦ ଲକ୍ଷରୁ ଅଧିକ ମୃତ ଶିଶୁ ଜନ୍ମନେଇ ପାରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି  କି ୪୦ ପ୍ରତିଶତରୁ ଅଧିକ ଶିଶୁଙ୍କ ମୃତ୍ୟୁ ପ୍ରସବ ସମୟରେ ହିଁ ହୋଇଥାଏ । ଦକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ସୁରକ୍ଷିତ ପ୍ରସବ କରାଇଲେ ଏହି ହାର କମ୍ ହୋଇପାରେ ।

ଉପ- ସାହାରା, ଆଫ୍ରିକା ଓ ମଧ୍ୟ ଏସିଆରେ ୫୦ ପ୍ରତିଶତ ଶିଶୁଙ୍କ ମୃତ୍ୟୁ ପ୍ରସବ ବେଳେ ହୋଇଥାଏ । ୟୁରୋପ, ଉତ୍ତର ଆମେରିକା, ଅଷ୍ଟ୍ରେଲିଆ, ଓ ନ୍ୟୁଜିଲାଣ୍ଡରେ ଏହି ମୃତ୍ୟୁ ହାର ମାତ୍ର ୬ ପ୍ରତିଶତ ।

ସମ୍ବନ୍ଧିତ ଖବର