ଥମୁନି ମହାମାରୀ, ସତର୍କ କଲା ‘ହୁ’

ସଂକ୍ରମଣ ବ୍ୟାପିବାର ୪ ପ୍ରମୁଖ କାରଣ ଦର୍ଶାଇଲେ ‘ହୁ’ ବୈଜ୍ଞାନିକ

ନୂଆଦିଲ୍ଲୀ, ୧୦/୭ : ବିଶ୍ବବ୍ୟାପୀ କରୋନା ମହାମାରୀର ପ୍ରକୋପ ଜାରି ରହିଛି। ବ୍ୟାପକ ସତର୍କତା ପଦକ୍ଷେପ ଏବଂ ଟିକାକରଣ ସତ୍ତ୍ବେ ସଂକ୍ରମଣ ଯେଭଳି ଥମିବା କଥା ତାହା ହେଉନାହିଁ। ସଂକ୍ରମଣ ନ କମିବାର ସ୍ପଷ୍ଟ ପ୍ରମାଣ ରହିଛି। ଡେଲ୍‌ଟା ପ୍ରଜାତି ବ୍ୟାପିବା ସାଙ୍ଗକୁ ଟିକାକରଣ ମନ୍ଥର ହେବାରୁ ବିଶ୍ବବ୍ୟାପୀ ସଂକ୍ରମଣ ବଢ଼ିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି। ଗତ ୨ ସପ୍ତାହରେ ଆଫ୍ରିକାରେ ମୃତ୍ୟୁହାର ୩୦-୪୦ ପ୍ରତିଶତ ବୃଦ୍ଧି ହୋଇଛି।

ବିଶ୍ବରେ ଗତକାଲି ୨୪ ଘଣ୍ଟାରେ ପ୍ରାୟ ୫ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯,୩୦୦ କରୋନା ମୃତ୍ୟୁ ହୋଇଛି। ସ୍ବାମୀନାଥନ କରୋନା ସଂକ୍ରମଣ ବ୍ୟାପିବାର ୫ ପ୍ରମୁଖ କାରଣ ଦର୍ଶାଇଛନ୍ତି। ଏହି କାରଣ ଗୁଡ଼ିକ ହେଉଛି ଡେଲ୍‌ଟା ପ୍ରଜାତି, ଲୋକଙ୍କ ବ୍ୟବହାର, ଲକ୍‌ଡାଉନ୍‌ କଟକଣା କୋହଳ ଏବଂ ମନ୍ଥର ଟିକାକରଣ । ଏକ ସାକ୍ଷାତକାରରେ ସ୍ବାମୀନାଥନ କହିଛନ୍ତି ଯେ ଦ୍ରୁତ ଗତିରେ ବ୍ୟାପୁଥିବା ଡେଲ୍‌ଟା ପ୍ରଜାତି ସବୁଠୁ ସଂକ୍ରାମକ ଏବଂ କରୋନାର ସବୁଠାରୁ ଭୟଙ୍କର ପ୍ରଜାତି। ସଂକ୍ରମଣ ବଢ଼ିବା ପଛରେ ଏହା ଏକ ପ୍ରମୁଖ କାରଣ। ସ୍ବାମୀନାଥନଙ୍କ ଅନୁଯାୟୀ ଜଣେ ବ୍ୟକ୍ତି ଯଦି ମୂଳ କରୋନା ଭାଇରସ୍‌ରେ ସଂକ୍ରମିତ ହେବେ ତେବେ ସେ ୩ ଜଣଙ୍କୁ ସଂକ୍ରମିତ କରିପାରିବେ। କିନ୍ତୁ ଜଣେ ବ୍ୟକ୍ତି ଯଦି ଡେଲ୍‌ଟା ପ୍ରଜାତିରେ ସଂକ୍ରମିତ ହୋଇଥିବେ ତେବେ ସେ ୮ ଜଣଙ୍କୁ ସଂକ୍ରମିତ କରିପାରିବେ।

ଲୋକେ ଅଧିକ ଘର ବାହାରକୁ ବାହାରିବା ଦ୍ବାରା ଏବଂ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାରୁ ଏହା ସଂକ୍ରମଣ ବଢ଼ିବାର କାରଣ ହେଉଛି। ସେହିପରି ବିଶ୍ବରେ ଅନେକ ରାଷ୍ଟ୍ର କରୋନା କଟକଣା କୋହଳ କଲେଣି। ମାସ୍କ ଏବଂ ସାମାଜିକ ଦୂରତା ଉପରେ ବି ଧ୍ୟାନ ରହୁନାହିଁ। କିଛି ରାଷ୍ଟ୍ରରେ ଟିକାକରଣ କମ୍‌ ହୋଇଥିବାରୁ ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ୁଛି। ବିଶ୍ବର କିଛି ରାଷ୍ଟ୍ର ଏବେ ବି ଅକ୍ସିଜେନ୍‌ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏବେ ପ୍ରାୟ ଶହେ ରାଷ୍ଟ୍ରରେ ଡେଲ୍‌ଟାର ପ୍ରକୋପ ଦେଖିବାକୁ ମିଳୁଥିବାରୁ ଆଗକୁ ତୃତୀୟ ଓ ଚତୁର୍ଥ ଲହରର କିଭଳି ମୁକାବିଲା ହେବ ତାହାକୁ ନେଇ ଚିନ୍ତା ବଢ଼ିଛି।

ସମ୍ବନ୍ଧିତ ଖବର