କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଥିବା ବୈଦେଶିକ ମନ୍ତ୍ରଣାଳୟ ନିକଟରେ ସୋମବାର ହୋଇଥିବା ଆତ୍ମଘାତୀ ଆକ୍ରମଣ ପାଇଁ ଇସ୍ଲାମିକ ଷ୍ଟେଟ୍ ଖୋରାସାନ ପ୍ରଦେଶ (ଆଇଏସକେପି) ନିଜକୁ ଦାୟୀ କରିଛି । ସୋମବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ ।

Advertisment

ଆଇଏସକେପି ଆତଙ୍କବାଦୀ ଅବଦୁଲ ହମିଦ ଖୋରାସାନି ପ୍ରଥମେ ସମସ୍ତ ସୁରକ୍ଷା ବଳୟ ଭେଦ କରି ବୈଦେଶିକ ବିଭାଗ ନିକଟରେ ଥିବା ସ୍ଥାନରେ ପ୍ରବେଶ କରିଥିଲା ଏବଂ ପରେ ଆତ୍ମଘାତୀ ବୋମା ବିସ୍ଫୋରଣ କରିଥିଲା ବୋଲି ଆଇଏସକେପି ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।

ତାଲିବାନ ସରକାର କିଛିଦିନ ତଳେ ଦାବି କରିଥିଲେ ଯେ ସେ କାବୁଲ ଏବଂ ଏହାର ଆଖପାଖ ଅଂଚଳରେ ତିନି ଜଣ ଶୀର୍ଷ ଆଇଏସକେପି କମାଣ୍ଡରଙ୍କୁ ନିପାତ କରାଯାଇଛି । ଏହାର ପ୍ରତିଶୋଧ ନେବାକୁ ଆଇଏସକେପି ଏହି ଆକ୍ରମଣ କରିଥିବା କୁହାଯାଉଛି ।

ଗତ ୨୦୨୧ ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଆଇଏସ ଆତଙ୍କବାଦୀ ସଂଗଠନର ଆଞ୍ଚଳିକ ସହଯୋଗୀ ସଂଗଠନ ଆଇଏସକେପି ଆଫଗାନିସ୍ତାନରେ ବାରମ୍ବାର ଆକ୍ରମଣ କରିଚାଲିଛି । ଆଗାମୀ ଦିନରେ ଏହି ଆତଙ୍କବାଦୀ ସଂଗଠନ ତାଲିବାନର ଆଉ କିଛି ବଡ଼ ନେତାଙ୍କ ସମେତ ସେମାନଙ୍କ ସୁରକ୍ଷା ବାହିନୀ ଉପରେ ବଡ଼ ଆତ୍ମଘାତୀ ଆକ୍ରମଣ କରିପାରେ ବୋଲି ଅନୁମାନ କରାଯାଉଛି ।