ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ? ରାହୁଲଙ୍କ ଉପରେ ନଜର

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଏବେ ପ୍ରକାଶ ପାଇସାରିଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ସରକାରକୁ ହଟାଇ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି। ସେହିଭଳି ମିଜୋରାମ୍‌ରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ (ଏମ୍‌ଏନ୍‌ଏଫ୍‌) ବିଜୟ ମୁକୁଟ ପିନ୍ଧିଥିବା ବେଳେ ତେଲେଙ୍ଗାନାରେ ଟିଆର୍‌ଏସ୍‌ ନିଜ ବିଜୟ ପକ୍କା କରିନେଇଛି। ଏବେ କେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଲୋକଙ୍କ ମନରେ କଳ୍ପନାଜଳ୍ପନା ଆରମ୍ଭ ‌ହୋଇଯାଇଛି। ତେଲେଙ୍ଗାନା ଓ ମିଜୋରାମ୍‌କୁ ଛାଡ଼ି ଅନ୍ୟ ୩ଟି ରାଜ୍ୟରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି। ତେଲେଙ୍ଗାନ‌ାରେ ଟିଆର୍‌ଏସ୍‌ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ମୁଖ୍ୟମନ୍ତ୍ରୀ ହେବାକୁ ଥିବା ବେଳେ ମିଜୋରାମ୍‌ରେ ଏମ୍‌ଏନ୍‌ଏଫ୍‌ ମୁଖ୍ୟ ଜୋରାମ୍‌ଥଙ୍ଗା ମୁଖ୍ୟମନ୍ତ୍ରୀ ହେବାଟା ନିଶ୍ଚିତ। କିନ୍ତୁ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ନେଇ କୌଣସି ସ୍ପଷ୍ଟ ଜଣାପଡ଼ି ନାହିଁ।

ରାଜସ୍ଥାନରେ କଂଗ୍ରେସ ଦଳର ଦୁଇ ପ୍ରମୁଖ ନେତା ଅଶୋକ ଗେହଲଟ୍‌ ଏବଂ ସଚିନ ପାଇଲଟ୍‌ଙ୍କ ନେତୃତ୍ବରେ ଦଳକୁ ସଫଳତା ମିଳିଥିବାରୁ ସେମାନଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବେ, ତାହାକୁ ନେଇ ସ୍ପଷ୍ଟ ହୋଇପାରି ନାହିଁ। ଆଜି ଉଭୟ ଗେହଲଟ୍‌ ଏବଂ ପାଇଲଟ୍‌ ସାମ୍ବାଦିକ ସମ୍ମିଳନୀରେ ବିଜୟର ଶ୍ରେୟ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଇଥିବାବେଳେ ରାହୁଲ ହିଁ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଗେହଲଟ୍‌ ଦୁଇଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି।

ସେହିଭଳି ମଧ୍ୟ ପ୍ରଦେଶରେ କଡ଼ା ଟକ୍କର ପରେ କଂଗ୍ରେସ କିମ୍ବା ବିଜେପିକୁ ସ୍ପଷ୍ଟ ବହୁମତ ମିଳିପାରି ନାହିଁ। ତେବେ ଏଠାର‌େ ଯଦି କଂଗ୍ରେସ ସରକା‌ର ଗଢ଼ିବାକୁ ସମର୍ଥ ହୁଏ ତେବେ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ଉପରେ ପ୍ରଶ୍ନବାଚୀ ରହିଛି। ଏଠାରେ ଦଳର ବରିଷ୍ଠ ନେତା କମଳନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଦିଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ରହିଛନ୍ତି। କଂଗ୍ରେସର ନିର୍ବାଚନୀ ପ୍ରଚାରରେ ଉଭୟ ନେତୃତ୍ବ ନେଇଥିଲେ।

ଛତିଶଗଡ଼ରେ କଂଗ୍ରେସ କାହାକୁ ପ୍ରମୁଖ ନେତା କରିନଥିଲା। କିନ୍ତୁ ରାଜ୍ୟରେ ଦଳକୁ ବହୁମତ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ପଦରେ କାହାକୁ ଅଧିଷ୍ଠିତ କରାଯିବ, ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ତେବେ ପ୍ରମୁଖ ଦାବିଦାର ଭାବେ କଂଗ୍ରେସର ଟି ଏସ୍‌ ସିଂହଦେଓ, ଚରଣଦାସ ମହନ୍ତ, ଭୂପେଶ ବଘେଲ, ତାମ୍ରଧ୍ବଜ ସାହୁଙ୍କ ଭଳି ପ୍ରାର୍ଥୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଦଳର ହାଇକମାଣ୍ଡ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବେ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର