କିଏ ହେବେ କଂଗ୍ରେସ ମୁଖ୍ୟ : ଅନୁରୋଧ ପ୍ରତ୍ୟାଖ୍ୟାନ କଲେ ପ୍ରିୟଙ୍କା

ଚର୍ଚ୍ଚାରେ ୭ ନାମ

ନୂଆଦିଲ୍ଲୀ: କଂଗ୍ରେସରେ ନେତୃତ୍ବ ସଙ୍କଟ ଦେଖା‌ଦେଇଛି। ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଦଳ ପାଇଁ ଏଯାବତ୍‌ କୌଣସି ମୁଖିଆ ନିଯୁକ୍ତ କରାଯାଇ ପାରୁନି। କଂଗ୍ରେସ ସାଧାରଣ ସମ୍ପାଦିକା‌ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ସଭାପତି ହୁଅନ୍ତୁ ବୋଲି ଅନେକ ବରିଷ୍ଠ ନେତା ଚାହିଛନ୍ତି। କିଛି ବରିଷ୍ଠ ନେତା ମଧ୍ୟ କହିଛନ୍ତି, ଗାନ୍ଧୀ ପରିବାର ବାହାରୁ ଯଦି ଅନ୍ୟ କେହି କଂଗ୍ରେସ ମୁଖ୍ୟ ହୁଅନ୍ତି, ତେବେ ୨୪ ଘଣ୍ଟା ମଧ୍ୟରେ ଦଳରେ ଫାଟ ସୃଷ୍ଟି ହେବ। ସୋନଭଦ୍ର ଗୁଳିକାଣ୍ଡ ଘଟଣାରେ ପ୍ରିୟଙ୍କା ଯେଉଁଭଳି ପ୍ରତିବାଦ କରିଥିଲେ ସେହି ଘଟଣାକୁ ନେଇ ଅନେକ ବରିଷ୍ଠ ନେତା ଆଶା ପୋଷଣ କରିଛନ୍ତି ଯେ ପ୍ରିୟଙ୍କା ହିଁ କଂଗ୍ରେସ ସଭାପତି ହେବାପାଇଁ ଯୋଗ୍ୟ। କିନ୍ତୁ ପ୍ରିୟଙ୍କା ସମସ୍ତଙ୍କୁ ନିରାଶ କରି ସଭାପତି ପଦରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କଂଗ୍ରେସ ସଭାପତି ହେବାର ପ୍ରଶ୍ନ ଉଠୁନାହିଁ। ବୋଲି ପ୍ରିୟଙ୍କା କହିଛନ୍ତି।
ବରିଷ୍ଠ କଂଗ୍ରେସ ନେତାମାନେ କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍‌ ଗ୍ରହଣ କରିବାକୁ ଏକ ଲଫାପାରେ କିଛି କଂଗ୍ରେସ ନେତାଙ୍କ ନାମ ରଖି ବିଭିନ୍ନ ରାଜ୍ୟର କଂଗ୍ରେସ ନେତା, ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କୁ ଦେଇଥିବା କୁହାଯାଉଛି। ଲଫାପାରେ ୭ ଜଣ ବରିଷ୍ଠ ନେତାଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ମଲିକାର୍ଜୁନ ଖଡ଼ଗେ, ସୁଶୀଲ କୁମାର ସିନ୍ଦେ, ଦିଗବିଜୟ ସିଂହ, କୁମାରୀ ସୈଲଜା, ମୁକୁଲ ୱାସନିକ୍‌, ସଚିନ ପାଇଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଅନେକ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକାରୁ ଫେରିବାକୁ ଅପେକ୍ଷା କରିଛନ୍ତି। ରାହୁଲ ଗାନ୍ଧୀ ଆମେରିକାରୁ ଫେରିବା ପରେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। କଂଗ୍ରେସରେ ପ୍ରଥମେ ଜଣେ ଅନ୍ତରୀଣ ଅଧ୍ୟକ୍ଷ ରହ‌ିବେ ଏବଂ ପରେ ନିର୍ବାଚନ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର