ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଏବେ କିଏ ହେବ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ? ଚର୍ଚ୍ଚାରେ ଏହି ୩ଟି ନାଁ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆସନ୍ତା ବର୍ଷ ଶେଷ ଆଡ଼କୁ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପି କାହା ଉପରେ ଭରସା କରିବ ସେନେଇ ଚର୍ଚ୍ଚା ଲାଗି ରହିଛି । ଏସବୁ ଭିତରେ ଆଜି ରାତିରେ ଅହମ୍ମଦାବାଦରେ ବିଜେପିର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି, ଯେଉଁ ବୈଠକରେ ବିଧାୟକ ଦଳ ନେତା ବଛାଯାଇପାରେ । ତେବେ ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ମୁଖ୍ୟତଃ ୩ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।

କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ । ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଏହି ୩ ହେଭିୱେଟ ନେତାଙ୍କ ନାଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ରହିଛି । ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନସୁଖ ମାଣ୍ଡବ୍ୟଙ୍କ ନାଁକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ଦିଲ୍ଲୀ ଦରବାରରେ ଦବଦବା ସହ ମୋଦୀଙ୍କ ଗୁଡବୁକରେ ଥିବା ଏହି ନେତା ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ବୋଲି ଆକଳନ କରାଯାଉଛି । କାରଣ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଏକ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଥିବା ନେତାଙ୍କୁ ଏହି ଆସନରେ ବସାଇପାରେ । ଆଉ ଏହି ଆଧାରରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମୁଖ୍ୟମନ୍ତ୍ରୀ ଆସନ ବଛାଯାଇପାରନ୍ତି ବୋଲି କୁହାଯାଉଛି ।

Vijay Rupani Resigns: Who Will Be The Next Gujarat CM?
News18

ସେହିଭଳି ଗୁଜୁରାଟର ଜଣାଶୁଣା ନେତା ତଥା ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ରହିଛନ୍ତି । ଦଳରେ ସିଆର ପାଟିଲ ପରଦା ପଛରେ କାମ କରିବାରେ ବେଶ ମାହିର । ଏବେ ବିଜେପିରୁ ସାଂସଦ ଥିବା ସିଆର ପାଟିଲ ନିର୍ବାଚନ ପରିଚାଳନରେ ବେଶ ଦକ୍ଷ । ସଙ୍ଗଠନକୁ ଗୁରୁତ୍ୱ ଦେଉଥିବା ଏହି ନେତା ମୋଦୀଙ୍କ ଗୁଡବୁକରେ ରହିଛନ୍ତି । ଏପରିକି ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସିଆର ପାଟିଲଙ୍କର ଗୁଜୁରାଟରେ ବିଜେପି ସଙ୍ଗଠନକୁ ଶକ୍ତିଶାଳୀ କରିବାରେ ବଡ଼ ଅବଦାନ ରହିଛି, ଯେଉଁଥିପାଇଁ ଆଗାମୀ ଗୋଟିଏ ବର୍ଷ ପାଇଁ ସିଆର ପାଟିଲଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପାରନ୍ତି ମୋଦୀ, ଯାହାଦ୍ୱାରା ଆଗାମୀ ନିର୍ବାଚନ ପୂର୍ବରୁ ଦଳର ସଙ୍ଗଠନ ଆହୁରି ସୁଦୃଢ ହେବା ସହ ଦଳ ପାଇଁ ବିଜୟ ସହଜ ହେବ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ପଛରେ ନାହାନ୍ତି ଉପ-ମୁଖ୍ୟମନ୍ତ୍ରୀ ଥିବା ନୀତିନ ପଟେଲ । ଗତ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତିନଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ମଧ୍ୟ ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବିଜୟଙ୍କ ନାଁରେ ମୋହର ମାରିଥିଲା ଦଳ । ତେବେ ବରିଷ୍ଠ ତଥା ଦଳର ବିଶ୍ୱାସୀ ନେତା ଭାବେ ଜଣାଶୁଣା ନୀତିନଙ୍କୁ ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ସିଆର ପାଟିଲଙ୍କୁ ସଙ୍ଗଠନର ଦାୟିତ୍ୱ ଦେଇପାରେ । ତେଣୁ ବିଜୟଙ୍କ ଇସ୍ତଫା ପରେ କିଏ ବର୍ଷକ ପାଇଁ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହେବ ତାହା ଆଜି ବିଧାୟକ ଦଳ ବୈଠକ ପରେ ଏକପ୍ରକାର ସ୍ପଷ୍ଟ ହୋଇଯିବ ।

ସମ୍ବନ୍ଧିତ ଖବର