ଆଜି କର୍ଣ୍ଣାଟକ ବିଜେପି ବିଧାୟକ ଦଳ ବୈଠକ, ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ

ବେଙ୍ଗାଲୁରୁ : ବି.ଏସ.ୟେଦିୟୁରାପ୍ପାଙ୍କ ଇସ୍ତଫା ପରେ କିଏ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଉତ୍କଣ୍ଠା ବଢିଚାଲିଛି । ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଆଜି ସଂଧ୍ୟା ସାଢେ ୭ଟାରେ ବିଜେପି ବିଧାୟକ ଦଳର ବୈଠକ ବସିବାର ସମ୍ଭାବନା ରହିଛି । ବେଙ୍ଗାଲୁରୁର କ୍ୟାପିଟୋଲ ହୋଟେଲରେ ଏହି ବୈଠକ ବସିବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀଙ୍କୁ ଏଥିପାଇଁ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ସେପଟେ କର୍ଣ୍ଣାଟର ଗୃହମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି ଯେ ଖୁବ ଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଆସନ୍ତା ତିନିଚାରି ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ । ତେବେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ସମ୍ପର୍କରେ ରାଜ୍ୟ ନେତୃବୃନ୍ଦଙ୍କ ପାଖରେ କୌଣସି ସୂଚନା ନାହିଁ । ସେ ସମ୍ପର୍କରେ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି ।

ତେବେ ୟେଦିୟୁରାପ୍ପାଙ୍କ ପୁଅ ବି.ଓ୍ବାଇ.ରାଘବେନ୍ଦ୍ର କହିଛନ୍ତ ଯେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଜାଣି ସମସ୍ତେ ଆଶ୍ଚର୍ୟ୍ୟ ହୋଇଯିବେ । ଜଣେ ନୂଆ ଲୋକଙ୍କୁ ଏହି ଦାୟିତ୍ବ ଦିଆଯାଇପାରେ । ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ପରି କର୍ଣ୍ଣାଟକରେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୟନ ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି ହୋଇପାରେ ।

ସମ୍ବନ୍ଧିତ ଖବର