ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା ଚଳିତ ମାସ ୨୬ ତାରିଖରେ ଅବସର ଗ୍ରହଣ କରିବେ । ଏହା ପୂର୍ବରୁ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ଭାରତ ସରକାର ।
ବୁଧବାରଦିନ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ସଚିବାଳୟକୁ ଏକ ପତ୍ର ପଠାଯାଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିଶ କରିବାକୁ କୁହାଯାଇଛି ।
ବରିଷ୍ଠତା ଭିତ୍ତିରେ ଏବେ ଜଷ୍ଟିସ ରମନ୍ନାଙ୍କ ତଳକୁ ରହିଛନ୍ତି ଜଷ୍ଟିସ ଉଦୟ ଉମେଶ ଲଳିତ । ଏଣୁ ପ୍ରଚଳିତ ପରମ୍ପାରା ଅନୁସାରେ ପ୍ରଧାନ ବିଚାରପତି ନୂଆ ପ୍ରଧାନ ବିଚାରପତି ପାଇଁ ତାଙ୍କ ନାଁ ସୁପାରିଶ କରିବାର ସମ୍ଭାବନା ରହିଛି ।
କିନ୍ତୁ ସମସ୍ୟା ହେଉଛି ଯେ, ଜଷ୍ଟିସ ଲଲିତଙ୍କ କାର୍ଯ୍ୟକାଳ ମଧ୍ୟ ଆଉ ମାତ୍ର ୩ ମାସ ରହିଛି । ସେ ଆସନ୍ତା ନଭେମ୍ବର ୮ରେ ଅବସରଗ୍ରହଣ କରିବେ । ଏଣୁ ଯଦି ସେ ପ୍ରଧାନ ବିଚାରପତି ନିଯୁକ୍ତ ହୁଅନ୍ତି, ତାଙ୍କର କାର୍ଯ୍ୟକାଳ ମାତ୍ର ୩ ମାସ ରହିବ । ଫଳରେ ୩ ମାସ ପରେ ଆଉ ଜଣେ ପ୍ରଧାନ ବିଚାରପତି ହୋଇପାରନ୍ତି । ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଲଲିତଙ୍କ ତଳେ ଅଛନ୍ତି ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ । ଏଣୁ ସେ ମଧ୍ୟ ଦେଶର ପ୍ରଧାନ ବିଚାରପତି ହେବାର ସମ୍ଭାବନା ରହିଛନ୍ତି ।