ପ୍ରସନ୍ନଙ୍କ ସ୍ଥାନରେ କିଏ ହେବେ ରାଜ୍ୟସଭାରେ ବିଜେଡି ନେତା?

୮ରେ ଶପଥ ନେବେ ନୂଆ ସାଂସଦ

ନୂଆଦିଲ୍ଲୀ : ଆଜି ବିଜେଡିର ତିନି ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ। ଏହି ସାଂସଦମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌ ଭାସ୍କର ରାଓ ଓ ସସ୍ମିତ ପାତ୍ର। ଖାଲି ହେଉଥିବା ଏହି ତିନି ଆସନ ପାଇଁ ପୂର୍ବରୁ ବିଜେଡିର ତିନି ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ପୁନଃ ନିର୍ବାଚିତ ହୋଇଥିବା ସାଂସଦ ଶ୍ରୀ ପାତ୍ରଙ୍କ ବ୍ୟତୀତ ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓ ଆସନ୍ତା ୮ ତାରିଖରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ତେବେ ରାଜ୍ୟସଭା ବିଜେଡି ନେତା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କର କାର୍ଯ୍ୟକାଳ ଆଜି ଶେ‌‌ଷ ହେଉଥିବାରୁ ରାଜ୍ୟସଭାରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ‌ହୋଇଛି।

ଏପ୍ରିଲ ୩, ୨୦୧୮ରେ ଦିଲୀପ ତିର୍କୀଙ୍କ ରାଜ୍ୟସଭାର କାର୍ଯ୍ୟକାଳ ‌ଶେଷ ହେବା ପରେ ତାଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାର ନେତା ରୂପେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ’ ୨୦୧୮ ରେ ନିଯୁକ୍ତ କରିଥିଲେ। ରାଜ୍ୟସଭାରେ ବିଜେଡି ନେତା ଭାବେ ଶ୍ରୀ ଆଚାର୍ଯ୍ୟ ଦଳ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଫ୍ଲୋର ମ୍ୟାନେଜମେଣ୍ଟରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ସଂସଦୀୟ ପ୍ଲାଟଫର୍ମରେ ଉଠାଇବା ରଣନୀତି ସଦନରେ ଦଳର ନେତାଙ୍କ ଉପରେ ନ୍ୟସ୍ତ ହୋଇଥାଏ।

ବିଜିନେସ୍‌ ଆଡଭାଇଜରି ବୈଠକ, ସଂସଦ ଅଧିବେଶନ ସମୟରେ ସର୍ବଦଳୀୟ ବୈଠକ ଭଳି ସଂସଦୀୟ ବ୍ୟାପର ସଂପର୍କିତ କାର୍ଯ୍ୟକ୍ରମରେ ରାଜ୍ୟସଭା ନେତାଙ୍କ ଭୂମିକା ଗୁରୁତ୍ବ ବହନ କରିଥାଏ। ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ସାଂସଦମାନଙ୍କ ସଂଖ୍ୟା ୯ ରହିଛି। ହେଲେ ଏମାନଙ୍କ ମଧ୍ୟରୁ କାହାକୁ ନେତା କରାଯିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସଙ୍କେତ ମିଳିପାରିନାହିଁ। ତେବେ ବିଜେଡିର ରାଜ୍ୟସଭା ସାଂସଦମାନଙ୍କ ମଧ୍ୟରୁ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ, ସୁଜିତ କୁମାର କିମ୍ବା ଡାକ୍ତର ସସ୍ମିତ ପାତ୍ରଙ୍କ ମଧ୍ୟରୁ ଜଣକର ନାମକୁ ପାର୍ଟି ସୁପ୍ରିମୋ ମୋହର ଲଗାଇପାରନ୍ତି।

 

ଏପ୍ରିଲ ୨୦୧୮ରୁ ଡଃ ନନ୍ଦ ରାଜ୍ୟସଭାର ସଦସ୍ୟ ରହିଛନ୍ତି। ସଂସଦୀୟ ବ୍ୟାପାରରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ରାଜ୍ୟସଭାରେ ତାଙ୍କର ପ୍ରଦର୍ଶନ ସନ୍ତୋଷଜନକ ରହିଛି। ଡଃ ଅମର ପଟ୍ଟନାୟକ ଜୁନ ୨୮, ୨୦୧୯ରେ ବିଜେଡି ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଜେଡି ସଂସଦୀୟ କାର୍ଯ୍ୟାଳୟର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା। ରାଜ୍ୟସଭାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ ଆଲୋଚନାରେ ସେ ଭାଗ ନେଉଛନ୍ତି ଏବଂ ଦିଲ୍ଲୀ ଦରବାରରେ ସେ ବିଜେଡିର ଏକ ଜଣାଶୁଣା ଚେହେରା। ସେହିଭଳି ୨୦୧୯ରେ ମାତ୍ର ୩ ବର୍ଷ ପାଇଁ ରାଜ୍ୟସଭାକୁ ଡଃ ପାତ୍ର ନିର୍ବାଚିତ ହୋଇଥିଲେ। ତାପରେ ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଯାଇଛି। ୨୦୧୯ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସସ୍ମିତଙ୍କୁ ରାଜ୍ୟସଭାରେ ଦଳୀୟ ମୁଖ୍ୟ ସଚେତକ ରୂପେ ନିଯୁକ୍ତି ମିଳି‌ଥିଲା। ରାଜ୍ୟସଭାରେ ସସ୍ମିତଙ୍କ ପ୍ରର୍ଦଶନ ମଧ୍ୟ ସନ୍ତୋଷଜନକ ରହିଛି। ରାଜ୍ୟସଭା ପ୍ୟା‌ନେଲ୍‌ ଉପାଧ୍ୟକ୍ଷ ଭାବେ ସଦନ ପରିଚାଳନାରେ ତାଙ୍କର ଦକ୍ଷତାକୁ ପ୍ରଶଂସା କରାଯାଇଛି। ରାଜ୍ୟସଭାରେ ବିଜେଡି ନେତା ଭାବେ ଦଳର ସୁପ୍ରିମୋ କାହାକୁ ନିଯୁକ୍ତ କରିବେ, ଏହା ଉପରେ ଏବେ ସମସ୍ତଙ୍କ ଦୃଷ୍ଟି ରହିଛି।

ସମ୍ବନ୍ଧିତ ଖବର