ରାୟପୁର: ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି (ବିଜେପି) ସ୍ପଷ୍ଟ ବହୁମତ ହାସଲ କରିଥିବା ବେଳେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଦଳର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି ବିଜେପି ନେତାମାନେ କହୁଥିବା ବେଳେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ବିଷ୍ଣୁ ଦେଓ ସାଏ: ଛତିଶଗଡ଼ ହେଉଛି ଏକ ଆଦିବାସୀବହୁଳ ରାଜ୍ୟ। ତେଣୁ ଯଦି ବିଜେପି ଜଣେ ଆଦିବାସୀ ଚେହେରା ଚୟନ କରିବାକୁ ନିଷ୍ପତ୍ତି ନିଏ, ତେବେ ପ୍ରଥମ ପସନ୍ଦ ହେବେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ସେ ହେଉଛନ୍ତି ବିଜେପିର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଯିଏ କି ପ୍ରଥମ ମୋଦୀ ମନ୍ତ୍ରିମଣ୍ଡଳରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଥିଲେ। ସେ ଷୋଡଶ ଲୋକସଭାରେ ରାୟଗଡ଼ ନିର୍ବାଚନ ମଣ୍ଡଳୀର ସାଂସଦ ସମେତ ବିଭିନ୍ନ ପଦପଦବୀରେ ରହିଥିଲେ। ସେ ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଛତିଶଗଡ଼ ବିଜେପିର ରାଜ୍ୟ ସଭାପତି ପଦରେ ରହିଥିଲେ।
ରମଣ ସିଂହ: ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜ୍ୟ ବିଜେପି ସରକାରର ନେତୃତ୍ୱ ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ସେ ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ୨୦୦୪ ମସିହାରୁ ଛତିଶଗଡ଼ ବିଧାନସଭାର ସଦସ୍ୟ ଅଛନ୍ତି। ୧୯୯୯ରେ ସେ ଅଟଳ ବିହାରୀ ବାଜପେୟୀ ସରକାରରେ ରାଷ୍ଟ୍ରମନ୍ତ୍ରୀ ଥିଲେ।
ରେଣୁକା ସିଂହ: ଯଦି କୌଣସି ମହିଳାଙ୍କ ଚେହେରା ଉପରେ ଦଳ ବିଚାର କରେ, ତେବେ ଭାରତର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ଆଉ ଜଣେ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ। ଆଦିବାସୀ ସମ୍ପ୍ରଦାୟର ସେ ଜଣେ ପ୍ରଭାବଶାଳୀ ନେତ୍ରୀ।
ରାମବିଚାର ନେତମ: ପୂର୍ବତନ ରାଜ୍ୟସଭା ସାଂସଦ ରାମବିଚାର ନେତମ ଏହି ପଦ ପାଇଁ ଅନ୍ୟତମ ଦାବିଦାର। ସେ ରମଣ ସିଂହଙ୍କ ମନ୍ତ୍ରିମଣ୍ଡଳରେ ଏକାଧିକ ବିଭାଗର ଦାୟିତ୍ୱ ନେଇ କ୍ୟାବିନେଟ ମନ୍ତ୍ରୀ ପଦରେ ରହିଥିଲେ।
ଅରୁଣ ସାଓ: ଯଦି ବିଜେପି ଓବିସି ଚେହେରାକୁ ବିଚାର କରେ ତେବେ ପ୍ରଥମ ପ୍ରାଥମିକତା ରାଜ୍ୟ ଶାଖା ସଭାପତି ଅରୁଣ ସାଓଙ୍କୁ ଦିଆଯିବ। ସେ ଲଗାତାର ତିନି ଥର ବିଳାସପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିଲେ ଏବଂ ଓବିସି ସମ୍ପ୍ରଦାୟ ମଧ୍ୟରେ ତାଙ୍କର ଦୃଢ଼ ପ୍ରଭାବ ରହିଛି। ଏହାଛଡ଼ା ପୂର୍ବତନ ଆଇଏଏସ୍ ଅଫିସରରୁ ବିଜେପି ନେତା ପାଲଟିଥିବା ଓପି ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଦୃଢ଼ ଦାବିଦାର ଥିବା ଜଣାପଡ଼ିଛି।