ବେଙ୍ଗାଲୁରୁ : କର୍ଣ୍ଣାଟକର ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ୧୦ ତାରିଖରେ ନିର୍ବାଚନ ହେବ। ୧୩ ତାରିଖରେ ଫଳ ଘୋଷଣା ହେବ। ନିର୍ବାଚନ ପ୍ରଚାର ଆସନ୍ତାକାଲି ଶେଷ ହେଉଥିବାରୁ ଏଥିପାଇଁ ବିଜେପି, କଂଗ୍ରେସ ସମେତ ଜେଡିଏସ୍ର ନେତାମାନେ ଜୋରଦାର ପ୍ରଚାର ଚଳାଇଛନ୍ତି।
କର୍ଣ୍ଣାଟକରେ ଗତ ୩୮ ବର୍ଷ ହେଲା ରହିଥିବା ଶାସନ ପରିବର୍ତ୍ତନ ପରମ୍ପରାକୁ ବଦଳାଇ ପୁନର୍ବାର କ୍ଷମତା ଅକ୍ତିଆର ପାଇଁ ବିଜେପି ଯଥାସମ୍ଭବ ଚେଷ୍ଟା ଚଳାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ନେତାମାନେ ପ୍ରଚାର ଚଳାଇଛନ୍ତି। ଅନ୍ୟପଟେ ବିଜେପିଠାରୁ କ୍ଷମତା ଛଡ଼ାଇ ଆଣିବା ଲାଗି ବିଜେପି ଯତପରନାସ୍ତି ଚେଷ୍ଟା ଚଳାଇଛି। ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ନିଜକୁ ମୁଖ୍ୟ ବିରୋଧୀ ଦଳ ଭାବେ ଉପସ୍ଥାପିତ କରିବା ଲାଗି କର୍ଣ୍ଣାଟକ ନିର୍ବାଚନରେ ବିଜୟ ପାଇଁ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ାଙ୍କ ଦଳ ମଧ୍ୟ ଜୋରସୋରରେ ପ୍ରଚାର ଚଳାଇଛି। ସରକାରକୁ ଆସିବା କିମ୍ବା ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି କିଙ୍ଗ୍ କିମ୍ବା କିଙ୍ଗମେକର ହେବାର ଅଭିଳାଷ ଜେଡିଏସ୍ ରଖିଛି।
ତେବେ ସବୁ ଦଳ ନିର୍ବାଚନ ପ୍ରଚାର ବେଳେ ଏକକ ସଂଖ୍ୟା ଗରିଷ୍ଠ ସରକାର ଗଠନର ସ୍ଳୋଗାନ ରାଜ୍ୟବ୍ୟାପୀ ଦେଉଛନ୍ତି। ଦୃଢ଼ ଏବଂ ସ୍ଥିର ସରକାର ଗଠନ ପାଇଁ ଅଧିକ ସଂଖ୍ୟକ ଆସନ ଜିତିବା ଉପରେ ଦଳଗୁଡ଼ିକ ଗୁରୁତ୍ବ ଦେଉଛନ୍ତି।
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଚଳିତବର୍ଷ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ପାଇଁ ୭ ଥର ଯାଇଥିଲେ। ନିର୍ବାଚନ ତାରିଖ ଘୋଷଣା ପରେ ଏକାଧିକ ଥର ଯାଇ ସଭା, ରାଲି ଓ ରୋଡସୋରେ ଯୋଗ ଦେଉଛନ୍ତି।
ସିଦ୍ଦରମୈୟା
ନିର୍ବାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଲେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଧିକ। ମହୀଶୂର ଜିଲ୍ଲାର ସିଦ୍ଦରାମାନହୁଣ୍ଡି ଅଞ୍ଚଳର ବାସିନ୍ଦା ସିଦ୍ଦରମୈୟା ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ରାହୁଲଙ୍କର ମଧ୍ୟ ତାଙ୍କ ପ୍ରତି ସମର୍ଥନ ରହିଥିବା କୁହାଯାଉଛି। ସେ ମୁଖ୍ୟମନ୍ତ୍ରୀ ହେଲେ ୨୦୨୪ ନିର୍ବାଚନରେ ରାଜ୍ୟରେ ବିଜେପିକୁ କଡ଼ା ଟକର ଦେଇପାରିବେ ବୋଲି ଆଶା ରହିଛି। କିନ୍ତୁ ବୟସ ଦୃଷ୍ଟିରୁ ଦେଖିଲେ ତାଙ୍କୁ ଏବେ ୭୬ ବର୍ଷ ହେଲାଣି। ଏଥିସହିତ ମୁଖ୍ୟମନ୍ତ୍ରିତ୍ବ ସମୟରେ ସେ କୁରୁବା ସଂପ୍ରଦାୟର ଅଧିକାରୀମାନଙ୍କୁ ମାତ୍ରାଧିକ ଗୁରୁତ୍ବ ଦେବାରୁ ଲିଙ୍ଗାୟତ ଏବଂ ଭୋକାଲିଗା ସଂପ୍ରଦାୟର ଅଧିକାରୀମାନେ ଅସନ୍ତୁଷ୍ଟ ହୋଇଥିଲେ।
ଡିକେ ଶିବକୁମାର
ଡିକେ ଶିବକୁମାର ୮ ଥରର ବିଧାୟକ। ମୁଖ୍ୟମନ୍ତ୍ରୀ ହେବା ଆକାଂକ୍ଷା ତାଙ୍କର ପ୍ରବଳ ରହିଛି। ଏଥିପାଇଁ ସେ ଏକାଧିକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ କନକପୁରାରେ ତାଙ୍କର ପ୍ରବଳ ଲୋକପ୍ରିୟତା ରହିଛି। ଅନ୍ୟ ରାଜ୍ୟରେ ଯେତେବେଳେ କଂଗ୍ରେସ ସରକାର ଭାଙ୍ଗିବାକୁ ପ୍ରଚେଷ୍ଟା କରାଯାଇଛି ସେତେବେଳେ ସେ ସେଠାକାର ବିଧାୟକମାନଙ୍କୁ ଆଣି ରଖି ସରକାରକୁ ସୁରକ୍ଷା ଦେଇଥାନ୍ତି। ସେ ଦେଶର କେବଳ ଜଣେ ଧନୀ କଂଗ୍ରେସ ନେତା ନୁହନ୍ତି ଦଳ ମଧ୍ୟ ଜାଣିଛି ଅନ୍ୟ ରାଜ୍ୟ ଏବଂ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ସେ ପାଣ୍ଠି ଯୋଗାଡ଼ କରିପାରିବେ। ଅନ୍ୟପକ୍ଷରେ ତାଙ୍କ ନାମରେ ସିବିଆଇ, ଇଡି ଏବଂ ଆଇଟି ବିଭାଗର ଏକାଧିକ ମାମଲା ରହିଛି। ୧୦୪ ଦିନ ଜେଲରେ କଟାଇବା ସହିତ ବିଭିନ୍ନ ମାମଲାରେ ସେ ଜାମିନରେ ଅଛନ୍ତି।
ବସବରାଜ ବୋମାଇ
ବିଜେପି ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ସଂଖ୍ୟା ଗରିଷ୍ଠତା ହାସଲ କରିଲେ ବି ଦଳ ତାଙ୍କୁ ଆପେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ନାହିଁ। ପୂର୍ବରୁ ସେ ଜେଡିୟୁରେ ଥିଲେ। ୟେଦୁରପ୍ପାଙ୍କ ଦ୍ବାରା ସେ ୨୦୦୬ରେ ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ୟେଦୁରପ୍ପାଙ୍କୁ ବିଦା କରିବା ସମୟରେ ଦଳ ତାଙ୍କୁ ୨୦୨୧ ଜୁଲାଇରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା। ଯଦିଓ ସେ ବିଗତ ଦିନରେ ଅନେକ ଭଲ କାର୍ଯ୍ୟ କରିଛନ୍ତି ତଥାପି ମୁଖ୍ୟମନ୍ତ୍ରୀ ଭାବେ ନିଜର ସ୍ବତନ୍ତ୍ର ଛାପ ଏପର୍ଯ୍ୟନ୍ତ ଛାଡ଼ିପାରିନାହାନ୍ତି। କିନ୍ତୁ ଦଳ ବିଜୟୀ ହେଲେ ସେ ମୁଖ୍ୟମନ୍ତ୍ରୀ ହେବ କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। କିଛି ବିଶ୍ଳେଷକଙ୍କ କହିବାନୁଯାୟୀ ବିଜେପି କ୍ଷମତାକୁ ଆସିଲେ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିପାରନ୍ତି।
ପ୍ରହ୍ଲାଦ ଯୋଶୀ
ହୁବଲି-ଧାରୱାଡ ଅଞ୍ଚଳରୁ ୪ ଥର ସାଂସଦ ହୋଇ ଏବେ କେନ୍ଦ୍ରରେ ମନ୍ତ୍ରୀ ଥିବା ପ୍ରହ୍ଲାଦ ଯୋଶୀ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ। ସେ ଉଭୟ ମୋଦୀ ଏବଂ ଶାହଙ୍କ ନିକଟତର ଓ ବିଶ୍ବସ୍ତ। ୟେଦୁରପ୍ପାଙ୍କୁ ବିଦା କରାଯିବା ସମୟରେ ଅନୁମାନ କରାଯାଉଥିବା ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। କିନ୍ତୁ ଲିଙ୍ଗାୟତ ସଂପ୍ରଦାୟର ନେତାଙ୍କ ବିଦା କରାଯିବା ସମୟରେ ଅନ୍ୟ ଜଣେ ଲିଙ୍ଗାୟତଙ୍କୁ ବସାଇବା ଦାବି ଫଳରେ ବୋମାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଆଗକୁ ନିର୍ବାଚନ ଥିବାରୁ ଜଣେ ଅଣ ଲିଙ୍ଗାୟତଙ୍କୁ ମୁଖ୍ୟମନ୍ତ୍ରୀ କରିବା ବିପଦ ବିଜେପି କେତେ ନେବ ତାହା ଫଳ ପ୍ରକାଶ ପାଇବା ପରେ ଜଣାପଡ଼ିବ।
ଏଚଡି କୁମାରସ୍ବାମୀ
ଜେଡିଏସ ନେତା ତଥା ପୂର୍ବରୁ କର୍ଣ୍ଣାଟକରେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏଚଡି କୁମାରସ୍ବାମୀ ନିର୍ବାଚନ ଫଳକୁ ଅପେକ୍ଷା କରିଛନ୍ତି। ଯଦି ବିଜେପି କିମ୍ବା କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ନମିଳେ ତାହେଲେ ସେ ଆଉଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ଲାଗି ଆଶା ରଖିଛନ୍ତି। ତେବେ ଏସବୁ ନିର୍ଭର କରୁଛି ଜେଡିଏସକୁ କେତେ ଆସନ ମିଳୁଛି। ଯଦି ଦଳକୁ ୩୦ରୁ ୩୫ ଆସନ ମିଳେ ତାହେଲେ କୁମାରସ୍ବାମୀ ଭଲ ମୂଲଚାଲ କରିବା ସ୍ଥିତିରେ ରହିବେ। ନଚେତ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ମଉଳି ଯିବ।
ଯଦି ଝୁଲା ବିଧାନସଭା ହୁଏ ତାହେଲେ ଉପରୋକ୍ତ ବ୍ୟକ୍ତିମାନଙ୍କ ବାଦ୍ କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ଼ଗେ, ଜି ପରମେଶ୍ବର, ଏମବି ପାଟିଲ ଏବଂ ବିଜେପି ପକ୍ଷରୁ ଏସଏନ ସନ୍ତୋଷ, ସିଟି ରବି, ଆର୍ ଅଶୋକ ଆଦି ମୁଖ୍ୟମନ୍ତ୍ରୀ ଦୌଡ଼କୁ ଆସିପାରନ୍ତି। ତେଣୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୌକିରେ କିଏ ବସିବ ତାହା ଆସନ୍ତା ୧୩ ତାରିଖରେ ଫଳ ପ୍ରକାଶ ପରେ ଜଣାପଡ଼ିବ।