ମୁମ୍ବାଇ: ମହାରାଷ୍ଟ୍ରରେ ପରବର୍ତ୍ତୀ ସରକାର ଗଠନର ରୂପରେଖ ନେଇ ମହାୟୁତିରେ ଏବେ ମନ୍ଥନ ଜାରି ରହିଛି। ବିଜେପିର ଶୀର୍ଷ ନେତୃତ୍ବ ଦେବେନ୍ଦ୍ର ଫଡ଼ନାବିସ୍ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶିବସେନା ଓ ଏନ୍ସିପିକୁ ସ୍ପଷ୍ଟ ସଙ୍କେତ ଦେଇଥିବା ବେଳେ ଆଜି ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ପୂର୍ବାହ୍ନରେ ମୁମ୍ବାଇ ରାଜଭବନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସିନ୍ଦେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ନ ହେବା ପର୍ଯ୍ୟନ୍ତ ସିନ୍ଦେଙ୍କୁ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବାକୁ ରାଜ୍ୟପାଳ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଫଡ଼ନାବିସ ଆଲୋଚନା କରିଥିବା ବେଳେ ଆର୍ଏସ୍ଏସ୍ ମଧ୍ୟ ଫଡ଼ନାବିସ୍ଙ୍କ ସପକ୍ଷରେ ଦୃଢ଼ମତ ରଖିଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଫଡ଼ନାବିସ୍ ସବୁଠାରୁ ଆଗରେ ଥିବା ବେଳେ ସେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।
ଫଡ଼ନାବିସ୍ଙ୍କ ପାଇଁ ରାସ୍ତା ସଫା
ସିନ୍ଦେ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ବିପୁଳ ବିଜୟ ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍ପେନ୍ସ ଜାରି ରହିଛି। ଏନ୍ସିପିର ଦୃଢ଼ ସମର୍ଥନ ପରେ ଫଡ଼ନାବିସ୍ ମୁଖ୍ୟମନ୍ତ୍ରୀ ହେବାପାଇଁ ରାସ୍ତା ସଫା ହୋଇଯାଇଥିଲେ ମଧ୍ୟ ଏହାକୁ ନେଇ ମହାୟୁତିରେ ଯେଭଳି କୌଣସି ଫାଟ ସୃଷ୍ଟି ନହୁଏ ସେଥିପାଇଁ ବିଜେପିର ଶୀର୍ଷ ନେତୃତ୍ବ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ନେଉଛନ୍ତି। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ୨୩୫ ଆସନ ହାସଲ କରିଛି। ବିଜେପି ୧୩୨ଟି ଆସନ ଜିତିଥିବା ବେଳେ ଏହାର ସହଯୋଗୀ ଶିବସେନା ଏବଂ ଏନ୍ସିପି ଯଥାକ୍ରମେ ୫୭ ଏବଂ ୪୧ ଆସନରେ ବିଜୟୀ ହୋଇଛନ୍ତି। ଅନେକ କ୍ଷୁଦ୍ର ଦଳ ମଧ୍ୟ ଏହି ମେଣ୍ଟରେ ସାମିଲ ଅଛନ୍ତି। ଏକନାଥ ସିନ୍ଦେଙ୍କୁ ପୂରା ୫ ବର୍ଷ ପାଇଁ ଉପମୁଖ୍ୟମନ୍ତ୍ରୀ ରହିବା ନିମନ୍ତେ ଏବେ ମନାଇବାକୁ ପ୍ରୟାସ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ ବା ପୂର୍ତ୍ତ ମନ୍ତ୍ରଣାଳୟ ଦିଆଯାଇପାରେ। ସମୃଦ୍ଧି ମହାମାର୍ଗ ଭଳି ଯୋଜନା ଏହି ମନ୍ତ୍ରଣାଳୟର ଅବଦାନ । ଅଜିତ ପାୱାରଙ୍କୁ ଅର୍ଥ ମନ୍ତ୍ରଣାଳୟ ଦିଆଯାଇପାରେ ଏବଂ ସେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ରହିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଏକନାଥ ସିନ୍ଦେଙ୍କ ଘନିଷ୍ଠ ସହଯୋଗୀ ଉଦୟ ସାମନ୍ତ, ଶମ୍ଭୁରାଜେ ଦେଶାଇ କିମ୍ବା ଦୀପକ କେସରକର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଏବଂ ଆଗାମୀ ଦିନରେ ଏକନାଥ ସିନ୍ଦେ କେନ୍ଦ୍ର ସରକାରରେ ସାମିଲ ହୋଇପାରନ୍ତି।