ଗୁଜରାଟରେ କିଏ ହେବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?

‘ନାୟକ’ ଇସୁଦାନ ଗାଧ୍ବୀ ନା ପଟିଦାର ଗୋପାଳ ଇଟାଲିଆ? ଜନମତ ଉପରେ ଆପ୍‌ର ମୋହର ଆଜି

ଗାନ୍ଧୀନଗର : ଆମ୍ ଆଦ୍‌ମୀ ପାର୍ଟି ତା’ର ପଞ୍ଜାବ ନୀତି ଗୁଜରାଟରେ ଆପଣାଇଛି। ଗୁଜରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ- ଏ ନେଇ ଆପ୍ ଜନସାଧାରଣଙ୍କ ମତ ଲୋଡ଼ିଛି। ଆପ୍ ଏକ ନିଃଶୁଳ୍କ ଫୋନ୍ ନମ୍ବର ୬୩୫୭୦୦୦୩୬୦ ଜାରି କରିଛି, ଯାହାକୁ ଫୋନ୍ କରି ଜନସାଧାରଣ ନିଜର ମତ ଦେଇପାରିବେ। ଆଜି ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ଫୋନ୍ ନମ୍ବର ଖୋଲା ରହିବ ଏବଂ କାଲି ଦଳ ମୁଖ୍ୟ ଅରବିନ୍ଦ କେଜରିୱାଲ ବିଜେତାଙ୍କ ନାମ ଘୋଷଣା କରିବେ।

ଦଳର ଆଭିମୁଖ୍ୟ ଯାହା ବି ହେଉନା କାହିଁକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଲଢ଼େଇ ବର୍ତ୍ତମାନ ଦୁଇଜଣଙ୍କ ଭିତରେ ହେଉଛି। ସେମାନେ ହେଉଛନ୍ତି, ଦଳର ଜାତୀୟ ଯୁଗ୍ମ ସଚିବ ଇସୁଦାନ ଗାଧ୍ବୀ ଏବଂ ରାଜ୍ୟ ସଭାପତି ଗୋପାଳ ଇଟାଲିଆ। ଏକ ତୃତୀୟ ବିକଳ୍ପ ମଧ୍ୟ ଦଳ ଖୋଲା ରହିଛି- ଯଦି କୌଣସି ତୃତୀୟ ବ୍ୟକ୍ତିଙ୍କ ସପକ୍ଷରେ ଅଧିକ ଜନମତ ମିଳେ ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ। ତେବେ ତା’ର ସମ୍ଭାବନା ବହୁତ କମ୍।

ଗାଧ୍ବୀ ହେଉଛନ୍ତି ଗୁଜରାଟର ଜଣେ ଲୋକପ୍ରିୟ ଟିଭି ସାମ୍ବାଦିକ ଓ ଆଙ୍କର। ଭିଟିଭି ନ୍ୟୁଜ୍‌ରେ ତାଙ୍କର କାର୍ଯ୍ୟକ୍ରମ ‘ମହାମନ୍ଥନ’ ରାତି ୮ଟାରୁ ୯ଟା ଯାଏ ଚାଲୁଥିଲା କିନ୍ତୁ ଲୋକଙ୍କ ଡିମାଣ୍ଡ ବଢ଼ିବାରୁ ତାହା ୯ଟା ୩୦ ଯାଏ ଚାଲିଲା। ଏହି କାର୍ଯ୍ୟକ୍ରମର ଲକ୍ଷ ଲକ୍ଷ ଦର୍ଶକ ଥିଲେ। ନିଜକୁ ‘ନାୟକ’ ବୋଲି କହୁଥିବା ଏବଂ ଲୋକଙ୍କୁ ନ୍ୟାୟ ଦେବା ଓ ସେମାନଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଗାଧ୍ବୀ କହିଛନ୍ତି,- ‘‘ଏହି ସୋ ଯେତେବେଳେ ଟିଭି ପରଦାରୁ ବାହାରକୁ ଆସିଲା, ଶହଶହ ଲୋକଙ୍କ ସମାବେଶ ହେଲା। ବିଶେଷ କରି କୃଷକମାନେ ମୋ ଭିତରେ ଜଣେ ତ୍ରାଣକର୍ତ୍ତାଙ୍କୁ ଦେଖିଲେ।’’ ଏହି କାର୍ଯ୍ୟକ୍ରମ ଛଡ଼ା ଗାଧ୍ବୀ ଏକ ରବିବାରିଆ ସାପ୍ତାହିକ କାର୍ଯ୍ୟକ୍ରମ ‘ଧାର୍ମିକ ସଂସ୍କୃତିର ସୁରକ୍ଷା’ର ମଧ୍ୟ ପରିଚାଳନା କରୁଥିଲେ।

୪୦ ବର୍ଷୀୟ ଗାଧ୍ବୀ ଦ୍ବାରକା ଜିଲ୍ଲାର ପିପ୍ପଳିଆ ଗାଁରୁ ଏକ ସ୍ବଚ୍ଛଳ କୃଷକ ପରିବାରୁ ଆସିଛନ୍ତି। ତାଙ୍କ ସଂଜ୍ଞାରୁ ଜଣାପଡ଼ୁଛି ସେ ଅନ୍ୟାନ୍ୟ ପଛୁଆ ବର୍ଗ ‘ଗାଧ୍ବୀ’ ଜାତିର। ଗୁଜରାଟରେ ବି ଓବିସିଙ୍କ ସଂଖ୍ୟା ହେଉଛି ୪୮ ପ୍ରତିଶତ। ଗାଧ୍ବୀଙ୍କ ଲୋକପ୍ରିୟତା ତଥା ଏହି କାରଣରୁ ସେ ହିଁ ବିଜେତା ହେବାର ସମ୍ଭାବନା ଅଧିକ।
ଗାଧ୍ବୀ ଖାମ୍ବଲିଆ, ଜାମନଗର ଓ ଅହମଦାବାଦରେ ଅଧ୍ୟୟନ କରିଛନ୍ତି। ସେ ଜଣେ କମର୍ସ ଗ୍ରାଜୁଏଟ ଏବଂ ଗୁଜରାଟ ବିଦ୍ୟାପୀଠ, ଅହମଦାବାଦରୁ ୨୦୦୫ରେ ସେ ଜର୍ଣ୍ଣାଲିଜିମ୍ ଓ ମାସ୍ କମ୍ୟୁନିକେସନରେ ମାଷ୍ଟର ଡିଗ୍ରି କରିଛନ୍ତି। ଟ୍ରେନି ସାମ୍ବାଦିକରୁ ସେ ଖୁବ୍‌ ଶୀଘ୍ର ମାତ୍ର ୩୨ ବର୍ଷ ବୟସରେ ଭିଟିଭି ନ୍ୟୁଜ୍‌ର ଏଡିଟର ହୋଇପାରିଛନ୍ତି। ୨୦୦୧ ଜୁନ୍ ପହିଲାରେ ସେ ତାଙ୍କ ଟିଭି ଚାକିରି ଛାଡ଼ି ଜୁନ୍ ୧୪ରେ ଆପ୍‌ରେ ଯୋଗ ଦେଇଛନ୍ତି। ତେବେ ବିଜେପି ଓ କଂଗ୍ରେସରୁ ମଧ୍ୟ ତାଙ୍କୁ ଅଫର ମିଳିଥିଲା।

ଅନ୍ୟ ପ୍ରାର୍ଥୀ ଜଣକ ହେଉଛନ୍ତି ଆପ୍‌ର ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆ। ସେ ଏବଂ ଦଳର ଗୁଜରାଟ ପ୍ରଭାରୀ ଗୁଲାବ ସିଂହ ଯାଦବ ଅରବିନ୍ଦ କେଜରିୱାଲଙ୍କ ସହ କଥାବାର୍ତ୍ତା କରି ଏବଂ ଗାଧ୍ବୀଙ୍କୁ ରାଜି କରାଇ ତାଙ୍କୁ ଦଳକୁ ଆଣିଥିଲେ।

ଅନ୍ୟ ପକ୍ଷରେ ଆପ୍‌ର ରାଜ୍ୟ ଆବାହକ ୩୩ ବର୍ଷୀୟ ଇଟାଲିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ବିବାଦୀୟ ଭିଡ଼ିଓ ଜାରି କରି ବିବାଦ‌ ସୃଷ୍ଟି କରିଥିଲେ। ସେଥିପାଇଁ ଏନ୍‌ସିଡବ୍ଲୁ ଦ୍ବାରା ତାଙ୍କୁ ସମନ କରାଯାଇଥିଲା ଏବଂ ପୁଲିସ ତାଙ୍କୁ ଅଟକ ରଖିଥିଲା। ବୋଟାଡ଼ରେ ଜନ୍ମିତ ଇଟାଲିଆ ଛୋଟ ହୋଇଥିବା ବେଳେ ତାଙ୍କ ବାପାମାଆ ଅଲଗା ହୋଇଯାଇଥିଲେ। ତାଙ୍କ ମାଆ ଶ୍ରମିକ ଭାବେ କାମ କରି ୩ ପିଲାଙ୍କୁ ମଣିଷ କରିଥିଲେ। ଇଟାଲିଆ ଦ୍ବାଦଶ ପାସ୍ କରିବା ପରେ ହୀରା କାରଖାନାରେ କାମ କରି ପରିବାରକୁ ସହଯୋଗ କରିଥିଲେ। ୨୦୦୬ରୁ ୨୦୧୧ ଭିତରେ ସେ ହୀରା କାରଖାନା, ଲୁଗା କଳ ଓ କୃଷି କ୍ଷେତରେ କାମ କରିଛନ୍ତି। ୨୦୧୨ରେ ସେ ଏକ କ‌ନଷ୍ଟେବଳ ଚାକିରି ପାଇଲେ।୨୦୧୫ରେ ସେ ଚାକିରି ଛାଡ଼ି ୨୦୧୬ରେ କମ୍ପିଟିଟିଭ ପରୀକ୍ଷା ଦେଇ ଅହମଦାବାଦ କଲେକ୍ଟରେଟରେ କିରାଣି ଚାକିରି ପାଇଲେ। ଗୁଜରାଟର ପ୍ରଭାବଶାଳୀ ପଟିଦାର ସମ୍ପ୍ରଦାୟରୁ ଆସିଥିବା ଇଟାଲିଆ ପୁଣି ଚାକିରି ଛାଡ଼ି ପଟିଦାର ଆନ୍ଦୋଳନରେ ଯୋଗ ଦେଲେ। ଭାଷଣ ଦେବାର ଦକ୍ଷତା ତାଙ୍କୁ ଜଣେ ନେତାରେ ପରିଣତ କରିଦେଲା। ଶେଷରେ ୨୦୨୦ ଜୁଲାଇରେ ସେ ଏକ ଭିଡ଼ିଓ କଲ ମାଧ୍ୟମରେ ଗୋପାଳ ରାୟଙ୍କ ସହ କଥାବାର୍ତ୍ତା କରି ଆପ୍‌ରେ ଯୋଗ ଦେଲେ। ତେବେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଲୋକେ କାହାକୁ ବାଛୁଛନ୍ତି ତାହା ଆସନ୍ତାକାଲି ଜଣାପଡ଼ିବ।

ସମ୍ବନ୍ଧିତ ଖବର