ବିହାର କଂଗ୍ରେସର ଦାୟିତ୍ୱ ନେବେ କହ୍ନୈୟା କୁମାର ! ରାହୁଲ ଗାନ୍ଧୀ କରିପାରନ୍ତି ଘୋଷଣା

ପାଟନା: ବିହାରରେ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସକୁ ପୁଣି ଥରେ ସକ୍ରିୟ କରିବାର ଉଦ୍ୟମ ଆରମ୍ଭ ହୋଇଛି। ବିହାର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ମଦନ ଝାଙ୍କ ଇସ୍ତଫା ପରେ ନୂତନ ଅଧ୍ୟକ୍ଷ କିଏ ହେବେ, ସେନେଇ କଳ୍ପନା ଜଳ୍ପନାର ଜାରି ରହିଥିବା ବେଳେ ଏବେ ଏକ ନୂଆ ନାଁ ସାମ୍ନାକୁ ଆସିଛି। ଏହି ନ‌ାଁକୁ ନେଇ ବର୍ଷ ବର୍ଷ ଧରି କଂଗ୍ରେସକୁ ସମର୍ଥନ କରିଆସୁଥିବା ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

କୁହାଯାଉଛି ଯେ ବିହାର କଂଗ୍ରେସର ଦାୟିତ୍ୱ କହ୍ନୈୟା କୁମାରଙ୍କ ହାତକୁ ଯାଇପାରେ। ବିହାରରେ ଆରଜେଡି ଏବଂ କଂଗ୍ରେସର ରାସ୍ତା ଅଲଗା ହୋଇଥିବା କହ୍ନୈୟା କୁମାର ଏଥିପାଇଁ ଦାୟୀ ବୋଲି ଚର୍ଚ୍ଚା ହେଉଛି। ବିଶେଷଜ୍ଞମାନଙ୍କ ଅନୁଯାୟୀ ଯଦି ରାହୁଲ ଗାନ୍ଧୀ ବିହାରର ଦାୟିତ୍ବ କାହାକୁ ଦେବାକୁ ନିଷ୍ପତ୍ତି ନିଅନ୍ତି, ତେବେ କହ୍ନୈୟା କୁମାର ହିଁ ବିହାର କଂଗ୍ରେସର ସଭାପତି ହେବେ।

ବିହାରର ତୁଙ୍ଗ ନେତାଙ୍କ ଅନୁଯାୟୀ, କହ୍ନୈୟା ଭୂମିହାର ଜାତିର ଅଟନ୍ତି। ବିହାରରେ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ କଂଗ୍ରେସ ପାଖରେ କହ୍ନୈୟାଙ୍କ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ବିଶେଷଜ୍ଞମାନଙ୍କ ଅନୁଯାୟୀ, କହ୍ନୈୟା ଦଳର ଦାୟିତ୍ବ ହାତକୁ ନେବା ପରେ ବିହାରର ଭୂମିହାର ଯୁବକ କଂଗ୍ରେସକୁ ସମର୍ଥନ କରିବେ, ଯେଉଁମାନେ ବର୍ତ୍ତମାନ ବିଜେପିକୁ ସମର୍ଥନ କରୁଛନ୍ତି। ଏଭଳି ହେଲେ କଂଗ୍ରେସ ବିହାରରେ ସରକାର ଗଠନ କରିବା ସମ୍ଭବ ହେବ। ତେବେ କଂଗ୍ରେସ ହାଇକମାଣ୍ଡ କାହା ହାତରେ ଦଳକୁ ସୁଦୃଢ଼ କରିବାର ଦାୟିତ୍ବ ଦେବେ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର