ନୂଆଦିଲ୍ଲୀ: ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଵାଲ ଆସନ୍ତା ଦୁଇ ଦିନ ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ରବିବାର ଘୋଷଣା କରିଛନ୍ତି। ଅବକାରୀ ନୀତି ମାମଲାରେ ଶୁକ୍ରବାର ତିହାର ଜେଲରୁ ଜାମିନରେ ମୁକୁଳିଥିବା କେଜ୍ରିୱାଲ  କହିଛନ୍ତି ଯେ  ଲୋକମାନେ ତାଙ୍କୁ ସଚ୍ଚୋଟତାର ପ୍ରମାଣପତ୍ର ନଦେବା ପର୍ଯ୍ୟନ୍ତ ସେ  ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ।  କେଜ୍ରିଵାଲଙ୍କ କହିବାନୁଯାୟୀ, ଖୁବ୍‌ଶୀଘ୍ର ଆପ୍ ବିଧାୟକମାନଙ୍କର ଏକ ବୈଠକ  ହେବ ଏବଂ  ଦଳର ଜଣେ ନେତା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। କେଜ୍ରିୱାଲଙ୍କ ଏହି ଘୋଷଣା ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ନାନା କଳ୍ପନାଜଳ୍ପନା ଚାଲିଛି। କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଦଳ ଯୋଜନା କରୁଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଦିଲ୍ଲୀର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ  ସୁନୀତାଙ୍କ ସହିତ ଆତିଶୀଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତାଙ୍କ ହାତରେ ବର୍ତ୍ତମାନ ଦିଲ୍ଲୀ କ୍ୟାବିନେଟରେ ପାଞ୍ଚଟି ବିଭାଗ ରହିଛି। ମହିଳା ଓ ଶିଶୁ ବିକାଶ, ଶିକ୍ଷା, ପର୍ଯ୍ୟଟନ, କଳା, ସଂସ୍କୃତି ଏବଂ ଭାଷା, ପୂର୍ତ୍ତ ବିଭାଗ ଏବଂ ଶକ୍ତି ମନ୍ତ୍ରାଳୟ ଦାୟିତ୍ବରେ ଥିବା ଆତିଶୀ କେଜ୍ରିୱାଲଙ୍କ ଖୁବ୍‌ ବିଶ୍ବସ୍ତ ହୋଇଥିବାରୁ ତାଙ୍କୁ ମଧ୍ୟ ଏହି ପଦ ମିଳିପାରେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟ ଚର୍ଚ୍ଚିତ ନେତାଙ୍କ ମଧ୍ୟରେ କୈଳାସ ଗେହଲେଟ, ସୌରଭ ଭରଦ୍ୱାଜ, ଗୋପାଳ ରାୟ ଓ ଇମ୍ରାନ ହୁସେନ ଅଛନ୍ତି। ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଥିବା ମନିଷ ସିସୋଦିଆ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବେନାହିଁ ବୋଲି ଜଣାପଡ଼ିଛି।

Advertisment

ସୌରଭ ଭରଦ୍ୱାଜଙ୍କ ହାତରେ ଏବେ  ଭିଜିଲାନ୍ସ, ସେବା, ସ୍ୱାସ୍ଥ୍ୟ, ଶିଳ୍ପ, ନଗର ଉନ୍ନୟନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ଭଳି ୭ଟି ବିଭାଗ ରହିଛି। ଅନ୍ୟପକ୍ଷରେ ଗୋପାଳ ରାୟ ଜାତୀୟ ରାଜଧାନୀର ଉନ୍ନୟନ, ସାଧାରଣ ପ୍ରଶାସନ ବିଭାଗ, ପରିବେଶ ଏବଂ ଜଙ୍ଗଲ ଓ ବନ୍ୟପ୍ରାଣୀ ମନ୍ତ୍ରୀ ଅଟନ୍ତି । ଇମ୍ରାନ୍ ହୁସେନ୍  ଦିଲ୍ଲୀରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିବା ବେଳେ ତାଙ୍କ ନାମକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି। କେଜ୍ରିୱାଲଙ୍କ କହିବାନୁସାରେ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ  ନିର୍ବାଚନ ପରେ ପୁଣି ଥରେ ନିଜ ପଦକୁ ଫେରିବେ। 

ଅନ୍ୟପଟେ କେଜ୍ରିଵାଲଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘୋଷଣାକୁ ବିଜେପି ଏକ ଚାଲ୍‌ ବୋଲି କହିଛି।  ଦିଲ୍ଲୀବାସୀଙ୍କ ମଧ୍ୟରେ ତାଙ୍କର ଭାବମୂର୍ତ୍ତି ଜଣେ ସଚ୍ଚୋଟ ନେତାନୁହେଁ ବରଂ ଜଣେ ଦୁର୍ନୀତିଗ୍ରସ୍ତ ନେତା  ବୋଲି ସେ ବୁଝିସାରିଲେଣି। ସୁପ୍ରିମ୍‌କୋର୍ଟ ତାଙ୍କୁ ଜଣେ ଅପରାଧୀ ଭାବେ ଗ୍ରହଣ କରି ଅତି କଠୋର ସର୍ତ୍ତ ଲାଗୁ କରିଥିବାରୁ ସେ ଇସ୍ତଫା ଦେବାକୁ ବାଧ୍ୟ ବୋଲି ବିଜେପି କହିଛି।  ବିଭ୍ରାନ୍ତି ଓ ହଟଚମଟ ଦ୍ବାରା କେଜ୍ରିୱାଲ ନିଜର ଭାବମୂର୍ତ୍ତି ଫେରାଇ ଆଣିବାକୁ ଚାହୁଁଛନ୍ତି। ଏହା କଦାପି ସଫଳ ହେବନାହିଁ ବୋଲି ବିଜେପି ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି।