ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼ । ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି ଧନଖଡ଼ । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଧନଖଡ଼ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଚିଠିରେ ଲେଖିଛନ୍ତି, ମୁଁ ଦେଶର ରାଷ୍ଟ୍ରପତିଙ୍କ ପ୍ରତି ଅତୁଟ ସମର୍ଥନ ଏବଂ ମୋ କାର୍ଯ୍ୟକାଳରେ ଆମ ମଧ୍ୟରେ ସୁଖଦ ଓ ଅଦ୍ଭୂତ କାର୍ଯ୍ୟ ସମ୍ପର୍କ ପାଇଁ କୃତଜ୍ଞ । 

Advertisment

ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି । ସଂସଦର ସବୁ ସଦସ୍ୟଙ୍କ ଠାରୁ ବହୁତ ଭଲପାଇବା ଓ ବିଶ୍ବାସ ପାଇଛି । ଦେଶର ମହାନ ଗଣତନ୍ତ୍ରରେ ଉପରାଷ୍ଟ୍ରପତି ଭଳି ପଦ ପାଇଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞ । ନିଜ କାର୍ଯ୍ୟକାଳରେ ବହୁତ କିଛି ଶିଖିବାକୁ ପାଇଥିବା କହିଛନ୍ତି ଧନଖଡ଼ । ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ନୂଆ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା ଆରମ୍ଭ ହୋଇଛି । 

ତେବେ ନିଜ ରୋକଠୋକ ବୟାନ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି ଧନଖଡ । ସୁପ୍ରିମକୋର୍ଟ ‘ସୁପର ସଂସଦ’ ହୋଇପାରିବନି ବୋଲି କହି ଚର୍ଚ୍ଚାକୁ ଆସିଥିଲେ ସେ । ଭାରତୀୟ ସମ୍ବିଧାନରେ ସଂସଦ ହିଁ ସର୍ବୋଚ୍ଚ, ଜନପ୍ରତିନିଧିଙ୍କ ଉପରେ କେହି ନାହିଁ.. ଜନପ୍ରତିନିଧି ହିଁ ସମ୍ବିଧାନରେ ପରିବର୍ତ୍ତନ କରିପାରିବେ, ଅନ୍ୟ କେହି ନୁହେଁ.. ଧନଖଡଙ୍କ ଏହି ବୟାନକୁ ନେଇ ଜୋରଦାର ବିରୋଧ କରିଥିଲେ ବିରୋଧୀ । ଅଦାଲତ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇପାରିବନି । ସୁପର ସଂସଦ ଭଳି ଏବେ କାମ କରୁଛନ୍ତି ବିଚାରପତି । ବିଧେୟକକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ସମୟସୀମା ନିର୍ଦ୍ଧାରଣ ପାଇଁ କହିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଏଭଳି ପରାମର୍ଶକୁ ବିରୋଧ କରିଥିଲେ ଉପରାଷ୍ଟ୍ରପତି । ତାମିଲନାଡୁର ବିଲକୁ ନେଇ ରାଜ୍ୟ ସରକାର-ରାଜ୍ୟପାଳଙ୍କ ମାମଲାରେ ସୁପ୍ରିମକୋର୍ଟକୁ ରାୟକୁ ନେଇ ଏଭଳି କହିଥିଲେ ଧନଖଡ ।

ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଛାଡିଦେଲେ ଅନ୍ୟ ସମସ୍ତଙ୍କୁ ଯାଞ୍ଚର ସାମ୍ନା କରିବା ଉଚିତ୍ । ବିଚାରପତିଙ୍କ ଉପରେ କାହିଁକି ଦେଶର ଆଇନ ଲାଗୁ ହେବ ନାହିଁ? ବୋଲି ପ୍ରଶ୍ନ କରି ଧନଖଡ଼ କହିଥିଲେ କୌଣସି ସଂସ୍ଥା ସମ୍ବିଧାନରୁ ଉର୍ଦ୍ଧ୍ବରେ ନୁହନ୍ତି । ତେବେ ୨୦୨୨ରେ ଦେଶର ଉପରାଷ୍ଟ୍ରପତି ପଦରେ ବସିଥିଲେ ଧନଖଡ଼ ।