କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ?

ସିଦ୍ଧୁ ଏକ ବଡ଼ ବିପର୍ଯ୍ୟୟ: ଅମରିନ୍ଦର, ସିଦ୍ଧୁଙ୍କ ପାକ୍‌ ପ୍ରେମ ଦେଶ ପାଇଁ ବିପଦ

ନୂଆଦିଲ୍ଲୀ: ଆଉ ମାତ୍ର ୪ ମାସ ପରେ ପଂଜାବ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଆଜି ଅପ୍ରତ୍ୟାଶିତ ଭାବେ କ୍ୟାପଟେନ ଅମରିନ୍ଦର ସିଂହ ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଅମରିନ୍ଦର ଦଳ ଛାଡ଼ିବା ନେଇ ସ୍ପଷ୍ଟ ସଙ୍କେତ ଦେଇଥିବାରୁ ଆଗକୁ କଂଗ୍ରେସ ପାଇଁ ରାସ୍ତା ଏତେ ସହଜ ହେବନାହିଁ ବୋଲି କୁହାଯାଉଛି। ତେଣୁ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦଳର ନେତୃତ୍ବ ନେବାକୁ କଂଗ୍ରେସକୁ ଜଣେ ଟାଣୁଆ ନେତା ବାଛିବାକୁ ପଡ଼ିବ। ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଏଥିପାଇଁ ଜଣେ ପ୍ରମୁଖ ଦାବିଦାର ଥିଲେ ମଧ୍ୟ ଅମରିନ୍ଦରଙ୍କ ସମର୍ଥକ ବିଧାୟକ ଗୋଷ୍ଠୀ ଏହାକୁ ଜୋରଦାର ବିରୋଧ କରିବାକୁ ସଜବାଜ ହେଉଛନ୍ତି। ପଂଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାନେଇ ଯେଉଁ ୪ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି, ସେମାନେ ହେଉଛନ୍ତି-

ସୁନିଲ ଜାଖର: ପଂଜାବ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁନିଲ ଜାଖର। ୬୭ ବର୍ଷୀୟ ଜାଖର ଲଗାତାର ୩ ଥର ବୋହର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ । ୨୦୧୨ରୁ ୨୦୧୭ ମଧ୍ୟରେ ସେ ପଂଜାବ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ପଂଜାବରେ ଏବେ ସେ ବିଧାୟକ ନଥିଲେ ମଧ୍ୟ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାପାଇଁ ପ୍ରଥମ ପସନ୍ଦ ବୋଲି କୁହାଯାଉଛି।

ନବଜୋତ ସିଂହ ସିଦ୍ଧୁ: ପଂଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେଉଛନ୍ତି ନବଜୋତ ସିଂହ ସିଦ୍ଧୁ। ଅମରିନ୍ଦରଙ୍କ କଡ଼ା ବିରୋଧ ସତ୍ତ୍ବେ ସିଦ୍ଧୁ ପଂଜାବ କଂଗ୍ରେସ ମୁଖ୍ୟ ହୋଇଛନ୍ତି। ଅମରିନ୍ଦରଙ୍କର ସେ ଦୃଢ଼ ସମାଲୋଚକ। ପୂର୍ବରୁ ସେ ଅମରିନ୍ଦରଙ୍କ କ୍ୟାବିନେଟ୍‌ରେ ଜଣେ ମନ୍ତ୍ରୀ ଥିଲେ। କିନ୍ତୁ ବିଭାଗ ବଦଳିବାପରେ ସେ ପଦ ଛାଡ଼ିଦେଲେ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସେ କଂଗ୍ରେସର ୧୮ ସୁତ୍ରୀ ଏଜେଣ୍ଡା କାର୍ଯ୍ୟକାରୀ କରିବାପାଇଁ ଲାଗି ପଡ଼ିଛନ୍ତି। ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।
ଅମ୍ବିକା ସୋନି: ଅମ୍ବିକା ସୋନି ଜଣେ ସାଂସଦ। ରାଜ୍ୟସଭାରେ ସେ ପଂଜାବରୁ ପ୍ରତିନିଧିତ୍ବ କରୁଛନ୍ତି। ‌ସେ ଉପା ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ। କଂଗ୍ରେସରେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ରହିଛନ୍ତି। ଭାରତୀୟ ଯୁବ କଂଗ୍ରେସ ଏବଂ ଅଲ୍‌ ଇଣ୍ଡିଆ ମହିଳା କଂଗ୍ରେସର ସେ ସଭାପତି। ୧୯୯୯ରୁ ୨୦୦୬ ମଧ୍ୟରେ ସେ ସର୍ବ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସଚିବ ଥିଲେ। ସେ ମଧ୍ୟ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

ପ୍ରତାପ ସିଂହ ବଜୱା: ପଂଜାବରୁ ଜଣେ ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବଜୱା ମଧ୍ୟ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାଲିକାରେ ଅଛନ୍ତି। ଛାତ୍ର‌ନେତା ଭାବେ ସେ ୧୯୭୬ରୁ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୨ରେ ସେ ଯୁବ କଂଗ୍ରେସ ସଭାପତି ହେଲେ ଏବଂ ପରେ ରାଜ୍ୟ କଂଗ୍ରେସ ସଭାପତି ହୋଇଥିଲେ। ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହ, ରାଜିନ୍ଦ୍ର କୌର ଭାଥଲ ଏବଂ ଅମରିନ୍ଦର ସିଂହଙ୍କ ଅଧୀନରେ ସେ ମନ୍ତ୍ରୀ ଥିଲେ।

ସିଦ୍ଧୁ ଏକ ବଡ଼ ବିପର୍ଯ୍ୟୟ: ଅମରିନ୍ଦର, ସିଦ୍ଧୁଙ୍କ ପାକ୍‌ ପ୍ରେମ ଦେଶ ପାଇଁ ବିପଦ

ଅମୃତସର: ବିଦାୟୀ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆଜି ରାଜ୍ୟପାଳ ବନୱାରିଲାଲ୍‌ ପୁରୋହିତଙ୍କୁ ତାଙ୍କ ଇସ୍ତଫା ପତ୍ର ଦେବାପରେ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଉପରେ ପ୍ରବଳ ବର୍ଷିଥିଲେ। ସିଦ୍ଧୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗରେ ଅମରିନ୍ଦର କହିଛନ୍ତି, ସିଦ୍ଧୁ ଏକ ସମ୍ପୂର୍ଣ୍ଣ ବିପର୍ଯ୍ୟୟ। ‌ସେ ଜଣେ ମନ୍ତ୍ରୀଙ୍କୁ ବି ସମ୍ଭାଳି ପାରିବେ ନାହିଁ, ସମ୍ପୂର୍ଣ୍ଣ ରାଜ୍ୟକୁ ସେ କିଭଳି ସମ୍ଭାଳିବେ ବୋଲି ଅମରିନ୍ଦର ପ୍ରଶ୍ନ କରିଛନ୍ତି। ରାଜ୍ୟ ଚଳାଇବା ପାଇଁ ସିଦ୍ଧୁ ଆଦୌ ଯୋଗ୍ୟ ନୁହନ୍ତି ଏବଂ ତାଙ୍କର କାର୍ଯ୍ୟକଳାପ ଅନର୍ଥକାରୀ ହୋଇଥିବାରୁ ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିପାରିବିନି ବୋଲି ଅମରିନ୍ଦର କହିଛନ୍ତି। ସିଦ୍ଧୁଙ୍କର ପାକିସ୍ତାନ ସହ ସମ୍ପୃକ୍ତି ରହିଛି ଏବଂ ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ହୋଇପାରେ ବୋଲି ସେ କହିଛନ୍ତି। ସିଦ୍ଧୁଙ୍କର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସହିତ କିଭଳି ସଂପର୍କ ରହିଛି ତାହା ସମସ୍ତେ ଜାଣନ୍ତି ଏବଂ ଦେଶ ସ୍ବାର୍ଥରେ ତାଙ୍କୁ ମୁଁ ବିରୋଧ କରିବି ବୋଲି ଅମରିନ୍ଦର କହିଛନ୍ତି। ପିପିସିସି ସଭାପତି ସିଦ୍ଧୁଙ୍କ ବିରୋଧରେ ଅମରିନ୍ଦରଙ୍କ ଏହି ବିଷୋଦ୍‌ଗାର ଦଳର ଅଡ଼ୁଆ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର