ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ପରେ ୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ରେ ଆରମ୍ଭ ହେବାକୁ ଯାଉଛି। ବାଚସ୍ପତି ପଦ ପାଇଁ ନିର୍ବାଚନ ଜୁନ୍ ୨୬ରେ ଅନୁଷ୍ଠିତ ହେବ। ନୂତନ ବାଚସ୍ପତିଙ୍କୁ ନେଇ ଏନଡିଏର ସହଯୋଗୀ ଦଳଙ୍କ ମଧ୍ୟରେ ଉଷ୍ଣତା ବୃଦ୍ଧି ପାଇଛି। ବାଚସ୍ପତି ପଦ ପାଇଁ ଟିଡିପି ଦ୍ୱାରା ଚାପ ସୃଷ୍ଟି ହେଉଛି।
ତେବେ ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି ଯେ ଟିଡିପି ଏବଂ ଜେଡିୟୁ ଏନଡିଏର ଏକ ଅଂଶ। ସେ କହିଛନ୍ତି ବିଜେପି ଏନଡିଏର ନେତା, ତେଣୁ ଆମେ ବିଜେପି ଦ୍ୱାରା ମନୋନୀତ ପ୍ରାର୍ଥୀଙ୍କୁ ସମର୍ଥନ କରିବୁ। ସେ କହିଛନ୍ତି ଉଭୟ ଦଳ ଏନଡିଏ ସହ ଅଛନ୍ତି। ଏହି ସମୟ ମଧ୍ୟରେ ବିରୋଧୀ ଇଣ୍ଡିଆ ମେଣ୍ଟ ମଧ୍ୟ ସରକାରଙ୍କଠାରୁ ଉପବାଚସ୍ପତି ପଦ ପାଇଁ ଦାବି କରିଛି। ସାଧାରଣତଃ ଏହି ସାମ୍ବିଧାନିକ ପଦବୀ କେବଳ ବିରୋଧୀଙ୍କ ପାଇଁ ଅଟେ।
ଟିଡିପି ଆଭ୍ୟନ୍ତରୀଣ ଚାପ ରାଜନୀତି କରୁଛି। ତେବେ ବିଜେପି ଏବଂ ନରେନ୍ଦ୍ର ମୋଦୀଙ୍କ କଠୋର ମନୋଭାବ ଯୋଗୁ କୌଣସି ପ୍ରଭାବ ପଡୁନାହିଁ। ଏଭଳି ପରିସ୍ଥିତିରେ ଯଦି ଟିଡିପି ବାଚସ୍ପତି ପଦ ପାଇଁ ଜିଦ୍ ଧରେ, ତେବେ ବିଜେପି ଡି. ପୁରନ୍ଦେଶ୍ୱରୀଙ୍କ ନାମ ରଖିବା ନେଇ ଚର୍ଚ୍ଚା ହେଉଛି। ପୁରନ୍ଦେଶ୍ୱରୀ ଆନ୍ଧ୍ରପ୍ରଦେଶର ବିଜେପି ସଭାପତି ହେବା ସହିତ ସିଏମ ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀଙ୍କ ଭଉଣୀ। ତାଙ୍କୁ ଟିଡିପି ବିରୋଧ କରିବା ସହଜ ହେବ ନାହିଁ।
ଏଥି ସହିତ ମଧ୍ୟ ଚର୍ଚ୍ଚା ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ-୨ରେ ବାଚସ୍ପତି ଥିବା ଓମ ବିର୍ଲାଙ୍କୁ ଆଉ ଏକ ସୁଯୋଗ ଦେଇପାରନ୍ତି। କିନ୍ତୁ ଏନଡିଏ ସହଯୋଗୀ ଏଥିରେ କେତେ ସହମତ ହେବେ ତାହା ନେଇ ଆଶା ଆଶଙ୍କା ରହିଛି। ତେବେ ପଶ୍ଚିମ ଚମ୍ପାରଣ ୬ ଥର ବିଜେପି ସାଂସଦ ରାଧା ମୋହନ ସିଂଙ୍କ ନାମ ଆଗରେ ରହିଛି। ମୋଦୀଙ୍କ ପ୍ରଥମ ପାଳିରେ ରାଧା ମୋହନ ସିଂ କେନ୍ଦ୍ର କୃଷି ମନ୍ତ୍ରୀ ରହିଥିଲେ।
ବିରୋଧୀ ଇଣ୍ଡିଆ ମେଣ୍ଟ ଉପବାଚସ୍ପତି ପଦ ପାଇଁ ଦାବି କରୁଛନ୍ତି। ଯଦି ଇଣ୍ଡିଆ ମେଣ୍ଟ ଏହି ପଦବୀ ନ ପାଏ ତେବେ ମେଣ୍ଟ ବାଚସ୍ପତି ପଦ ପାଇଁ ନିଜ ପ୍ରାର୍ଥୀ ଦେବ। ତେବେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦ ବୈଠକର ଗୋଟିଏ ଦିନ ପୂର୍ବରୁ ନିଆଯିବ। ଚଳିତ ଲୋକସଭା ୧୦ ବର୍ଷ ପରେ ବିରୋଧୀ ଦଳର ନେତା ପାଇବାକୁ ଯାଉଛି। ଉପବାଚସ୍ପପତି ପଦ ପାଇଁ ନିର୍ବାଚନ ମଧ୍ୟ ନିଶ୍ଚିତ। ୧୭ତମ ଲୋକସଭାରେ ଉପବାଚସ୍ପତି ପଦ ଖାଲି ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/4-7.jpg)