ନୂଆଦିଲ୍ଲୀ: କିଏ ହେବେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ? ନିର୍ବାଚନ ନେଇ ଏବେଠୁ ରାଜନୈତିକ ଦଳ ଜୋରଦାର ଅଙ୍କକଷା ଆରମ୍ଭ କରିଥିବା ବେଳେ ଇତିମଧ୍ଯରେ ନିଜ ଉପରାଷ୍ଟ୍ରପତି ଚେହେରା ସାମ୍ନାକୁ ଆଣି ସାରିଛି ଏନଡିଏ । ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଥିଲା । ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଥିବା ବେଳେ ଏଯାଏଁ କିନ୍ତୁ ଇଣ୍ଡିଆ ମେଣ୍ଟ ତରଫରୁ କୌଣସି ନାଁ ଘୋଷଣା ହୋଇନି । ଇଣ୍ଡିଆ ମେଣ୍ଟର କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ ? କିଏ ହେବେ ଉପରାଷ୍ଟ୍ରପତି ଚେହେରା ? ଆଜି ସବୁ ଚିତ୍ର ସ୍ପଷ୍ଟ ହେବ । ଆଉ ବିରୋଧୀ ସାମ୍ନାକୁ ଆଣିପାରନ୍ତି ସେମାନଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ।
ଆଜି ହିଁ ଘୋଷଣା ହୋଇପାରେ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ । କାରଣ ଆଜି କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଦିନ ସାଢେ ୧୨ଟାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ସବୁ ବିରୋଧୀ ଦଳର ନେତାଙ୍କୁ ନେଇ ମେଣ୍ଟର ମାନସ ମନ୍ଥନ ହେବ । ଆଉ ରୁଦ୍ଧ ଦ୍ବାର ବୈଠକ ପରେ ହୁଏତ ଆଜି ଘୋଷଣା ହୋଇପାରେ ନାଁ ।