କିଏ ଗଢ଼ିବ ସରକାର:ଭାଗ୍ୟ ନିର୍ଦ୍ଧାରଣ କରିବ ୫୯ ଆସନ

ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶରେ ମୋଦୀଙ୍କ ପାଇଁ ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ମେ’ ୧୯ ତାରିଖରେ ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଶେଷ ପର୍ଯ୍ୟାୟରେ ସମୁଦାୟ ୫୯ ଆସନରେ ଭୋଟ ଗ୍ରହଣ ହେବ। ଉତ୍ତରପ୍ରଦେଶରେ ୧୩ ଲୋକସଭା ଆସନ, ପଞ୍ଜାବରେ ୧୩, ପଶ୍ଚିମବଙ୍ଗରେ ୯, ମଧ୍ୟପ୍ର‌ଦେଶରେ ୮, ବିହାରରେ ୮, ହିମାଚଳପ୍ରଦେଶରେ ୪, ଝାଡ଼ଖଣ୍ଡରେ ୩ ଏବଂ ଚଣ୍ଡିଗଡ଼ରେ ଗୋଟିଏ ଆସନରେ ଭୋଟ୍‌ ଗ୍ରହଣ ହେବ। ତେବେ ଏହି ଶେଷ ପର୍ଯ୍ୟାୟ ନିର୍ବାଚନ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପି ଏବଂ କଂଗ୍ରେସ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ମୋଦୀଙ୍କ ପାଇଁ ଏହା ଏକ ଅଗ୍ନି ପରୀକ୍ଷା। ବିଜେପି ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିବା ଏକ ବଡ଼ ଚ୍ୟାଲେଂଜ ହୋଇଛି। ଏହି ୫୯ ଆସନ ନୂଆ ସରକାରର ଭାଗ୍ୟ ନିର୍ଦ୍ଧାରଣ କରିବ। କିଏ ସରକାର ଗଢ଼ିବ ତାହା ଏଥିରୁ ହିଁ ଜଣାପଡ଼ିବ।
୨୦୧୪ ଲୋକସଭା ନିର୍ବାଚନରେ ବି‌ଜେପି ୨୮୨ ଆସନରେ ବିଜୟୀ ହୋଇ ରେକର୍ଡ କରିଥିଲା। କିନ୍ତୁ ଏଥର ରାଜନୀତିର ପାଣିପାଗ ବଦଳି ଯାଇଛି। ଗତ ୨୦୧୮ରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଏହା ଜଣାପଡ଼ିଯାଉଛି ଯେ ବିଜେପି ପାଇଁ ଏଥର ବହୁତ ଚ୍ୟାଲେଂଜ ରହିଛି। ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କ୍ଷମତା ହରାଇଲା। ତେବେ ୨୦୧୪ ଲୋକସଭା ନିର୍ବାଚନ ପରଠାରୁ ବିଜେପି ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ହିମାଚଳ ପ୍ର‌ଦେଶରେ କ୍ଷମତାରେ ଅଛି। ବିହାରରେ ମଧ୍ୟ ବିଜେପି କ୍ଷମତାକୁ ଫେରିବାରେ ସକ୍ଷମ ହୋଇଛି। କିନ୍ତୁ ଏହି ସବୁ ରାଜ୍ୟ ଗୁଡ଼ିକରେ ବିଜେପିର ବିରୋଧୀ ସଂଖ୍ୟା ଏବେ ବଢ଼ି ଯାଇଥିବା ଜଣାପଡ଼ିଛି।
ଶେଷ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ଯେଉଁ ୧୩ଟି ଆସନରେ ନିର୍ବାଚନ ହେବ, ‌ସେହି ସମସ୍ତ ଆସନ ଗୁଡ଼ିକରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୨୦୧୪ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିଥିଲା। ତେବେ ଏହି ସବୁ ଆସନ ଗୁଡ଼ିକରେ ସପା -ବସପା ମେଣ୍ଟ ଏବେ ବିଜେପି ପାଇଁ ବଡ଼ ଚ୍ୟାଲେଂଜ ହୋଇଛି। ମହାରାଜଗଂଜ, ଗୋରଖପୁର, କୁଶି ନଗର, ଦେଓରିଆ, ବଂସଗାଓଁ, ଘୋଷି, ସଲେମପୁର, ବା‌ଲିଆ, ଘାଜିପୁର, ଚନ୍ଦୌଲି, ବାରଣାସୀ, ରବର୍ଟ‌ସଗଂଜ ଆସନ ଗୁଡ଼ିକରେ ବିଜେପି ନିଜର ପୂର୍ବ ବିଜୟ ବଜାୟ ରଖିବ କି ନା’ସେନେଇ ସଂଶୟ ରହିଛି। ବସପା-ସପା ମେଣ୍ଟ ଏହି ସବୁ ଆସନ ଗୁଡ଼ିକରେ ବିଜେପିର ନିଦ ହଜାଇ ଦେଇଥିବାବେଳେ ସେପଟେ କଂଗ୍ରେସ ମଧ୍ୟ ଏହାର ରଣନୀତି ବଦଳାଇଛି।
ମଧ୍ୟପ୍ରଦେଶରେ ଦେୱାସ, ଉଜ୍ଜୟିନୀ, ମନ୍ଦସୌର, ଝାବୁଆ-ରତଲମ୍‌, ଧାର, ଇନ୍ଦୋର, ଖାରଗୋନ୍‌, ଖଣ୍ଡୱା ଆସନରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବ। ଏହି ସମସ୍ତ ଆସନରେ ବିଜେପି ୨୦୧୪ରେ ଜିତିଥିଲା। ତେବେ ଏହି ସମସ୍ତ ଆସନ ଗୁଡ଼ିକ ମାଲସ୍ବା ନିମାର ଅଞ୍ଚଳରେ ଅବସ୍ଥିତ। ୨୦୧୮ ବିଧାନସଭା ନିର୍ବାଚନରେ ଏହି ଅଞ୍ଚଳରେ ଥିବା ଅଧିକାଂଶ ବିଧାନସଭା ଆସନ ଗୁଡ଼ିକ ବିଜେପିଠାରୁ କଂଗ୍ରେସ ହାତେଇ ନେଇଥିଲା। ତେଣୁ ଗତ ଥରର ଫଳାଫଳକୁ ନଜରରେ ରଖିଲେ ଶେଷ ପର୍ଯ୍ୟାୟ ନିର୍ବାଚନ ବିଜେପି ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ୨୦୧୩ ବିଧାନସଭା ନିର୍ବାଚନରେ ବି‌ଜେପି ମାଲୱା-ନିମାରରେ ୬୬ଟି ଆସନରୁ ୫୬ ଆସନରେ ଜିତିଥିଲା କିନ୍ତୁ ୨୦୧୮ ବିଧାନସଭା ନିର୍ବାଚନରେ ଏହା ମାତ୍ର ୨୧ଟି ପାଇଥିଲା। ଅନ୍ୟପକ୍ଷେ କଂଗ୍ରେସ ଆସନ ସଂଖ୍ୟା ୯ରୁ ୩୫କୁ ବୃଦ୍ଧି ପାଇଥିଲା। ତେଣୁ ମଧ୍ୟପ୍ରଦେଶରେ ଏହି ସମସ୍ତ ଆସନ ଗୁଡ଼ିକରେ ମୋଦୀଙ୍କ ପାଇଁ ଅଗ୍ନିପରୀକ୍ଷା କୁହାଯାଉଛି।
ଅନ୍ୟପକ୍ଷେ ବିହାରରେ ୮ ଆସନ ଏବଂ ପଶ୍ଚିମବଙ୍ଗରେ ୯ଟି ଆସନରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ଥିବାବେଳେ ଏହ‌ି ସବୁ ଆସନ ଗୁଡ଼ିକରେ ମଧ୍ୟ ବିଜେପି ପାଇଁ କର ବା ମର ସ୍ଥିତି ଉପୁଜିଛି। ହିମାଚଳ ପ୍ରଦେଶରେ ୪ଟି ଆସନରେ ଶେଷ ପର୍ଯ୍ୟାୟରେ ନିର୍ବା‌ଚନ ଥିବାବେଳେ ଏହି ସମସ୍ତ ଆସନରେ ବିଜେପି ୨୦୧୪ରେ ନିର୍ବାଚନ ଜିତିଥିଲା। କଂଗ୍ରେସକୁ ମାତ୍‌ ଦେଇ ବିଜେପି ଏଠାରେ ବିଜୟ ହାସଲ କରିଥିଲା କିନ୍ତୁ ଏଥର ସ୍ଥିତି ଠିକ୍‌ ନାହିଁ।

ସମ୍ବନ୍ଧିତ ଖବର