ନିର୍ବାଚନୀ ଉତ୍କଣ୍ଠା : ଛାତି ଧଡ଼ଧଡ଼, କିଏ ଜିତିବ ବିହାର?

ବୁଥ୍‌ ବାହୁଡ଼ା ମତ ମହାମେଣ୍ଟ ସପକ୍ଷରେ, ନୀତୀଶଙ୍କୁ ଗାଦିଚ୍ୟୁତ କରିପାରନ୍ତି ତେଜସ୍ୱୀ

ନୂଆଦିଲ୍ଲୀ/ପାଟନା : ବିହାର ବିଧାନସଭା ଲାଗି ଆଜି ଭୋଟ୍ ଗଣତି ହେବାକୁ ଯାଉଥିବା ବେଳେ ବିଜୟ ମୁକୁଟ କାହା ଭ‌ାଗରେ ପଡ଼ିବ ତାହାକୁ ନେଇ ହିସାବନିକାଶ ଆରମ୍ଭ ହୋଇଯାଇଛି। ଆରଜେଡିର ଯୁବ ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବାଧୀନ ମହାମେଣ୍ଟ ବିଜୟୀ ହେବ ବୋଲି ଅଧିକାଂଶ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ୍ ସର୍ଭେରୁ ଜଣାପଡ଼ିଥିବାରୁ ଉତ୍କଣ୍ଠା ବଢ଼ିଯାଇଛି। କ‌ାରଣ ଏଥର ନିର୍ବାଚନ ଲଢ଼େଇ ତେଜସ୍ବୀ ଏବଂ ମୋଦୀ-ନୀତୀଶ ଯୋଡ଼ିଙ୍କ ମଧ୍ୟରେ ହୋଇଥିବାରୁ ସମସ୍ତଙ୍କର ନଜର ବିହାର ଉପରେ ରହିଛି। ଏକଜିଟ୍ ପୋଲ୍ ସର୍ଭେ ଯଦି ସତ ହୁଏ ତାହାହେଲେ ୩୧ ବର୍ଷୀୟ ତେଜସ୍ବୀ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ। ଏହାସହିତ ଏଭଳି ପଳାଫଳ ମୋଦୀ-ନୀତୀଶ ଯୋଡ଼ି ପାଇଁ ବଡ଼ ଧରଣର ଝଟକା ହେବ।

ଅନ୍ୟପକ୍ଷରେ ଯଦି କୌଣସି ମେଣ୍ଟକୁ ବହୁମତ ନମିଳେ, ତାହାହେଲେ ବିଜେପି-ଜେଡିୟୁ ମେଣ୍ଟ କ୍ଷମତା ଦଖଲ ପାଇଁ ସବୁ ପ୍ରକାର ଉଦ୍ୟମ କରିବ। ସେମ‌ାନେ ଚିରାଗ ପାଶ୍ବାନଙ୍କୁ ତ ନିଜ ସପକ୍ଷରେ ‌େ‌ନବେ, ଏହାସହିତ କଂଗ୍ରେସକୁ ଭାଙ୍ଗି କିଛି ନୂଆ ବିଧାୟକଙ୍କୁ ନିଜ ସପକ୍ଷରେ ନେଇଯାଇପାରନ୍ତି। ଏଭଳି ଆଶଙ୍କା ସୃଷ୍ଟି ହୋଇଥିବାରୁ ଏହାକୁ ପଣ୍ଡ କରିବା ଲାଗି କଂଗ୍ରେସ ଏହାର ଅନେକ ବରିଷ୍ଠ ନେତାଙ୍କୁ ପାଟନ‌ା ପଠାଇଥିବାର ଖବର ମିଳିଛି। ‌େସମାନଙ୍କ ମଧରେ ଅଛନ୍ତି ରଣଦୀପ ସିଂହ ସୂର୍ଯେୱାଲା ଏବଂ ଅଭିନାଶ ପାଣ୍ଡେ।

୨୪୩ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ନିର୍ବାନରେ ଯିଏ ୧୨୨ଟି ଆସନ ପାଇବ ସେ ହିଁ ସରକାର ଗଠନ କରିବ। ଏକଜିଟ୍ ପୋଲ୍ ସର୍ଭେ ଅନୁଯାୟୀ ତେଜସ୍ବୀଙ୍କ ମହାମେଣ୍ଟ (ଆରଜେଡି. କଂଗ୍ରେସ) ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିବ। ପୋଲ୍ ଅଫ୍ ପୋଲ୍ସ ଅନୁଯାୟୀ ମହାମେଣ୍ଟକୁ ୧୩୭ ଏବଂ ବିଜେପି-ଜେଡିୟୁ ମେଣ୍ଟକୁ ୯୭ଟି ଆସନ ମିଳିବ।

ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ। ୧୦ଟାରୁ ଚିତ୍ର ମିଳିବା ଆରମ୍ଭ ହେବ। କରୋନା ମହାମାରୀ ମଧ୍ୟରେ ନିର୍ବାଚନ ଏବଂ ଭୋଟ୍‌ ଗଣତି ହେଉଥିବାରୁ ନିର୍ବାଚନ କମିସନ୍‌ ଏଥିପାଇଁ ବିଶାଳ ପ୍ରସ୍ତୁତି କରିଛନ୍ତି। ବିହାରର ୩୮ ଟି ଜିଲ୍ଲାରେ ୫୫ଟି ଗଣତି କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ୪୧୪ କାଉଣ୍ଟିଂ ହଲ୍‌ ମଧ୍ୟ ପ୍ରସ୍ତୁତ ରହିଛି। ଭୋଟ୍‌ ଗଣତି ସମୟରେ ଏବଂ ପରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ୫୯ ସିଏପିଏଫ୍‌ କମ୍ପାନି ମୁତୟନ ହୋଇଛନ୍ତି ବୋଲି କୁହାଯାଇଛି।

ସେହିଭଳି ୧୧ ରାଜ୍ୟରେ ୫୬ ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇବ। ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ର‌ଦେଶ, ମଣିପୁର, ନାଗାଲାଣ୍ଡ୍‌, ଓଡ଼ିଶା, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ୫୬ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବାବେଳେ ବିହାରରେ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ହୋଇଛି।

ତେବେ ଏହି ଉପନିର୍ବାଚନରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ମଧ୍ୟ ପ୍ରଦେଶ ଊପନିର୍ବାଚନ। ଏଠାରେ ୨୮ଟି ଆସନରେ ମତଦାନ ହୋଇଛି। ସରକାରରେ ରହିବାକୁ ହେଲେ ବିଜେପିକୁ ଅତିକମରେ ୧୦ଟି ଆସନରେ ଜିତିବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ୨୮ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବାରୁ ଏଠାରେ ଉପନିର୍ବାଚନ କରାଯାଉଛି।

ସମ୍ବନ୍ଧିତ ଖବର