କରୋନା କବଳରେ ବିଶ୍ୱ : ୮୫ ରାଷ୍ଟ୍ର ପ୍ରଭାବିତ, ୯୫,୫୧୨ ଆକ୍ରାନ୍ତ; ୩,୩୦୦ ମୃତ

ମୁକାବିଲା ପାଇଁ ଦିଲ୍ଲୀ ତତ୍ପର

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ଏବେ ସମଗ୍ର ବିଶ୍ବ ଆତଙ୍କିତ । ବିଶ୍ବବ୍ୟାପୀ ୮୫ଟି ଦେଶକୁ ଏହି ଭାଇରସ୍‌ ବ୍ୟାପି ଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ ଔଷଧ, ଇଂଜେକ୍ସନ ବାହାରିବା ସମ୍ଭବ ହୋଇନାହିଁ। ୯୫,୫୧୨ ଜଣ ଏବେ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ୩,୩୦୦ରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ଆମେରିକାରେ ୧୬୧ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ନ୍ୟୁୟର୍କରେ ୧୦୦୦ ବାସିନ୍ଦାଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ତେବେ ୟୁରୋପୀୟ ରାଷ୍ଟ୍ର ଇଟାଲି କରୋନା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଇଟାଲିରେ କରୋନା ଯୋଗୁଁ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ସ୍ପେନ୍‌, ଜର୍ମାନୀ ଏବଂ ଆଇସଲାଣ୍ଡ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଜର୍ମାନୀରେ ୨୪ ଘଣ୍ଟା ମଧ୍ୟରେ ୧୦୯ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଦେଶରେ ସମୁଦାୟ ୩୪୯ଟି ମାମଲା ସ୍ପଷ୍ଟ ହୋଇଛି। ସ୍ପେନ୍‌ରେ ୨୧୯ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଆଇସଲାଣ୍ଡ୍‌ରେ ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଆଇସଲାଣ୍ଡ୍‌ରେ ପ୍ରାୟ ୩୮୦ ଜଣ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଦିକ୍ଷଣ ଆଫ୍ରିକାରେ ପ୍ରଥମ କରୋନା ମାମଲା ସ୍ପଷ୍ଟ ହୋଇଛି। ଇଟାଲିରୁ ଫେରିଥିବା ଜଣେ ନାଗରିକ କରୋନା ଆକ୍ରାନ୍ତ ହୋଇଛନ୍ତି। ସ୍ବିଜରଲାଣ୍ଡ୍‌ରେ କରୋନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ‌ହୋଇଛି। ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୦୦ ଟପିଥିବାବେଳେ କରୋନା ଯୋଗୁଁ ୩୯ ଜଣଙ୍କ ମୃତ୍ୟୁ ହୋଇଛି। ଇରାନ୍‌ରେ କରୋନା ଯୋଗୁଁ ଆଜି ପୁଣି ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁସଂଖ୍ୟା ୧୦୭ରେ ପହଞ୍ଚିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧୩ ରହିଛି। ଥାଇଲାଣ୍ଡ୍‌ରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। ଏଥିପାଇଁ ଥାଇଲାଣ୍ଡ୍‌କୁ ବିଦେଶ ରାଷ୍ଟ୍ରରୁ ଆସିଥିବା ସମସ୍ତ ପ୍ୟାକେଜ୍‌କୁ ଏବେ ସଂକ୍ରମଣମୁକ୍ତ କରିବାପାଇଁ ପ୍ରୟାସ ଜାରି ରହିଛି। ସେ‌ପଟେ ଇରାକ୍‌ରେ ପୁଣି ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ଦୁବାଇରେ କରୋନା ପାଇଁ ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।

ମୁକାବିଲା ପାଇଁ ଦିଲ୍ଲୀ ତତ୍ପର
ନୂଆଦିଲ୍ଲୀ: ଦିଲ୍ଲୀରେ ଆଗକୁ କରୋନା ଭାଇରସ୍‌ ସଙ୍କଟ ଅଧିକ ଜଟିଳ ହେବା ଆଶଙ୍କା ରହିଛି। ଏଥିପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀରେ ପ୍ରଥମ ଭାଇରସ୍‌ ଚିହ୍ନଟ ହେବା ପରଠାରୁ ଦିଲ୍ଲୀ ସରକାରଙ୍କ ରୋଗ ସଂକ୍ରମଣ ନିୟନ୍ତ୍ରଣ ଶାଖା କେଉଁମାନେ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଜା‌ଣିବାପାଇଁ ଓଭରଟାଇମ୍‌ କାମ କରିଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ଟାସ୍କ ଫୋର୍ସ ଏଯାବତ୍‌ ପ୍ରାୟ ୯୨ ଜଣଙ୍କୁ ଚିହ୍ନଟ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୪ ଜଣ ଦିଲ୍ଲୀରେ ରହୁଛନ୍ତି। ଅନ୍ୟ ୭୪ ଜଣ ଅନ୍ୟ ରାଜ୍ୟରେ ଅଛନ୍ତି। ଏନେଇ ମଧ୍ୟ ଅନ୍ୟ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ ହୋଇଛି। ସେହିପରି ରାଜସ୍ଥାନକୁ ଯାତ୍ରା କରିଥିବା ଇଟାଲୀୟ ପର୍ଯ୍ୟଟକଙ୍କ ସଂସ୍ପର୍ଶରେ ‌କେଉଁମାନେ ଆସିଛନ୍ତି, ସେମାନଙ୍କୁ ଚିହ୍ନଟ କରିବାପାଇଁ ବି ଦିଲ୍ଲୀ ସରକାର ଉଦ୍ୟମ ଜାରି ରଖିଛନ୍ତି। ମାର୍ଚ୍ଚ ୪ ସକାଳ ସୁଦ୍ଧା ଦିଲ୍ଲୀ ବିମାନବନ୍ଦରରେ ୧୨ ଦେଶର ୧.୨ ଲକ୍ଷ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଛି। ସ୍କ୍ରିନିଂ ସମୟରେ ୧୫୨ ଜଣ ବ୍ୟକ୍ତିଙ୍କ ଶରୀରରେ ଭାଇରସ୍‌ ଲକ୍ଷଣ ଦେଖାଦେବାରୁ ସେମାନଙ୍କୁ ଦିଲ୍ଲୀର ୨ଟି ନୋଡାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧୮ ଜଣଙ୍କ ଶରୀରରେ ଭାଇରସ୍‌ ନେଗେଟିଭ୍‌ ରହିଛି। ଦିଲ୍ଲୀର ୨୫ଟି ହସ୍ପିଟାଲକୁ ଯୁଦ୍ଧକାଳୀନ ଭିତ୍ତିରେ କନେରା ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ବାୟୋମେଟ୍ରିକ୍‌ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର