ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି, ଏକଥା ସମଗ୍ର ବିଶ୍ବ ଜାଣିଛି : ଭାରତ

ନୂଆଦିଲ୍ଲୀ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପାକିସ୍ତାନର ମନ୍ତ୍ରୀ ଫଓ୍ବାଦ ଚୌଧୁରୀଙ୍କ ବୟାନ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇଛି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ପାକିସ୍ତାନ ଆତଙ୍କବାଦଙ୍କୁ ପ୍ରେତ୍ସାହନ ଦେଉଥିବା ସମଗ୍ର ବିଶ୍ବ ଜାଣିଛି ବୋଲି ମନ୍ତ୍ରାଳୟ ରହିଛି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା ଦେଉଥିବା କଥା ସମଗ୍ର ବିଶ୍ବ ଜାଣିଛି । ଏକଥା ଯେତେ ମନା କଲେ ମଧ୍ୟ ଲୁଚିବ ନାହିଁ । ଯେଉଁ ଦେଶ ସର୍ବାଧିକ ସଂଖ୍ୟକ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଛି, ସେ ଦେଶ ନିଜକୁ ନିରୀହ କହିବା ଉଚିତ ନୁହେଁ ।

ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ଆଜି ତାଙ୍କ ସଂସଦରେ କହିଥିଲେ ଯେ ପୁଲୱାମା ଆକ୍ରମଣ ହେଉଛି ପାକିସ୍ତାନ ଓ ଇମ୍ରାନ ଖାନଙ୍କ ପାଇଁ ସଫଳତା । ମୁଁ କହୁଛି ଆମେ ହିଁ ହିନ୍ଦୁସ୍ତାନରେ ପଶିକି ମାରିଛୁ । ଆପଣ ଏବଂ ଆମେ ସମସ୍ତେ ଏହି ସଫଳତାର ଅଂଶବିଶେଷ । ପୁଲୱାମା ଆକ୍ରମଣ ପାଇଁ ଇମ୍ରାନ ଖାନ ଏବଂ ତାଙ୍କ ପାର୍ଟି ପିଟିଆଇକୁ ଶ୍ରେୟ ଦେଇଥିଲେ ଫୱାଦ ଚୌଧୁରୀ।

ଉଲ୍ଲେଖଯୋଗ୍ୟ, ୨୦୧୯ ଫେବ୍ରୁଆରି ୧୪ରେ ଜାମ୍ମୁ କାଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ କାରରେ ବିସ୍ଫୋରକ ଭର୍ତ୍ତି କରି ଯବାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ବିସ୍ଫୋରଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର