କିଏ ହେବେ ଦେଶର ନୂଆ ସିଡିଏସ୍ ?

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଘୋଷଣା ହୋଇପାରେ ଦେଶର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ)ଙ୍କ ନାମ । ଗତ ବର୍ଷ ଡିସେମ୍ବରରେ ପ୍ରଥମ ସିଡିଏସ ବିପିନ ରାଓ୍ବତଙ୍କ ମୃତ୍ୟୁ ପରେ ଏହି ପଦଟି ଖାଲି ରହିଛି । ଏ ସଂପର୍କରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପଦ ପାଇଁ ଉଭୟ ସେବାରତ ଓ ସେବାନିବୃତ ସେନାଧିକାରୀ, ଯେଉଁମାନଙ୍କ ବସୟ ୬୨ ବର୍ଷରୁ କମ, ସେମାନଙ୍କ ନାମ ବିଚାରକୁ ନିଆଯାଉଛି ।

ପୂର୍ବରୁ ସିଡିଏସ ପଦବୀ ପାଇଁ ୪ ତାରକା ବିଶିଷ୍ଟ ଜେନେରାଲ ମାନଙ୍କ ନାମ ବିଚାରକୁ ନିଆଯାଉଥିବାବେଳେ, ନୂଆ ସିଡିଏସ ବାଛିବାକୁ ସରକାର ଏହି ନିୟମକୁ କୋହଳ କରିଛନ୍ତି । ଏବେ ତିନି ତାରକା ବିଶିଷ୍ଟ ଅଧକାରୀ ( ଜେନେରାଲ କିମ୍ବା ଲେପ୍ଟନାଣ୍ଟ ଜେନେରାଲ, ଭାଇସ ଆଡମିରାଲ ଅଥବା ଏୟାର ମାର୍ସାଲ ରାଙ୍କର ଅଧିକାରୀ)ଙ୍କୁ ମଧ୍ୟ ଏହି ପଦବୀ ପାଇଁ ବିଚାରକୁ ନିଆଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ଜେନେରାଲ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣା ପରଠାରୁ ଆଜି ପର୍ଯ୍ୟନ୍ତ ସିଡିଏସ ପଦଟି ଖାଲି ରହିଛି ।

ସମ୍ବନ୍ଧିତ ଖବର