ଚୀନ୍‌ରୁ ଫେରିଲେ ହୁ’ର କୋଭିଡ୍‌ ଉତ୍ପତ୍ତି ଅନ୍ବେଷଣକାରୀ ଦଳ, ଉହାନ୍ ଯିବେ ଆଉ ଏକ ଦଳ

ଜେନେଭା: ମହାମାରୀ କୋଭିଡ୍‌-୧୯ର ସମ୍ଭାବ୍ୟ ଉତ୍ପତ୍ତିସ୍ଥଳର ପ୍ରମାଣ ଖୋଜିବା ପାଇଁ ଚୀନ୍‌ ଯାଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ ଦଳ ସେମାନଙ୍କ ପ୍ରମାଣ ଅନ୍ବେଷଣ ଅଭିଯାନ ସାରି ଫେରି ଆସିଛନ୍ତି। ତେବେ ଏହା ପରେ ହୁ’ର ଆଉ ଏକ ଅଧିକ ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ ଦଳ ଚୀନ୍‌ର ସନ୍ଦିଗ୍ଧ କୋଭିଡ୍‌ ଆବିର୍ଭାବ ସ୍ଥଳ ଉହାନ୍ ସହର ଅଭିମୁଖେ ଯାତ୍ରା କରିବେ ବୋଲି ହୁ’ ମହାନିର୍ଦ୍ଦେଶକ ଟେଡ୍ରସ ଆଧାନମ୍‌ ଘେବ୍ରେୟେସସ କହିଛନ୍ତି। ସୂଚନା ଥାଉ କି, ଆମେରିକା, ବ୍ରାଜିଲ ଓ ଭାରତରେ ଏହି ମହାମାରୀ ଦ୍ବାରା ବ୍ୟାପକ ସଂଖ୍ୟକ ସଂକ୍ରମିତ ବାହାରିଲା ପରେ ଗତବର୍ଷ କେଉଁ ପରିସ୍ଥିତିରେ ଚୀନ୍‌ରେ କରୋନାଭୂତାଣୁ ପଶୁ ଶରୀରରୁ ମନୁଷ୍ୟ ଦେହକୁ ସଂକ୍ରମିତ ହୋଇଥିଲା, ତାହାର ଯଥାର୍ଥତା ପ୍ରତିପାଦନ ପାଇଁ ଏକ ଅନୁସନ୍ଧାନକାରୀ ଦଳ ଚୀନ୍‌ ପଠାଇବାକୁ ହୁ’ଉପରେ ଚାପ ପଡ଼ିଥିଲା।

ତେବେ ଚୀନ୍‌ରୁ ଫେରିଥିବା ଏହି ଦୁଇଜଣିଆ ଆଡ୍‌ଭାନ୍ସ ଦଳ ସେମାନଙ୍କ ତିନି ସପ୍ତାହର ରହଣି ଭିତରେ ସେଠାକାର ପ୍ରତିପକ୍ଷ ବିଶେଷଜ୍ଞଙ୍କ ସହ ଏ ସଂକ୍ରାନ୍ତ ସବିଶେଷ ଆଲୋଚନା କରିଛନ୍ତି। ସେହିପରି ଉହାନ ବିଜ୍ଞାନାଗାରର ବିଭିନ୍ନ ଭୂତାଣୁ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନଙ୍କର ମତାମତ ମଧ୍ୟ ସଂଗ୍ରହ କରିଛନ୍ତି। ତେବେ ସେମାନଙ୍କର ଏହି ଆନୁଷ୍ଠାନିକ ବିବରଣୀ ଅପେକ୍ଷା ପ୍ରଥମେ ଚୀନ୍‌ରେ ଯେଉଁଠି ମାନବ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥିଲା ସେହି ଇଲାକାର ବାସ୍ତବ ତଥ୍ୟ ହିଁ ଏ ଦିଗରେ କିଛି ଆଲୋକପାତ କରିବ ବୋଲି ହୁ’ର ଜରୁରୀକାଳୀନ ମୁଖ୍ୟ ଡା. ମାଇକେଲ୍‌ ରିଆନ୍‌ କହିଛନ୍ତି। ସୁତରାଂ ହୁ’ର ପରବର୍ତ୍ତୀ ବୃହତ୍‌ ଅନୁସନ୍ଧାନକାରୀ ଦଳର ଗସ୍ତ ପରେ ଯାହା କିଛି ଠୋସ ପ୍ରମାଣ ମିଳିପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର