ନୂଆଦିଲ୍ଲୀ: ‘କୋଭାକ୍ସ୍’କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ନିମନ୍ତେ ପୁଣି କୋଭିଡ୍-୧୯ ଟିକା ରପ୍ତାନି ଆରମ୍ଭ କରିବାକୁ ଯାଉଥିବାରୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକ ଟେଡ୍ରସ୍ ଅଧାନୋମ୍ ଗେବ୍ରେସିୟସ୍ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ବୁଧବାର ଦିନ ଟୁଇଟ୍ କରି ଗେବେ୍ରସିୟସ୍ କହିଛନ୍ତି, ଅକ୍ଟୋବରରେ ଭାରତ ‘କୋଭାକ୍ସ୍’କୁ ଗୁରୁତ୍ବପୂର୍ଣ୍ଣ କୋଭିଡ୍-୧୯ ଟିକା ପ୍ରେରଣ ଆରମ୍ଭ କରିବ ବୋଲି ଘୋଷଣା କରିଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କୁ ଧନ୍ୟବାଦ।
/sambad/media/post_attachments/wp-content/uploads/2021/09/mansukh-mandaviya.jpg)
‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ଏ ବର୍ଷ ଶେଷ ସୁଦ୍ଧା ବିଶ୍ବର ସମସ୍ତ ଦେଶମାନଙ୍କରେ ୪୦% ଟିକାକରଣ କରାଯିବା ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ହାସଲ ଦିଗରେ କୋଭିଡ୍-୧୯ ଟିକା ରପ୍ତାନି ନିମନ୍ତେ ଭାରତର ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସହାୟତା।
ସୂଚନା ଯୋଗ୍ୟ, ମାର୍ଚ ମାସରେ ଭାରତରେ କରୋନାଭାଇରସ୍ ସଂକ୍ରମଣ ହଠାତ୍ ଦ୍ରୁତ ବେଗରେ ବୃଦ୍ଧି ପାଇବାରୁ କେନ୍ଦ୍ର ସରକାର କୋଭିଡ୍-୧୯ ଟିକା ରପ୍ତାନି ସ୍ଥଗିତ ରଖିଥିଲେ।
ଗତ ସୋମବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଘୋଷଣା କରିଥିଲେ ଯେ, ବିଶ୍ବର ସମସ୍ତ ଦେଶକୁ ଟିକା ଯୋଗାଇ ଦେବା ଲାଗି ଭାରତ ଅକ୍ଟୋବର ମାସରୁ ପୁନର୍ବାର ‘ଟିକା ମୈତ୍ରୀ ଯୋଜନା’ ଆରମ୍ଭ କରିବ।