ନୂଆଦିଲ୍ଲୀ: ଭାରତର ବିଭିନ୍ନ ଅଂଚଳରେ କରୋନା ସଂକ୍ରମଣରେ କିଛି ଦିନ ହେଲା ଲଗାତାର ହ୍ରାସ ଦେଖିବାକୁ ମିଳିଛି। ତେବେ ଏଭଳି ସ୍ଥିତିକୁ ଦେଖି କରୋନା ମୁକାବିଲା ସତର୍କତା ପଦକ୍ଷେପରେ କୌଣସି ଅବହେଳା ‌ପ୍ରଦର୍ଶନ କରାଯିବା ଉଚିତ ନୁହେଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କହିଛି। କରୋନା ବିପଦ ଏବେ ବି ଜାରି ରହିଛି ଏବଂ ପରିସ୍ଥିତିକୁ ଦେଖି ସଠିକ୍‌ ପଦକ୍ଷେପ ନେବା ଜରୁରୀ ବୋଲି କୁହାଯାଇଛି। ଭାରତର କେତେକ ରାଜ୍ୟ ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି କଟକଣା କୋହଳ କରିଛନ୍ତି। ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦିଆଯାଇଛି। ହରିୟାଣା, କର୍ଣ୍ଣାଟକ ଓ ତାମିଲନାଡ଼ୁରେ ମଧ୍ୟ କଟକଣା କୋହଳ କରାଯାଇଛି । ଉତ୍ତରପ୍ରଦେଶ, ପଂଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ସରଗରମ ପ୍ରଚାର ଭିତରେ କରୋନା କଟକଣାକୁ ଆଦୌ ଗୁରୁତ୍ବ ଦିଆଯାଉନାହିଁ। ‘ହୁ’ର ଦକ୍ଷିଣ ପୂର୍ବ ଏସିଆ କ୍ଷେତ୍ରର ନିର୍ଦ୍ଦେଶକ ପୁନମ କ୍ଷେତ୍ରପାଳ ସିଂହ କହିଛନ୍ତି ଯେ ଭାରତର କେତେକ ସହର ଏବଂ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ବି ଏବେ ବି ବିପଦ ଟଳିନାହିଁ। ଏଭଳି ସ୍ଥିତିରେ ସଂକ୍ରମଣ ହ୍ରାସ ପାଇଁ ଆହୁରି ଅଧିକ ପଦକ୍ଷେପ ଜରୁରୀ ବୋଲି ସେ କହିଛନ୍ତି।