ଜାମନଗର: ମଙ୍ଗଳବାର ଗୁଜରାଟର ଜାମନଗରଠାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଗ୍ଲୋବାଲ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନ (ଜିସିଟିଏମ୍)ର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ପାରମ୍ପରିକ ଔଷଧ ପାଇଁ ସାରା ବିଶ୍ବରେ ଏହା ହେବ ହୁ’ର ପ୍ରଥମ ଏବଂ ଏକମାତ୍ର କେନ୍ଦ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହୁ ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ କୁମାର ଜଗନ୍ନାଥଙ୍କ ଉପସ୍ଥିତିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଗେବ୍ରେୟେସସ୍ ଗୁଜରାଟୀ ଭାଷାରେ ‘କେମ୍ଛୋ ... ମାଜମା...’ କହି ଅଭିବାଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସମେତ ଦର୍ଶକମଣ୍ଡଳୀ କରତାଳିରେ ଏହାକୁ ସ୍ବାଗତ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ- ସମଗ୍ରର ବିଶ୍ବ ମାନବସମାଜର ସେବା ନିମନ୍ତେ ଭାରତ ଏହି କେନ୍ଦ୍ରକୁ ଏକ ବଡ଼ ଦାୟିତ୍ବ ଭାବେ ଗ୍ରହଣ କରୁଛି। ଏହି କେନ୍ଦ୍ର ପାରମ୍ପରିକ ଔଷଧ ଜରିଆରେ ସାରା ବିଶ୍ବକୁ ସ୍ବାସ୍ଥ୍ୟ ସମସ୍ୟାର ଉତ୍ତମ ସମାଧାନ ପ୍ରଦାନ କରିବ। ଏହା କେବଳ ମାତ୍ର ଏକ ଅନୁଷ୍ଠାନର ଉଦ୍ଘାଟନ ନୁହେଁ, ବରଂ ଏହା ଭାରତର ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଆସନ୍ତା ୨୫ ବର୍ଷ ପାଇଁ ସାରା ବିଶ୍ବରେ ପାରମ୍ପରିକ ଔଷଧ ଯୁଗର ଅୟମାରମ୍ଭ। ଯେତେବେଳେ ଭାରତ ‘ଆଜାଦୀ କୀ ଶତାବ୍ଦୀ’ ପାଳନ କରିବ, ସେତେବେଳକୁ ଏହାର ଗୁରୁତ୍ବ ଢେର ବଢ଼ିଯାଇଥିବ। ହୁ ମହାନିର୍ଦ୍ଦେଶକ କହିଲେ, ଏହା ବାସ୍ତବରେ ଏକ ବିଶ୍ବ ପ୍ରକଳ୍ପ, ଅର୍ଥାତ୍ ଭାରତ ସମଗ୍ର ବିଶ୍ବକୁ ଯିବ ଏବଂ ସମଗ୍ର ବିଶ୍ବ ଭାରତ ଆସିବ। ହୁ’ର ଏହି ବିଶ୍ବ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରମାଣଭିତ୍ତିକ ପାରମ୍ପରିକ ଔଷଧକୁ ସୁଦୃଢ଼ କରିବ। ଏହି ପାରମ୍ପରିକ ଔଷଧ କେନ୍ଦ୍ର ନିମନ୍ତେ ମୋଦୀ ୫ଟି ଲକ୍ଷ୍ୟ ରହିଥିବା ପ୍ରକାଶ କରିଥିଲେ- ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ପାରମ୍ପରିକ ଔଷଧର ସମନ୍ବୟ ସ୍ଥାପନ, ଲୋକଙ୍କ ଆସ୍ଥା ଭାଜନ ହେବା ଲାଗି ପାରମ୍ପରିକ ଔଷଧର ଏକ ଆନ୍ତର୍ଜାତିକ ମାନକ ସୃଷ୍ଟି କରିବା, ଏହାକୁ ଏକ ପ୍ଲାଟଫର୍ମ ଭାବେ ଗଢ଼ିତୋଳିବା ଯେଉଁଠିକି ସାରା ବିଶ୍ବର ପାରମ୍ପରିକ ଔଷଧ ବିଶେଷଜ୍ଞମାନେ ଆସି ଗବେଷଣା ଓ ଭାବବିନିମୟ କରିପାରିବେ, ଗବେଷଣା ପାଇଁ ପାଣ୍ଠିର ବ୍ୟବସ୍ଥା କରିବା ଏବଂ କେତେକ ରୋଗ ପାଇଁ ସାମଗ୍ରିକ ଚିକିତ୍ସା ପ୍ରୋଟୋକଲ ପ୍ରସ୍ତୁତ କରିବା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/f65s4h654sf6f5hs465hfhfhsfhs.jpg)