ନୂଆଦିଲ୍ଲୀ : ବ୍ରିଟେନର ସରକାରୀ ପ୍ରସାରଣ ସଂସ୍ଥା ବିବିସି ଜାଣିଶୁଣି ୨୦୦୨ ଗୁଜରାଟ ଦଙ୍ଗା ଘଟଣାକୁ ଉଖୁରେଇ ରାଜନୈତିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରିଛି। ସେମାନଙ୍କ କହିବା ଅନୁସାରେ ଇଂଲଣ୍ଡ ଉଚ୍ଚାୟୁକ୍ତର ଜଣେ କନିଷ୍ଠ କୂଟନୀତିଜ୍ଞ ସେତେବେଳେ ଗୋପନୀୟ ଭାବେ ଗୁଜରାଟ ଦଙ୍ଗା ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ସେମାନେ ଏ ସମ୍ପର୍କରେ ଏକ ପକ୍ଷପାତମୂଳକ ରିପୋର୍ଟ ପ୍ରସ୍ତୁତ କରି ୟୁରୋପ କୂଟନୀତିଜ୍ଞମାନଙ୍କୁ ମଧ୍ୟ ଦେଇଥିଲେ। ଏହି ବିଷାକ୍ତ ରିପୋର୍ଟ ସମ୍ପର୍କରେ ଭାରତରେ ଅବସ୍ଥାପିତ ଫରାସୀ କୂଟନୀତିଜ୍ଞ ସାଉଥ୍ ବ୍ଲକ୍କୁ ଅବଗତ କରାଇଥିଲେ। ଉକ୍ତ ଗୁପ୍ତ ତଦନ୍ତ ପାଇଁ ଆଦେଶ ଦେଇଥିଲେ ଇଂଲଣ୍ଡର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଜ୍ୟାକ୍ ଷ୍ଟ୍ର, ଯିଏ ମିରପୁରୀର ମୁସଲମାନବହୁଳ ନିର୍ବାଚନମଣ୍ଡଳୀ ବ୍ଲାକ୍ବର୍ଣ୍ଣର ସାଂସଦ ଥିଲେ।
ତେବେ ସେତେବେଳକାର ଭାରତର ବୈଦେଶିକ ବିଭାଗର ସଚିବ କନୱାଲ ସିବଲ ଇଂଲଣ୍ଡର କୂଟନୈତିକ ପ୍ରୋଟୋକଲ ଭାଙ୍ଗିବା ଓ ଗୁଜରାଟରେ ଗୁପ୍ତ ଅନୁସନ୍ଧାନ କରି ୟୁରୋପ କୂଟନୀତିଜ୍ଞମାନଙ୍କୁ ଭାରତ-ବିରୋଧୀ ରିପୋର୍ଟ ବାଣ୍ଟିବା ନେଇ ବୈଦେଶିକ ମନ୍ତ୍ରୀ ଜଶୱନ୍ତ ସିଂହଙ୍କୁ ଅବଗତ କରାଇବା ସହ ବିଦେଶୀ ମିସନଗୁଡ଼ିକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ନ ପୂରାଇବା ପାଇଁ ଚେତାବନୀ ଦେଇଥିଲେ।
ଏଠାରେ ପ୍ରଶ୍ନ ଉଠୁଛି, ଭାରତ ସରକାର କାହିଁକି ଭାରତରେ ନିଯୁକ୍ତ ବିଦେଶୀ କୂଟନୀତିଜ୍ଞମାନଙ୍କୁ ଭାରତର ବିଦେଶ ମନ୍ତ୍ରଣାଳୟର ଦୃଷ୍ଟି ଆଢ଼ୁଆଳରେ ମୁକ୍ତ ଭାବରେ ଗୁପ୍ତ ଅଭିଯାନ ଚଳାଇବା ପାଇଁ ଅନୁମତି ଦେଉଛନ୍ତି?
ଚୀନ୍ ଓ ପାକିସ୍ତାନ ପରି ଦେଶଗୁଡ଼ିକରେ ଭାରତର ରାଷ୍ଟ୍ରଦୂତମାନଙ୍କୁ ନିଜ ଦୂତାବାସଗୁଡ଼ିକରେ ବନ୍ଦୀ କରି ରଖିଲା ପରି ରଖୁଥିବା ଓ ସେମାନଙ୍କୁ ଶରୀରିକ ଓ ମାନସିକଭାବରେ ନିର୍ଯାତନା ଦେଉଥିବା ବେଳେ ସେହିସବୁ ଦେଶର କୂଟନୀତିଜ୍ଞମାନଙ୍କ ପ୍ରତି ଭାରତରେ କୌଣସି କଟକଣା ରହୁନାହିଁ। ଇଂଲଣ୍ଡ, ଆମେରିକା, ରୁଷ୍ ଓ ଜର୍ମାନୀ ପରି ଦେଶଗୁଡ଼ିକର କୂଟନୀତିଜ୍ଞମାନଙ୍କ ପ୍ରତି ମଧ୍ୟ ଭାରତରେ କୌଣସି କଟକଣା ନାହିଁ। ସେମାନଙ୍କୁ ଆମ ଦେଶର କ୍ୟାବିନେଟ୍ ମନ୍ତ୍ରୀଙ୍କ ପରି ବ୍ୟବହାର କରାଯାଉଛି। ସେମାନଙ୍କୁ ଭାରତର ବିଦେଶ ମନ୍ତ୍ରଣାଳୟକୁ ନ ଜଣାଇ ଯେକୌଣସି କାର୍ଯ୍ୟାଳୟକୁ ପ୍ରବେଶ କରିବା ଓ ଭାରତର ବିଭିନ୍ନ କାର୍ଯ୍ୟକର୍ତ୍ତା ଓ ଏନ୍ଜିଓମାନଙ୍କୁ ସାକ୍ଷାତ୍ କରିବାର ସୁଯୋଗ ଦିଆଯାଉଛି। ବିଦେଶୀ କୂଟନୀତିଜ୍ଞମାନଙ୍କୁ ଭାରତରେ ଯେଉଁସବୁ ସୁଯୋଗ ଦିଆଯାଉଛି, ଭାରତୀୟ କୂଟନୀତିଜ୍ଞଙ୍କୁ ସେମାନଙ୍କ ଦେଶରେ ସେତିକି ସୁଯୋଗ ମିଳେ ନାହିଁ। ଏହି ପରିପ୍ରେକ୍ଷୀରେ ଚୀନ୍ କୂଟନୀତିଜ୍ଞମାନେ ଭାରତରେ ‘ଉଲ୍ଫ ୱାରିୟର’ ସାଜୁଥିବା ବେଳେ ଭାରତୀୟ କୂଟନୀତିଜ୍ଞମାନେ ସେମାନଙ୍କ ଦେଶରେ ନାନା କଟକଣା ଭିତରେ ନିଜ ଦୂତାବାସ ପରିସରରେ ଏକ ପ୍ରକାର ବନ୍ଦୀ ପରି ରହିଥାନ୍ତି।