ନୂତନ ପ୍ରଜାତି କରୋନାଭୂତାଣୁ ଅଧିକ ସଂକ୍ରମଣକ୍ଷମ କାହିଁକି?

ନୂଆଦିଲ୍ଲୀ : ବ୍ରିଟେନ୍‌ରେ ଦେଖାଦେଇଥିବା ନୂଆ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ତିନି ମାସ ଭିତରେ ଏଭଳି ଭୟାବହତା ସୃଷ୍ଟି କରିଛି ଯେ ସେଠାରେ ସରକାର ସାନି ଲକ୍‌ଡାଉନ୍‌ ଜାରି କରିବାକୁ ବାଧ୍ୟ ହେଲେ। ଏହାର ସଂକ୍ରମଣ ଖୁବ୍‌ କ୍ଷିପ୍ର ଗତିରେ ପ୍ରସାରିତ ହେଉଥିବାରୁ ଲୋକଙ୍କୁ ମଧ୍ୟ ତଦନୁସାରେ ଅଧିକ ସତର୍କ ରହିବା ଜରୁରୀ ହୋଇପଡ଼ିଛି। ତେବେ ମୂଳ ଭୂତାଣୁ ଅପେକ୍ଷା ଏହା କାହିଁକି ଅଧିକ ସଂକ୍ରମଣକ୍ଷମ ଏବଂ ଏହା ଅଧିକ ଲୋକଙ୍କୁ ରୋଗାଗ୍ରସ୍ତ କରିନଥିଲେ ହେଁ ଅଧିକ ବେଗରେ ପ୍ରସାରିତ ହେବା ଘଟଣା ବିଶେଷଜ୍ଞମାନଙ୍କୁ ବିବ୍ରତ କରିଛି।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଚୀନ୍‌ର ଉହାନ ସହରରେ କରୋନାଭୂତାଣୁ ଆବିର୍ଭାବ ହେବା ପରଠାରୁ ଏହାର ଅନେକ ରୂପାନ୍ତରିତ ପ୍ରଜାତି(୨୩ ପ୍ରକାରର) ମଧ୍ୟ ଲୋକଲୋଚନକୁ ଆସିଛି। ତେବେ ଗତ ସେପ୍ଟେମ୍ବରରେ ଦେଖାଦେଇଥିବା ବି.୧.୧.୭ ନାମକ ଏହି ନୂତନ ପ୍ରଜାତି ପୂର୍ବାପେକ୍ଷା ଅଧିକ ସଂକ୍ରମଣଶୀଳ ହେବା ସହ ବ୍ରିଟେନ୍‌ର ନୂଆ କୋଭିଡ୍‌ ମାମଲାର ୬୦ ପ୍ରତିଶତ ଏହା ଦ୍ବାରା ସୃଷ୍ଟି ହୋଇଥିବା ଜଣାଯାଇଛି। ସମାନ ପରିବେଶ ଥାଇ ବି ପୂର୍ବ ଭୂତାଣୁ ଅପେକ୍ଷା ଏହା ଅଧିକ ଆକ୍ରାମକ ଥିବା ଜଣାଯାଇଛି। ଏହା ମନୁଷ୍ୟର ଜୀବକୋଷକୁ ଅନାୟାସରେ ସଂକ୍ରମିତ କରିବାରେ ସକ୍ଷମ ବୋଲି ପ୍ରମାଣ ରହିଥିଲେ ହେଁ ଏହା କାହିଁକି ଏପରି ଫାଇଦାରେ ଅଛି ତାହା ସ୍ପଷ୍ଟ ହୋଇନାହିଁ। ପ୍ରଥମେ ପ୍ରଥମେ ବୈଜ୍ଞାନିକମାନେ ଏହା ୭୦ ପ୍ରତିଶତ ଅଧିକ ସଂକ୍ରମଣଶୀଳ ବୋଲି ଆକଳନ କରି କହିଥିଲେ। ଏବେ ଏହି ସଂଖ୍ୟା ୫୬ ପ୍ରତିଶତ ବୋଲି କୁହାଯାଉଛି। ଗବେଷକମାନେ ଏପରି ବାରମ୍ବାର ପ୍ରକୃତ ତଥ୍ୟ ଉପରେ ଦୃଷ୍ଟି ନିବଦ୍ଧ କଲେ ଏହି ନୂତନ ପ୍ରଜାତି ୧୦ରୁ ୨୦ ପ୍ରତିଶତ ଅଧିକ ସଂକ୍ରମଣଶୀଳ ବୋଲି କହିବା କିଛି ବିଚିତ୍ର ନୁହେଁ। ତଥାପି ଏହି ହାରରେ ସଂକ୍ରମଣ ଜାରି ରଖିଲେ ଆସନ୍ତା ମାର୍ଚ୍ଚ ବେଳକୁ ଆମେରିକାରେ ଏହା ସର୍ବାଧିକ ସଂକ୍ରମଣ କରିପାରିବ ବୋଲି କୁହାଯାଉଛି।

ଅପରପକ୍ଷେ, ଏହି ନୂତନ ପ୍ରଜାତି ଦ୍ରୁତ ବେଗରେ ବ୍ୟାପୁଥିଲେ ହେଁ ଏହା ମୂଳ ଭୂତାଣୁର ପାଖାପାଖି ସମାନ ଲକ୍ଷଣ ବଜାୟ ରଖିଛି। ଏହା ଅଧିକ ଲୋକଙ୍କୁ ରୋଗଗ୍ରସ୍ତ କରୁନାହିଁ କି ଅଧିକ କୋଭିଡ୍‌ ମୃତ୍ୟୁ ଘଟାଉନାହିଁ। ସୁତରାଂ ଏ କ୍ଷେତ୍ରରେ ଏହା କେବଳ ସଂଖ୍ୟାର ଖେଳ ପାଲଟିଛି। ଆମେରିକା ଓ ବ୍ରିଟେନ ପରି ଦେଶରେ ଯେଉଁଠି ସ୍ବାସ୍ଥ୍ୟସେବାର ଦୁର୍ବଳ ସ୍ଥିତି ଦେଖାଦେଇଛି, ସେଠାରେ ଏହି ନୂତନ ପ୍ରଜାତିର ଉପଦ୍ରବ ଅଧିକ ରହିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି। ଏହାର ସଂକ୍ରମଣ ମାଧ୍ୟମ ପୂର୍ବ ଭୂତାଣୁ ପରି ମୁଖ୍ୟତଃ ମୁଖନିସୃତ ଭାସମାନ ଜଳକଣିକା ହୋଇଥିବାରୁ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ବ ବଜାୟ ରଖିବା ହିଁ ଏହାର ପ୍ରକୋପରୁ ଜଣକୁ ଦୂରେଇ ରଖି ପାରିବ। ବ୍ରିଟେନ୍‌ରୁ ମିଳିଥିବା ପ୍ରାରମ୍ଭିକ ଅନୁଧ୍ୟାନରୁ ଏହି ନୂତନ ପ୍ରଜାତି ଭୂତାଣୁ ଦ୍ବାରା ସଂକ୍ରମିତ ଲୋକଙ୍କ ନାସା ଓ ଗଳାରେ ପୂର୍ବ ଭୂତାଣୁ ଦ୍ବାରା ସଂକ୍ରମିତ ଲୋକଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଭୂତାଣୁ ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର